ମେଡିସିନ୍‌ ଖାଇ ୭ କଏଦୀ ଅସୁସ୍ଥ! ଝାରପଡ଼ା ଜେଲ୍‌ରେ ଚାଲିଛି ତଦନ୍ତ

Jun 24, 2026 - 12:42

ଭୁବନେଶ୍ୱର,୨୪।୬: ରାଜଧାନୀର ଝାରପଡ଼ା ସ୍ପେଶାଲ୍‌ ଜେଲ୍‌ରେ ୭ ଜଣ କଏଦୀ ହଠାତ୍ ଅସୁସ୍ଥ ହୋଇପଡ଼ିବା ଘଟଣାକୁ ନେଇ ଚିନ୍ତା ବଢ଼ିଛି। ଅସୁସ୍ଥ କଏଦୀମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ କିଛି ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।

ଏହି ଘଟଣାକୁ ନେଇ ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟ ସର୍ବେଶ୍ୱର ସାହୁ କହିଛନ୍ତି ଯେ, ପ୍ରାଥମିକ ତଦନ୍ତରୁ କୌଣସି ଔଷଧ କିମ୍ବା ମେଡିସିନ୍‌ ସେବନ କରିବା ଫଳରେ କଏଦୀମାନେ ଅସୁସ୍ଥ ହୋଇଥିବା ସନ୍ଦେହ କରାଯାଉଛି। ଏହା ଖାଦ୍ୟ ବିଷକ୍ରିୟା କିମ୍ବା ନିଶାଦ୍ରବ୍ୟ ସେବନ ଜନିତ ଘଟଣା ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସେ କହିଛନ୍ତି, “ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଜେଲ୍‌ ପରିସରର ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯାଉଛି। ତଦନ୍ତ ଶେଷ ହେବା ପରେ ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହେବ।”

ଘଟଣାର ଗୁରୁତ୍ୱକୁ ଦେଖି ଭୁବନେଶ୍ୱର ଡିସିପି ଜଗମୋହନ ମୀନା ହସ୍ପିଟାଲକୁ ଯାଇ ଅସୁସ୍ଥ କଏଦୀମାନଙ୍କ ସ୍ୱାସ୍ଥ୍ୟାବସ୍ଥାର ସମୀକ୍ଷା କରିଛନ୍ତି। ଅନ୍ୟପଟେ ଜେଲ୍‌ କର୍ତ୍ତୃପକ୍ଷ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିତ ଭାବେ ତଦନ୍ତ ଜାରି ରହିଛି।

ଘଟଣାର ପ୍ରକୃତ କାରଣ କ’ଣ ଏବଂ କଏଦୀମାନେ କେଉଁ ଔଷଧ ସେବନ କରିଥିଲେ, ତାହା ତଦନ୍ତ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ।

Dharitri – Odisha’s No.1 Odia Daily

The post ମେଡିସିନ୍‌ ଖାଇ ୭ କଏଦୀ ଅସୁସ୍ଥ! ଝାରପଡ଼ା ଜେଲ୍‌ରେ ଚାଲିଛି ତଦନ୍ତ appeared first on Dharitri Odia News.