ମଣିଷ ଦେଖିଲେ ଡର ଲାଗୁଛି

Jul 14, 2026 - 08:13
ମଣିଷ ଦେଖିଲେ ଡର ଲାଗୁଛି

ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଏ ନିବନ୍ଧଟି ପ୍ରସ୍ତୁତ କରିବାକୁ ଗଲାବେଳେ ପ୍ରଖ୍ୟାତ ସାହିତି୍ୟକ ମନୋଜ ଦାସଙ୍କ ‘କେତେ ଦିଗନ୍ତ’ ପୁସ୍ତକରୁ ରୋଚକ ପ୍ରସଙ୍ଗଟିଏ ସ୍ମରଣକୁ ଆସୁଛି। କିଛି ବର୍ଷ ତଳର କଥା। ସ୍ଥାନ- କୋରାପୁଟର ପାର୍ବତ୍ୟାଞ୍ଚଳ। ଗହନ ବନ। ମଧ୍ୟରାତ୍ରର ଅନ୍ଧକାର। ଜଣେ ସରକାରୀ ଅଧିକାରୀ ଜିପ୍‌ ଯୋଗେ ସରୁ ପାହାଡ଼ୀ ରାସ୍ତା ଦେଇ ଯାତ୍ରା କରୁଥା’ନ୍ତି ା ହଠାତ୍‌ ଅଧିକାରୀ ଜଣକ ଲକ୍ଷ୍ୟ କଲେ, ପର୍ବତ ଉପରୁ ଧୀରେ ଧୀରେ ଗୋଟିଏ ଆଲୁଅ ତଳକୁ ଆସୁଛି ା ଅଧିକାରୀ ଜଣକ ଗାଡ଼ି ଅଟକାଇ ଅପେକ୍ଷା କଲେ ା ଆଲୁଅ କେତେବେଳେ ବୁଦା ଆଢ଼ୁଆଳରେ ଲୁଚିଯାଉଛି ତ କେତେବେଳେ ପୁଣି ଦୃଶ୍ୟମାନ ହେଉଛି। କିନ୍ତୁ ଆଲୁଅର ଅବତରଣ ଅବ୍ୟାହତ ରହିଛି।
ଡାହାଣୀ-ଆଲୁଅ ନୁହେଁ ତ? ଭୟଭରା ପରିବେଶ। ଶେଷରେ ଆଲୁଅ ଅଧିକାରୀଙ୍କ ନିକଟବର୍ତ୍ତୀ ହେଲା। ମଶାଲଟିଏ ଧରିଛି ଆଦିବାସୀ ବୁଢ଼ୀ। ଅଧିକାରୀଙ୍କୁ ଦେଖି ବୁଢ଼ୀ ଚମକି ପଡ଼ିଲା କି ନାହିଁ, ତାହା ସ୍ବଳ୍ପାଲୋକରେ ଜଣାଗଲା ନାହିଁ, କିନ୍ତୁ ବୁଢ଼ୀ ଅଟକିଗଲା। ଅଧିକାରୀ ଜଣକ ପଚାରିଲେ- ବୁଢ଼ୀ ମାଉସୀ! ଏତେ ରାତିରେ ଏକୁଟିଆ ଏ ପାହାଡ଼ୀ ରାସ୍ତାରେ କୁଆଡ଼େ ଯାଉଛ? ବୁଢ଼ୀ ଉତ୍ତରଦେଲା- ବାବୁ! ପାହାଡ଼ ଉପରେ ଗୋଟିଏ ଛୋଟିଆ କ୍ଷେତରେ ମୋ ପୁଅ ଚାଷ କରିଛି ା ରାତିସାରା ସେ କ୍ଷେତ ଜଗି ପଡ଼ିଥାଏ ା ମୁଁ ସବୁଦିନ ସଞ୍ଜରେ ତା’ ପାଇଁ ରାତି ଖାଇବା ନେଇକି ଯାଏ। ଆଜି ଯାଇ ଦେଖେତ ପୁଅକୁ ଜ୍ୱର। ତେଣୁ ତା’ ପାଖରେ ବସିଥିଲି। ତା’ ଦେହ ହାତରେ ସେକ ଦେଉଥିଲି। ସେଇଥିପାଇଁ ଲେଉଟିବାକୁ ଏତେ ବିଳମ୍ବ ହେଲା। ଅଧିକାରୀ ଜଣକ ପଚାରିଲେ, ଏ ନିର୍ଜନ ବଣ ପର୍ବତ ଦେଇ ଅନ୍ଧାର ରାତିରେ ଏକୁଟିଆ ଆସୁଛ, ତୁମକୁ ଡର ଲାଗୁନାହିଁ। ବୁଢ଼ୀ ପ୍ରତ୍ୟୁତ୍ତର କଲା- ଡର କାହାକୁରେ ପୁଅ? ଅଧିକାରୀ ଜଣକ କହିଲେ- ବାଘକୁ? ବୁଢ଼ୀ ତତ୍କାଳ ଉତ୍ତର ଦେଲା- ‘ବାଘକୁ କି ଡରରେ ପୁଅ! ଡର ତ ଏଇ ଦୁଇଗୋଡ଼ିଆ ମଣିଷକୁ।’ ଏତିକି କହି ବୁଢ଼ୀ ତା’ ରାସ୍ତାରେ ଚାଲିଗଲା। କିନ୍ତୁ ଆମ ସମସ୍ତଙ୍କ ପାଇଁ ଛାଡ଼ିଦେଇଗଲା ଏକ ରହସ୍ୟମୟ ଉତ୍ତର।
ପାଠକେ! ବୁଢ଼ୀର ଏଇ ଛୋଟିଆ ଉତ୍ତରଟି ବାରବାର ମୋର ହୃଦୟକୁ ଆନ୍ଦୋଳିତ କରୁଛି। ବୁଢ଼ୀଟିର ସେ ସହଜ ଉଚ୍ଚାରଣ ଭିତରେ ସତେଯେମିତି ଲୁଚିରହିଛି ଏକ ବିରାଟ ସାମାଜିକ ପଟ ପରିବର୍ତ୍ତନର ଚେତାବନୀ। କାଳକ୍ରମେ କୋରାପୁଟର ଘନ ବନସ୍ତ ଲୁପ୍ତ ହୋଇଆସୁଛି ା ବାଘମାନେ ବି ଧୀରେ ଧୀରେ ହଜିଗଲେଣି ା ଚାରିଆଡ଼େ ଛାଇ ଯାଉଛନ୍ତି ମଣିଷ, ବଣ ବଦଳରେ ସହର ବଜାର ଓ ବାଘ ବଦଳରେ ମଣିଷ। ଏଥିରେ ହୁଏତ ଦୁଃଖିତ ହେବାର ହେତୁ ନାହିଁ ବା ଅର୍ଥ ନାହିଁ, କିନ୍ତୁ ଆଶଙ୍କା ଅନ୍ୟତ୍ର- ‘ଡର ତ ଏଇ ମଣିଷକୁ’ ପର୍ଯ୍ୟବେକ୍ଷଣଟି ଭିତରେ। ଏ ସୃଷ୍ଟିରେ ସମସ୍ତେ ଦୂବଠୁ ଦାରୁଯାଏ, ଅଣୁଠୁ ପରମାଣୁ ଯାଏ, ସୃଷ୍ଟିର ନିୟମ ମାନି ଚଳନ୍ତି, କେବଳ ମଣିଷ ଛଡ଼ା। ସେଇଥିପାଇଁ ଏ କାନ ଶୁଣୁଛି- ନିଜ ଜନ୍ମକଲା ଝିଅକୁ ବଳାତ୍କାର କରୁଛି ବାପା। ଦଶ ଦୋଷ କ୍ଷମା କରିବା ପାଇଁ ଶପଥ କରିଥିବା ସ୍ବାମୀ ହତ୍ୟା କରୁଛି ସ୍ତ୍ରୀକୁ। କୁଳଦୀପକୁ ସାକ୍ଷୀ ରଖି ବାହା ହୋଇଥିବା ପତ୍ନୀ ପରକୀୟା ପ୍ରୀତିରେ ପ୍ରୀତ ହୋଇ ହତ୍ୟା କରୁଛି ପତିକୁ। ବନ୍ଧୁ ବନ୍ଧୁକୁ ଚିତାକାଟିବା ପାଇଁ ଅଧରରେ ନେସିଛି ନକଲି ହସର ପଲସ୍ତରା। ସେବା କରିବାକୁ ଶପଥ ନେଇଥିବା ଡାକ୍ତର ଚୋରି କରୁଛି ଅସହାୟ ରୋଗୀର କିଡ୍‌ନୀ। ଆଦର୍ଶର ପାଠ ପଢ଼ାଉଥିବା ଶିକ୍ଷକ/ଅଧ୍ୟାପକ ନିଜ ଝିଅ ବୟସର ଛାତ୍ରୀଙ୍କୁ ଦେଉଛନ୍ତି ଯୌନ ନିର୍ଯାତନା, ମାଗୁଛନ୍ତି ଫେଭର। ସୁରକ୍ଷା ପାଇଁ ନିୟୋଜିତ ଥିବା