ରଥଯାତ୍ରାରେ ସୁରକ୍ଷା ଢ଼ିଲା: ଲୁଟିନେଲେ ମହିଳାଙ୍କ ସୁନାଚେନ୍; ଟ୍ରାଫିକ ଜାମ୍, ଲୋକେ ହଟହଟା
ବରଗଡ଼,୧୬।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଏଥର ପ୍ରଥମଥର ପାଇଁ ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଛକରେ ଭଟଲି ଛକ ଏବଂ ଖଜୁରଟିକ୍ରାରୁ ବାହାରିଥିବା ମହାପ୍ରଭୁଙ୍କ ରଥ ଏକାଠି ହୋଇଥିଲେ। ସେଠାରୁ ରଥଟଣା ଆରମ୍ଭ ହୋଇ ଗାନ୍ଧିଛକ ଅଭିମୁଖେ ଉଭୟ ରଥ ଆସିଥିଲା। ତେବେ ଭଟଲି ଛକ ରଥଯାତ୍ରା ଏଥର ରୌପ୍ୟ ଜୟନ୍ତୀ ପାଳନ କରୁଥିବା ଯୋଗୁ ପୁରୀରୁ ନବନିର୍ମିତ ରଥ ଆସିଥିଲା ଏବଂ ସେଥିରେ ମହାପ୍ରଭୁ ରଥାରୁଢ଼ ହୋଇଥିଲେ। ଅନ୍ୟପଟେ ଏଥର ଗାନ୍ଧିଛକରୁ ଭଟଲି ଛକ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ ମଧ୍ୟ ହୋଇଛି। ତେବେ ସହରରେ ପ୍ରଥମଥର ପାଇଁ ଏହି ପ୍ରଶସ୍ତିକରଣ ରାସ୍ତାରେ ସହରର ୨ଟି ସ୍ଥାନରୁ ବାହାରିଥିବା ରଥଗୁଡ଼ିକୁ ଏକାସାଥିରେ ଟଣା ଯାଇଥିବା ଦୃଷ୍ଟିରୁ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଏଠାରେ ନାହିଁ ନ ଥିବା ଭିଡ଼ ହୋଇଥିଲା। ଅପରପକ୍ଷେ ଦୂରଦୃଷ୍ଟିହୀନତା ଯୋଗୁ ସୁରକ୍ଷା ବ୍ୟବସ୍ଥା ଢ଼ିଲା ପଡ଼ି ଯାଇଥିଲା। ଫଳରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ମହିଳାଙ୍କ ସୁନାଚେନ୍ ଲୁଟ୍ ହୋଇଥିବାବେଳେ ଟ୍ରାଫିକ ସମସ୍ୟା ମଧ୍ୟ ଅସମ୍ଭାଳ ହୋଇ ପଡ଼ିଥିଲା। ଦୁର୍ବୃତ୍ତମାନେ ବରଗଡ଼ ସହରର ୨ ମହିଳା ଭାଗ୍ୟବତୀ ମଲ୍ଲିକ ଏବଂ ବୃନ୍ଦାବତୀ ମାଝୀଙ୍କ ସୁନାଚେନ୍ ଲୁଟି ନେଇଥିଲେ। ସେହିପରି ଟ୍ରାଫିକ୍ ଜାମ୍ ଯୋଗୁ ଯାତ୍ରୀମାନେ ନାହିଁ ନ ଥିବା ହଟହଟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।