ମହିଳା ଶ୍ରମିକଙ୍କ ମୁଣ୍ଡ ଉପରେ ଚଢିଗଲା ଟ୍ରକ୍‌: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

Jul 14, 2026 - 13:03
ମହିଳା ଶ୍ରମିକଙ୍କ ମୁଣ୍ଡ ଉପରେ ଚଢିଗଲା ଟ୍ରକ୍‌: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଉରକେଲା,୧୪।୭(ସଙ୍ଗୀତା ଜେନା) ବେଦବ୍ୟାସ ଅଞ୍ଚଳରେ ମଙ୍ଗଳବାର ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଯାଇଛି। ସ’ମିଲ ଛକ ନିକଟରେ ଏକ ଦ୍ରୁତଗାମୀ ଟ୍ରକ ଚଢ଼ିଯିବାରୁ ଜଣେ ମହିଳା ଶ୍ରମିକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ହେଲେ କାନ୍ସବାହାଲ ମନ୍ଦିରା ଡ୍ୟାମ ବସ୍ତି ଅଞ୍ଚଳର ମଞ୍ଜୁଲତା ରାଉତ (୪୫)। ଏହି ଦୁର୍ଘଟଣାରେ ମୃତକଙ୍କ ସହ ବାଇକରେ ଯାଉଥିବା ବ୍ୟକ୍ତି ଜଣକ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଘଟଣାର ବିବରଣୀରୁ ପ୍ରକାଶ ଯେ, ଆଜି ସକାଳ ପ୍ରାୟ ୮ଟା ସମୟରେ ମଞ୍ଜୁଲତା ନିଜ ଘରୁ ନିତ୍ୟକର୍ମ ସାରି ଆଇଡିସିସ୍ଥିତ ଆଇଏଫଜିଏଲ କାରଖାନାକୁ ନିଜର ଦୈନନ୍ଦିନ ଡ୍ୟୁଟି ପାଇଁ ବାହାରିଥିଲେ। ସେହି ସମୟରେ ତାଙ୍କ ପଡ଼ୋଶୀ ତଥା ମହାବୀର କାରଖାନାର କର୍ମଚାରୀ ବିଶ୍ୱାଳ ଦେହୁରୀଙ୍କ ବାଇକରେ ସେ କାର୍ଯ୍ୟସ୍ଥଳକୁ ଯାଉଥିଲେ। ଉଭୟ ବେଦବ୍ୟାସ ସ’ମିଲ ଛକ ଦେଇ ଅତିକ୍ରମ କରୁଥିବା ବେଳେ, ରାଉରକେଲା ପଟୁ ରାଜଗାଙ୍ଗପୁର ଆଡ଼କୁ ଯାଉଥିବା ଏକ ଟ୍ରକ (ଓଆର ୦୯ ଭି ୧୮୧୧) ଅତ୍ୟନ୍ତ ବେପରୁଆ ଭାବେ ଆସି ସେମାନଙ୍କ ବାଇକକୁ ପଛପଟୁ ଧକ୍କା ଦେଇଥିଲା।
ଧକ୍କା ଖାଇ ମଞ୍ଜୁଲତା ବାଇକରୁ ତଳକୁ ଖସି ପଡ଼ିଥିଲେ। ଦୁର୍ଭାଗ୍ୟବଶତଃ ଟ୍ରକଟି ତାଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା, ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ବାଇକ ଚଳାଉଥିବା ବିଶ୍ୱାଳ ଦେହୁରୀ ଖସିଯାଇଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଏବଂ ସେ ସାମାନ୍ୟ ଆହତ ହୋଇଛନ୍ତି।
ଖବର ପାଇ ବ୍ରାହ୍ମଣୀତରଙ୍ଗ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ହସ୍ପିଟାଲ (ଆରଜିଏଚ)କୁ ପଠାଇଛି। ଏଥିସହିତ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହ ଟ୍ରକ ଡ୍ରାଇଭରକୁ ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଛି। ଦିନକୁ ଦିନ ଏହି ଅଞ୍ଚଳରେ ଟ୍ରକ ଚଳାଚଳ ବଢ଼ୁଥିବାରୁ ଏଭଳି ଦୁର୍ଘଟଣା ଘଟୁଥିବା ନେଇ ସ୍ଥାନୀୟ ବାସିନ୍ଦା କ୍ଷୋଭ ପ୍ରକାଶ କରିଛନ୍ତି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।