ମେଡିକାଲରୁ ଚମ୍ପଟ ମାରିଲେ ଅଭିଯୁକ୍ତ
ମାଲକାନଗିରି,୨୫।୬(ଦୁର୍ଯ୍ୟୋଧନ ପାତ୍ର): ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗୁରୁବାର ମେଡିକାଲ ଚେକ୍ଅପ୍ ପାଇଁ ନେଉଥିବା ବେଳେ ଚିକିତ୍ସାଳୟ ନିକଟରୁ ସେ ଫେରାର ହୋଇଯାଇଥିବା ଜଣାପଡିଛି। ସେ ହେଲେ ସିନ୍ଧ୍ରିମାଲ ଗ୍ରାମର ବିଶ୍ୱନାଥ ମାଡକାମି।
ତଥ୍ୟ ଅନୁଯାୟୀ, ୨୦୨୦ରେ ବିଶ୍ୱନାଥ ମାଡକାମି ଗଞ୍ଜେଇ ଚୋରାଚାଲାଣ କରୁଥିବା ସମୟରେ ଅବକାରୀ ବିଭାଗ ପକ୍ଷରୁ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ତେବେ ସେହି ସମୟରେ ସେ କୋର୍ଟରୁ ବେଲ୍ରେ ବାହାରକୁ ବାହାରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ବାରମ୍ବାର କୋର୍ଟରେ ହାଜର ହେବା ପାଇଁ ନୋଟିସ କରାଯାଇଥିଲେ ସୁଦ୍ଧା କୋର୍ଟ ଆଇନକୁ ଅବମାନନା କରିବା ଯୋଗୁ ପୁନର୍ବାର ତାଙ୍କୁ ଗିରଫ କରାଯାଇଥିଲା । ଗିରଫ ପରେ ତାଙ୍କ ଶରୀରରେ କିଛି କ୍ଷତ ଚିହ୍ନ ଥିବା ପୋଲିସ ଦେଖିବାକୁ ପାଇ ତାଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲକୁ ନେଇଥିଲା। ଗୁରୁବାର ଚିକିତ୍ସାଳୟରୁ ସେ କୌଶଳ କ୍ରମେ ଫେରାର ହୋଇଯାଇଥିବା ଜଣାପଡ଼ିଛି। ପୋଲିସ ତାଙ୍କୁ ଧରିବା ନେଇ ତନାଘନା କରୁଛି।