ମା’ ବାପାଙ୍କ ସହ ଘରେ ଶୋଇଥିବାବେଳେ କାମୁଡିଲା ସାପ, ଚାଲିଗଲା ସମରତଙ୍କ ଜୀବନ

Jul 15, 2026 - 13:41
ମା’ ବାପାଙ୍କ ସହ ଘରେ ଶୋଇଥିବାବେଳେ କାମୁଡିଲା ସାପ, ଚାଲିଗଲା ସମରତଙ୍କ ଜୀବନ

କୁତ୍ରା ୧୫।୭( ଦେବାଶିଷ ସାହୁ): ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅନ୍ତର୍ଗତ କନ୍ଦେଇମୁଣ୍ଡା ପାହାଡ଼ଟୋଲି ଗ୍ରାମରେ ସାପ କାମୁଡ଼ାରେ ଜଣେ ୪ ବର୍ଷର ନାବାଳକଙ୍କ ମୃତ୍ୟୁ ଘଟିଥିବାରୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ ନାବାଳକ ହେଲେ କେଶବ ବିଲୋରଙ୍କ ପୁଅ ସମରତ ବିଲୋର। ସୂଚନା ଅନୁଯାୟୀ ସମରତ ସୋମବାର ରାତିରେ ନିଜ ବାପା ଓ ମା’ଙ୍କ ସହ ଘରେ ଖଟ ଉପରେ ଶୋଇଥିଲେ। ରାତି ପ୍ରାୟ ସାଢ଼େ ୩ଟା ସମୟରେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା। ପରିବାର ଲୋକେ ଘଟଣା ବିଷୟରେ ଜାଣିବା ପରେ ତୁରନ୍ତ ସମରତଙ୍କୁ କୁତ୍ରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତରମାନେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ସୁନ୍ଦରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସମରତଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଥିବା ବେଳେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

 

Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।