ମସ୍ତିଷ୍କର ଭିନ୍ନ ଅଂଶରୁ ସୃଷ୍ଟି ହୁଏ ସ୍ବତଃସ୍ଫୂର୍ତ୍ତ, ଇଚ୍ଛାକୃତ ହସ

Jul 07, 2026 - 07:42
ମସ୍ତିଷ୍କର ଭିନ୍ନ ଅଂଶରୁ ସୃଷ୍ଟି ହୁଏ ସ୍ବତଃସ୍ଫୂର୍ତ୍ତ, ଇଚ୍ଛାକୃତ ହସ

ନୂଆଦିଲ୍ଲୀ,୭।୭(ପି.ଟି.): ମଣିଷର ହସ ପଛରେ ଥିବା ରହସ୍ୟକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଆମର ସ୍ବତଃସ୍ଫୂର୍ତ୍ତ (ଆବେଗିକ) ଏବଂ ଇଚ୍ଛାକୃତ ହସ ପାଇଁ ମସ୍ତିଷ୍କର ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ ନେଟୱର୍କ ବା ଅଂଶ କାର୍ଯ୍ୟ କରିଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି । ଲଣ୍ଡନର ‘ୟୁନିଭର୍ସିଟି କଲେଜ ଲଣ୍ଡନ’ର ପ୍ରଫେସର ସୋଫି ସ୍କଟ୍‌ଙ୍କ ନେତୃତ୍ୱରେ ହୋଇଥିବା ଗବେଷଣା ତଥ୍ୟ ଅନୁଯାୟୀ, ମଣିଷ ଶରୀରରେ ଦୁଇ ପ୍ରକାରର ହସ ଦେଖାଯାଏ। ପ୍ରଥମଟି ହେଉଛି ସ୍ବତଃସ୍ଫୂର୍ତ୍ତ ହସ, ଯାହା କୌଣସି ମଜାଦାର ଘଟଣା ଯୋଗୁ ଆପେ ଆପେ ଆସିଥାଏ ଏବଂ ଏହାକୁ ରୋକିବା ସହଜ ହୋଇ ନଥାଏ। ଦ୍ୱିତୀୟଟି ହେଉଛି ଇଚ୍ଛାକୃତ ହସ, ଯାହା ମଣିଷ ସାଧାରଣତଃ କଥାବାର୍ତ୍ତା ବେଳେ ବା ସାମାଜିକ ସମ୍ପର୍କ ରଖିବା ପାଇଁ ବ୍ୟବହାର କରିଥାଏ। ଗବେଷକମାନେ ଅପସ୍ମାର (ବାତ) ରୋଗୀଙ୍କ ଅସ୍ତ୍ରୋପଚାର ପୂର୍ବରୁ କରାଯାଉଥିବା ‘ବ୍ରେନ୍‌ ଷ୍ଟିମୁଲେଶନ’ (ମସ୍ତିଷ୍କକୁ ବୈଦ୍ୟୁତିକ ଭାବେ ଉଦ୍ଦୀପିତ କରିବା) ପ୍ରକ୍ରିୟାର ରିପୋର୍ଟଗୁଡ଼ିକୁ ଅନୁଧ୍ୟାନ କରି ଏହି ସୂଚନା ପାଇଛନ୍ତି। ଚେତା ଥିବା ରୋଗୀଙ୍କ ମସ୍ତିଷ୍କର କିଛି ନିିର୍ଦ୍ଦିଷ୍ଟ ଅଂଶକୁ ଉଦ୍ଦୀପିତ କରିବା ଦ୍ୱାରା ଅଜାଣତରେ ସେମାନଙ୍କ ମୁହଁରେ ହସ ଆସିଥିଲା।
ଅଧ୍ୟୟନରୁ ଜଣାପଡ଼ିଛି ଯେ, ସ୍ବତଃସ୍ଫୂର୍ତ୍ତ ହସ ପାଇଁ ମସ୍ତିଷ୍କର ଭାବନାତ୍ମକ ନେଟୱର୍କ କାମ କରେ, ଯାହା ଆନନ୍ଦ ଓ ଉଲ୍ଲାସ ସୃଷ୍ଟି କରିଥାଏ। ଏହା ଏକ ପ୍ରାଚୀନ ବିବର୍ତ୍ତନବାଦୀ ପଥ, ଯାହା ପ୍ରାଣୀଙ୍କ ଖେଳକୁଦ ସମୟରେ ସାମାଜିକ ସମ୍ପର୍କ ବଢ଼ାଇବା ପାଇଁ ସୃଷ୍ଟି ହୋଇଥିଲା। ଅନ୍ୟପକ୍ଷରେ ଇଚ୍ଛାକୃତ ହସ ମସ୍ତିଷ୍କର ମୋଟର କଣ୍ଟ୍ରୋଲ (ମାଂସପେଶୀ ନିୟନ୍ତ୍ରଣ) ଅଂଶରୁ ଆସିଥାଏ ଏବଂ ଏହା କଥା କହିବା ଶୈଳୀ ସହ ଜଡ଼ିତ। ଏହି ଆବିଷ୍କାର ମସ୍ତିଷ୍କର କାର୍ଯ୍ୟପ୍ରଣାଳୀ ଏବଂ ବିଭିନ୍ନ ମାନସିକ ସମସ୍ୟାକୁ ବୁଝିବାରେ ବେଶ୍‌ ସହାୟକ ହେବ ବୋଲି ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।