ମୌସୁମୀ ବର୍ଷାରେ ବିଳମ୍ବ, ଚାଷୀ ହତାଶ: ଜଳସେଚନ ସୁବିଧା ନାହିଁ
ନୂଆପଡ଼ା,୨୭ା୬ (ମକାରୁ ବେମାଲ):ନୂଆପଡା ଏକ କୃଷିପ୍ରଧାନ ଜିଲା। ଜିଲାର ୯୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି। ଜଳସେଚିତ ଅଞ୍ଚଳକୁ ବାଦଦେଲେ ଅଣଜଳସେଚିତ ଅଞ୍ଚଳରେ ଚାଷୀ ଖରଡି (ଖୋର୍ଡା) ଧାନ ବୁଣନ୍ତି। ଏହା ଜୁନ ପ୍ରଥମ ସପ୍ତାହରେ ଆରମ୍ଭ ହୋଇ ଜୁଲାଇରେ ରଥଯାତ୍ରା ପୂର୍ବରୁ ବିହୁଡା କାର୍ଯ୍ୟ ଶେଷ ହୋଇଥାଏ। ପରେ ଯେଉଁମାନେ ପହ୍ଲା କରନ୍ତି ସେମାନେ ରୁଆ କାର୍ଯ୍ୟ ଆରମ୍ଭ କରନ୍ତି। ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ଆସିବାରେ ବିଳମ୍ବ ହେବାରୁ ଚାଷ କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ ା ଗ୍ରୀଷ୍ମ ଋତୁର ଅଦିନିଆ ବର୍ଷାରେ ଚାଷୀ ଜମିକୁ ଚାଷୀ ପ୍ରସ୍ତୁତ କରି ରଖିଛନ୍ତି। ଅଧିକାଂଶ ଚାଷୀ ଧାନ ବିହନ ଆଣି ମୌସୁମୀ ବର୍ଷା ଅପେକ୍ଷାରେ ଅଛନ୍ତି ା ଜୁନ ମାସ ସରିଯାଉଥିଲେ ମଧ୍ୟ ବର୍ଷା ନ ହେବାରୁ ଚାଷୀ ଚିନ୍ତାରେ ପଡିଯାଇଛି। କୋମନା ବ୍ଲକର ଅଧିକାଂଶ ପଞ୍ଚାୟତରେ ଜଳସେଚନ ସୁବିଧା ନାହିଁ। ସେମାନେ ଖରଡି ଧାନ ବୁଣି ଦଶହରା ବା ଦୁର୍ଗାପୂଜା ପୂର୍ବରୁ ଅମଳ ସାରିଥାନ୍ତି। ପରେ ଅଧିକାଂଶ ଲୋକ ବାହାର ରାଜ୍ୟକୁ ଦାଦନ ଯାଉଥିବା ବେଳେ ଘରେ ଯେଉଁମାନେ ରହନ୍ତି ସେମାନେ ଅର୍ଥକରୀ ବା ଡାଲିଜାତୀୟ ଫସଲ କରିଥାନ୍ତି ା କୋମନା ବ୍ଲକର ଭରୁଆମୁଣ୍ଡା, ଜଟଗଡ, ବାବେଘାଟି, ସୋରିପଡା, ତରବୋଡ, ବାଲିପାଟି ସମେତ ଗୋଡା ପାହାଡ ଉପର ଗଁା ମାନଙ୍କରେ ଧାନ ବୁଣି ଦେଇଛନ୍ତି। ଆକାଶ ମେଘୁଆ ଦେଖାଯାଉଛି ା ହେଲେ ବର୍ଷା ନାହିଁ। ଦିନରେ ଅସହ୍ୟ ଖରା ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ଅତ୍ୟଧିକ ଗରମରେ ଧାନ ଗଜା ହେବ କି ନାହିଁ ଚାଷୀ ସନ୍ଦେହ କରିଛନ୍ତି। ଧାନ ଗଜା ନ ହେଲେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବ ବୋଲି ମୁଣ୍ଡରେ ହାତ ଦେଇ ବସିଛନ୍ତି ା ଗୋଟିଏ ସପ୍ତାହ ମଧ୍ୟରେ ବର୍ଷା ନ ହେଲେ ଚାଷ କାର୍ଯ୍ୟ ବହୁ ବିଳମ୍ବ ହେବା ସହ ବୁଣିଥିବା ଧାନ ଗଜା ହେବ ନାହିଁ ବୋଲି ଚାଷୀମାନେ କହିଛନ୍ତି ା
Dharitri – Odisha’s No.1 Odia Daily