ପୋଲିସ ବଳାତ୍କାର କରୁଛି ଅସହାୟା ନାରୀକୁ। ରକ୍ଷକ ସାଜିଛି ଭକ୍ଷକ। ବାଡ଼ ଖାଉଛି କ୍ଷେତ। ପ୍ରତ୍ୟେକ ଦିନ ଜଳୁଛି ଜୀବନ। କେଉଁଠି ପେଟ୍ରୋଲ୍‌ ନିଅଁାରେ ତ କେଉଁଠି କାମନାର ନିଅଁାରେ। ବାଲେଶ୍ୱରରୁ ବଳଙ୍ଗା ସବୁଠି ଶବକୁ ନେଇ ରାଜନୀତି। ନିଃଶ୍ୱାସରେ ବିଷ, ବିଶ୍ୱାସରେ ବିଷ, ସତ୍ୟ ଭୂଲୁଣ୍ଠିତ ା ଧର୍ମ ବିପର୍ଯ୍ୟସ୍ତ। ମାନବିକତା ମୃତ। ସବୁଠି କେବଳ ମାରୀଚର ମାୟା। ମାୟାମୃଗର ନାଟ। କାଳନେମୀର କୁଟିଳ ଭେକ। ପୁତନା ସ୍ତନରେ ବିଷ। ସନ୍ନ୍ୟାସୀର ବେଶ ତଳେ ସବୁ ଜଘନ୍ୟ ରାବଣ।
ମନରେ ସ୍ବତଃ ପ୍ରଶ୍ନ ଉଠେ- କିଏ ତେବେ କେଉଁଠାରେ ସୁରକ୍ଷିତ? କିଏ କାହା ଉପରେ ବିଶ୍ୱାସ ରଖିବ? ଏବେ ଆମ ବିଶ୍ୱାସର ବସୁନ୍ଧରାରେ ଭୟଙ୍କର ଭୂମିକମ୍ପ। ସବୁଠି ବିଶ୍ୱାସରେ ସଙ୍କଟ। ଅବିଶ୍ୱାସର ହଳାହଳ ବିଷ। ବିଶ୍ୱାସ-ବିରହିତ ଏ ପୃଥିବୀରେ ମଣିଷ ବଞ୍ଚତ୍ବ କେମିତି? ସମଗ୍ର ବିଶ୍ୱକୁ ନିଜ ପରିବାର ମଣୁଥିବା ଏ ମାଟିରେ ନିତି ପ୍ରତି ଏଭଳି ବୀଭତ୍ସ ଘଟଣାସବୁ ଘଟୁଛି ଯେ, ସ୍ବତଃ ପାଟିରୁ ବାହାରିପଡୁଛି- ମଣିଷ ଦେଖିଲେ ଡର ଲାଗୁଛି। ଘରେ, ବାହାରେ କେଉଁଠି ବି ସୁରକ୍ଷା ନାହିଁ।
ଧୀରେ ଧୀରେ ମଣିଷ ହିଂସ୍ର ହୋଇଉଠୁଛି। ପଶୁ ପାଲଟିଯାଉଛି। ମଣିଷକୁ ପଶୁ କହିଲେ ସେ ରାଗି ଯାଉଛି। କିନ୍ତୁ ବାଘ କହିଲେ ସେ ଗର୍ବ ଅନୁଭବ କରୁଛି। ଇଏ ହେଉଛି ବିଡ଼ମ୍ବନା। ସତ୍ୟ ଯୁଗରେ ଦେବତା ଓ ଦାନବ ଭିନ୍ନ ଭିନ୍ନ ଲୋକରେ ରହୁଥିଲେ। ଯୁଗ ବଦଳିବା ସହିତ ଅବଧାରଣା ବଦଳିଲା। ତ୍ରେତୟାରେ ଦେବ ଓ ଦାନବ ଗୋଟିଏ ଲୋକରେ ରହିଲେ, ଯଥା ରାମ ଓ ରାବଣ। ଦ୍ୱାପରରେ ଦେବ ଓ ଦାନବ ଗୋଟିଏ ପରିବାରରେ ବାସ କଲେ, ଯଥା ପାଣ୍ଡବ ଓ କୌରବ। ଦୁର୍ଭାଗ୍ୟ, କଳିଯୁଗରେ ଦେବ ଓ ଦାନବ ଗୋଟିଏ ଶରୀରରେ ବାସ କରୁଛନ୍ତି। ଯେତେବେଳେ ମଣିଷ ଦେହରେ ଦେବତ୍ୱର ଜାଗରଣ ହୁଏ, ସେତେବେଳେ ମଣିଷ ଦେବତା ପାଲଟିଯାଏ। ଆଉ ଯେତେବେଳେ ଦାନବତ୍ୱର ଜାଗରଣ ହୁଏ, ମଣିଷ ସେତେବେଳେ ଅସୁର ପାଲଟିଯାଏ। ଏବେ ମଣିଷ କେଉଁ ଅବସ୍ଥାରେ ଅଛି, ତାହା ପାଠକେ ବିଚାର କରିବେ।
