ରାୟଗଡ଼ାକୁ ଚାଲାଣ କରୁଥିବାବେଳେ ମାଡିବସିଲା ପୋଲିସ, ୧୦୦ କେଜି ଗଞ୍ଜେଇ ଜବତ
ମୋହନା, ୨୦।୭( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡ଼ବା ଥାନା ପୋଲିସ ଆଜି ୧୦୦ କେଜି ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘଟଣାରେ ଅଡ଼ବା ଥାନା କେସ୍ ନଂ-୧୭୧/୨୦୨୬ରେ ମାମଲା ରୁଜୁ କରାଯାଇଛି।
ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଅଡ଼ବା ପୋଲିସ ପାଣିଗଣ୍ଡା ଗ୍ରାମ ପଞ୍ଚାୟତ ଅଧୀନ ଆଠବଖରିଆ ଛକ ନିକଟରେ ବେତାଗଣ୍ଡା ଗ୍ରାମର ଅମୋଶ ମାଝୀ (୩୫) ଚାରିଟି ପ୍ଲାଷ୍ଟିକ ଜରି ବ୍ୟାଗ ସହ ସନ୍ଦେହଜନକ ଅବସ୍ଥାରେ ରହିଥିବା ବେଳେ ପୋଲିସ ତାଙ୍କୁ ସନ୍ଦେହରେ ନିକଟରେ ଥିବା ଅଖା ଗୁଡ଼ିକୁ ଯାଞ୍ଚ କରିଥିଲା। ସେଥିରେ ଗଞ୍ଜେଇ ରହିଥିବା ଦେଖି ତାଙ୍କୁ ଅଟକ ରଖି ଅତିରିକ୍ତ ତହସିଲଦାର ରାଜେନ୍ଦ୍ର କୁମାର ଭୂୟାଁ ଏବଂ ସ୍ବାଧୀନ ସରକାରୀ ସାକ୍ଷୀଙ୍କ ଉପସ୍ଥିତିରେ ବ୍ୟାଗଗୁଡ଼ିକର
ଯାଞ୍ଚ ବେଳେ ଚାରିଟି ଜରି ବ୍ୟାଗରୁ ମୋଟ ୧୦୦ କିଲୋ ଗଞ୍ଜେଇ ଜବତ କରାଯାଇଥିଲା। ଏଥିସହ ଏକ ଡିଜିଟାଲ ଇଲେକ୍ଟ୍ରୋନିକ ଓଜନ ମେଶିନ ମଧ୍ୟ ଜବତ କରାଯାଇଛି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଜବତ ଗଞ୍ଜେଇକୁ ବେଆଇନ ଭାବେ ଅଭିଯୁକ୍ତ ରାୟଗଡ଼ା ଜିଲାକୁ ଚାଲାଣ କରିବା ପାଇଁ ଚ଼େଷ୍ଟା କରୁଥିଲେ। ଏହି ଘଟଣାରେ ଅଭିଯୁକ୍ତ ଅମୋଶ ମାଝୀଙ୍କୁ ଗିରଫ କରାଯାଇଛି। ଗଞ୍ଜେଇ ଚୋରାଚାଲାଣରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ସନ୍ତୋଷ ବିଷୋୟୀ କହିଛନ୍ତି।
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।