ରାଷ୍ଟ୍ରପତିଙ୍କ ତପ୍ତପାଣି ଗସ୍ତ କାର୍ଯ୍ୟକ୍ରମକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି, ସ୍ଥିତି ପରଖିଲେ ଜିଲାପାଳ, ଏସ.ପି
ଦିଗପହଣ୍ଡି,୧୭|୭(ଅଶେଷ ନାଥ ମିଶ୍ର) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଞ୍ଜାମ – ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ଉଷ୍ମ ପସ୍ରବଣ ତପ୍ତପାଣି ପରିଦର୍ଶନ କାର୍ଯ୍ୟକ୍ରମ କୁ ଦୃଷ୍ଟିରେ ରଖି ଶୁକ୍ରବାର ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ,ବ୍ରହ୍ମପୁର ଏସ.ପି ଡ଼ା. ଶ୍ରବଣା ବିବେକ ଏମ ,ଗଞ୍ଜାମ ଏସ.ପି ହରିଶ୍ ବି.ସି ଏବଂ ସାନଖେମୁଣ୍ଡି ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର ଙ୍କ ସମେତ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀ ବୃନ୍ଦ ତପ୍ତପାଣି ଗସ୍ତ କରି ସ୍ଥିତି ପରଖି ଫେରିଥିବା ଜଣାପଡ଼ିଛି।ରାଷ୍ଟ୍ରପତି ଙ୍କ ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇନଥିଲେ ମଧ୍ୟ ସେ ଅଗଷ୍ଟ ପ୍ରଥମ ସପ୍ତାହରେ ଆସିପାରନ୍ତି ବୋଲି ସୂଚନା ମିଳିଛି। ଜନଜାତି ସମ୍ପ୍ରଦାୟଙ୍କ ଆସ୍ଥା ବିଶ୍ୱାସ ଓ ପରମ୍ପରାର ପ୍ରତୀକ ଭାବେ ପୂଜା ପାଉଥିବା ମା ‘ କନ୍ଧୁଣି ଦେବୀ ଙ୍କ ଆସ୍ଥାନ ତଥା ପ୍ରକୃତିଦତ୍ତ ଆରୋଗ୍ୟ କ୍ଷେତ୍ର ତପ୍ତପାଣି ଉଷ୍ଣ ପ୍ରସବଣ ପର୍ଯ୍ୟଟନ କ୍ଷେତ୍ରର ପାରିପାର୍ଶ୍ବିକ ଭିତ୍ତିଭୂମି ର ବିକାଶ ସହ ଜନଜାତି ଲୋକଙ୍କ ଅର୍ଥନୈତିକ ବିକାଶ ପାଇଁ ରାଜ୍ୟ ସରକାର ୧୨ କୋଟି ଟଙ୍କା ପ୍ରଦାନ କରିଛନ୍ତି। ପୂର୍ବରୁ ରାଜ୍ୟ ସରକାର ତପ୍ତପାଣି ଉଷ୍ଣ ପ୍ରସବଣ ପର୍ଯ୍ୟଟନ କ୍ଷେତ୍ରକୁ ରାଜ୍ୟ ପର୍ଯ୍ୟଟନ ମାନଚିତ୍ର ରେ ସ୍ଥାନ ଦେବା ସହ ଦକ୍ଷିଣ ଓଡ଼ିଶାର ପ୍ରବେଶ ଦ୍ୱାର ତପ୍ତପାଣି ଠାରୁ ଜିରାଙ୍ଗ ବୌଦ୍ଧ କ୍ଷେତ୍ର, ମହେନ୍ଦ୍ରଗିରି, ରାୟଗଡା, କୋରାପୁଟ ପର୍ଯ୍ୟନ୍ତ ସମସ୍ତ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଅନୁଦାନ ଯୋଗାଇ ଦେଇଛନ୍ତି। ଗତ ୨୦୨୫ ନଭେମ୍ବର ୧୭ ତାରିଖରେ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ତପ୍ତପାଣି ଉଷ୍ଣ ପ୍ରସବଣ ପର୍ଯ୍ୟଟନ କ୍ଷେତ୍ରର ପାରିପାର୍ଶ୍ଵିକ ଉନ୍ନୟନ ପ୍ରକଳ୍ପ ର ଶିଳାନ୍ୟାସ ଉତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ତପ୍ତପାଣି ଅଞ୍ଚଳର ପ୍ରାକୃତିକ ସବୁଜିମାର ସୁରକ୍ଷା ସହ ନେଚରଥେରାପି ବା ପ୍ରାକୃତିକ ରୋଗ ଉପଚାର ପାଇଁ ବ୍ୟାପକ ବେଲବଣ ସୃଷ୍ଟି କରାଯାଇ ପର୍ଯ୍ୟଟକଙ୍କ ସୁରକ୍ଷା ନିମନ୍ତେ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।