ରାମ ମନ୍ଦିର ଟ୍ରଷ୍ଟିରେ ବଡ଼ ହଲଚଲ: ମହାସଚିବଙ୍କ ସମେତ ୨ଜଣଙ୍କ ଇସ୍ତଫା

Jun 26, 2026 - 14:30
ରାମ ମନ୍ଦିର ଟ୍ରଷ୍ଟିରେ ବଡ଼ ହଲଚଲ: ମହାସଚିବଙ୍କ ସମେତ ୨ଜଣଙ୍କ ଇସ୍ତଫା

ଲକ୍ଷ୍ନୌ,୨୬।୬: ରାମ ମନ୍ଦିର ଦାନ ଚୋରି ମାମଲାର SIT ତଦନ୍ତ ପରେ ମାମଲା ରୁଜୁ ହୋଇଛି। ଏହି ପରିପ୍ରେକ୍ଷୀରେ ରାମ ମନ୍ଦିର ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଏବଂ ଟ୍ରଷ୍ଟି ଅନିଲ ମିଶ୍ର ଶୁକ୍ରବାର ଇସ୍ତଫା ଦେଇଛନ୍ତି। ଦାନ ଚୋରି ଅଭିଯୋଗ ମଧ୍ୟରେ ଚମ୍ପତ ଅନିଲ ଉଭୟଙ୍କ ଉପରେ ଇସ୍ତଫା ଦେବାକୁ ଚାପ ପଡ଼ିଥିବା ସୂଚନା ମିଳୁଛି। ତେଣୁ ଉଭୟ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଛନ୍ତି।

ରାମ ମନ୍ଦିର ଦାନ ଚୋରି ମାମଲାରେ SIT ରିପୋର୍ଟ ପରେ, ୮ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ପୋଲିସ ଅଟକ ରଖିବା ପରେ ସେମାନଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଏପରକି ସମସ୍ତ ଅଭିଯୁକ୍ତଙ୍କୁ ଅପରାହ୍ନରେ କୋର୍ଟରେ ହାଜର କରାଯିବ। ହେଲେ ଆଜି ମହରମ ଯୋଗୁ କୋର୍ଟ ଛୁଟି ଥିବା ବେଳେ ଅଭିଯୁକ୍ତମାନଙ୍କୁ ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ହାଜର କରାଯିବ।

ଅନ୍ୟପକ୍ଷେ ରାମ ମନ୍ଦିର ଦାନ ଚୋରି ମାମଲାରେ ଏଫଆଇଆର ପରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଜାରି କରିଛନ୍ତି। ସେ କହିଛନ୍ତି ଯେ, ଅଭିଯୋଗ ଉପରେ ସରକାର ତୁରନ୍ତ ଏକ ସ୍ବତନ୍ତ୍ର ତଦନ୍ତ ଦଳ(ଏସଆଇଟି) ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏସଆଇଟି ତଦନ୍ତ କରି ଏହାର ରିପୋର୍ଟ ଦାଖଲ କରିଛି, ଏବଂ ତୁରନ୍ତ ମାମଲା ପଞ୍ଜିକୃତ ହୋଇଛି। ଯେଉଁମାନେ ଜନସାଧାରଣଙ୍କ ବିଶ୍ୱାସ ସହିତ ହେରଫେର କରନ୍ତି ସେମାନଙ୍କୁ ଛଡ଼ାଯିବ ନାହିଁ। ଅଯୋଧ୍ୟା ହିନ୍ଦୁ ବିଶ୍ୱାସର ପ୍ରତୀକ। ବିଶ୍ୱାସ ସହିତ ହେରଫେର ଗ୍ରହଣୀୟ ନୁହେଁ ବୋଲି ଯୋଗୀ କହିଛନ୍ତି।