ମୁଖ୍ୟମନ୍ତ୍ରୀ ଗବେଷଣା ଫେଲୋଶିପ୍ ଆବେଦନ ଆରମ୍ଭ: ଶେଷ ତାରିଖ ରହିଛି…
ଭୁବନେଶ୍ୱର,୮ା୭(ସୁଚିସ୍ମିତା ସାହୁ): ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଗବେଷଣା ଫେଲୋଶିପ୍ ୨୦୨୬-୨୭ ପାଇଁ ସରକାରୀ ବିଶ୍ୱବିଦ୍ୟାଳୟରେ ପିଏଚ୍ଡିରେ ପଞ୍ଜୀକୃତ ଗବେଷକମାନେ ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। କମନ ଆପ୍ଲିକେଶନ ଫର୍ମ ମଙ୍ଗଳବାର ଅପରାହ୍ଣ ୪ଟାରୁ ପୋର୍ଟାଲରେ ଉପଲବ୍ଧ ହୋଇଛି। ଆଶାୟୀମାନେ ଆସନ୍ତା ୩୦ ତାରିଖ ରାତି ୧୧.୪୫ଟା ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆବେଦନକାରୀମାନେ ଆବଶ୍ୟକ ହେଲେ ୩୧ ତାରିଖ ପୂର୍ବାହ୍ନ ୧୧ଟାରୁ ରାତି ୧୧ଟା ୪୫ଟା ପର୍ଯ୍ୟନ୍ତ ପୂର୍ବରୁ ଦାଖଲ କରିଥିବା ସିଏଏଫ୍କୁ ଏଡିଟ କରିପାରିବେ। ତେବେ ଏହି ଦିନ କୌଣସି ନୂତନ ଆବେଦନ ଗ୍ରହଣ କରାଯିବ ନାହିଁ। ସମସ୍ତ ତଥ୍ୟକୁ ଅଗଷ୍ଟ ୫ ତାରିଖ ପୂର୍ବାହ୍ନ ୧୧ଟାରେ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ (ଓଏସ୍ଏଚ୍ଇସି)କୁ ପଠାଯିବ। ଯୋଗ୍ୟ ପ୍ରାର୍ଥୀଙ୍କ କାଗଜପତ୍ର ଯାଞ୍ଚ ପରେ ସାମ୍ସ ପୋର୍ଟାଲରେ ସୂଚିତ କରାଯିବ। ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଏମ୍ଆର୍ଏଫ୍ କାର୍ଯ୍ୟକ୍ରମରେ ଆବେଦନ ପାଇଁ ପ୍ରାର୍ଥୀ ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବା ଆବଶ୍ୟକ। ସେହିପରି ୨୦୨୪ ଏପ୍ରିଲ ୧ରୁ ୨୦୨୬ ଜୁଲାଇ ୧୯ ତାରିଖ ମଧ୍ୟରେ ଅନୁମୋଦିତ ଗବେଷଣା ନିର୍ଦ୍ଦେଶକଙ୍କ ଅଧୀନରେ ପିଏଚ୍ଡିରେ ପଞ୍ଜୀକୃତ ହୋଇଥିବା ଗବେଷକମାନେ କେବଳ ଆବେଦନ କରିପାରିବେ। ଏଥିସହ ଏମ୍ଆର୍ଆଇପି-୨୦୨୫ରେ ଫେଲୋଶିପ୍ ପାଇଁ ଚୟନ ହୋଇଥିଲେ ମଧ୍ୟ ସାମ୍ସରେ ପଞ୍ଜୀକୃତ ନ ଥିବା ଗବେଷକମାନେ ପୁନର୍ବାର ଆବେଦନ କରିପାରିବେ ନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।