ଏ ପରିପ୍ରେକ୍ଷୀରେ ପଞ୍ଚତନ୍ତ୍ରରୁ କଥାଟିଏ ମଡ଼େପଡୁଛି। କୌଣସି ଏକ ସରୋବରରେ ବିଚିତ୍ର ପକ୍ଷୀଟିଏ ଥିଲା। ନଁା ତା’ର ଭାରଣ୍ଡ। ଭାରଣ୍ଡ ପକ୍ଷୀର ଥିଲା ଦୁଇଟି ମୁହଁ, ମାତ୍ର ଗୋଟିଏ ପେଟ। ଯାହା ଖାଇଲେ ସେହି ଗୋଟିଏ ପେଟକୁ ଯାଏ। ଦିନେ ପ୍ରଥମ ମୁହଁ ଅମୃତ ତୁଲ୍ୟ ଫଳଟିଏ ପାଇଲା ଓ ଖାଇବାକୁ ଆରମ୍ଭ କଲା। ଆନନ୍ଦରେ ଫଳଟିକୁ ଖାଉଥିବା ପ୍ରଥମ ମୁହଁକୁ ଦ୍ୱିତୀୟ ମୁହଁ କହିଲା- ସେ ମିଠା ଫଳରୁ ମୋତେ କିଛି ଖାଇବାକୁ ଦେ। କିନ୍ତୁ ପ୍ରଥମ ମୁହଁ ଅତି ଚତୁରତାର ସହ କହିଲା- ଯିଏ ଖାଇଲେ ବି ଏ ଫଳର ମିଠା ସେଇ ଗୋଟିଏ ପେଟକୁ ଯିବ। ଏଣୁ ତୁ ଖାଇବା କିଛି ଲୋଡ଼ା ନାହିଁ। କିଛିଦିନ ଅନ୍ତେ ଦ୍ୱିତୀୟ ମୁହଁ ବିଷ ଫଳଟିଏ ପାଇଲା ଏବଂ ଖାଇବା ଆରମ୍ଭ କଲା। ପ୍ରଥମ ମୁହଁ ଦ୍ୱିତୀୟ ମୁହଁକୁ ସେ ବିଷ ଫଳଟିକୁ ନ ଖାଇବାକୁ କହିଲା ଏବଂ ଏଥିରେ ଉଭୟଙ୍କର ଜୀବନ ଯିବ ବୋଲି ମଧ୍ୟ ବୁଝେଇଲା। ମାତ୍ର କିଛି ଲାଭ ହେଲା ନାହିଁ। ପୂର୍ବ ଅପମାନର ପ୍ରତିଶୋଧ ପାଇଁ ବାରଣ ସତ୍ତ୍ୱେ ଦ୍ୱିତୀୟ ମୁହଁ ବିଷଫଳକୁ ଭକ୍ଷଣ କଲା ଏବଂ କହିବା ବାହୁଲ୍ୟ, ଏଥିରେ ଭାରଣ୍ଡ ପକ୍ଷୀଟିର ମୃତ୍ୟୁ ହେଲା।
ଏ ଉପାଖ୍ୟାନ ପଢ଼ିଲା ପରେ ଆମେ ବୁଝିଗଲେ ଯେ, ଆଜିର ମଣିଷ ଆଉ ପାଦେ ଆଗକୁ ଯାଇ କହୁଛି- ମୁଁ ମଲେ ପଛେ ମରେ, ତୁ କିନ୍ତୁ ମର। ଏ ଆମତ୍ଘାତୀ ଚିନ୍ତାଧାରା ଏବେ ମଣିଷ ଜାତିର ବିନାଶ ଆଡ଼କୁ ବାଟ କଢ଼ାଉଛି। ମଣିଷ ଏବେ ଅମୃତ ପଛରେ ନ ଧାଇଁ ବିଷ ପଛରେ ଧାଇଁଛି। ପରିଣାମ ସମସ୍ତଙ୍କୁ ଜଣା। ବେଣୁ ଅନଳେ ବେଣୁ ଯେହ୍ନେ, ଯାଦବ ନାଶ ଗଲେ ତେହ୍ନେ। ଯଦୁବଂଶ ଧ୍ୱଂସ ଭଳି ଏ ମଣିଷ ଜାତି ଦିନେ କ’ଣ ଏମିତି ଧ୍ୱଂସ ହୋଇଯିବ? ତା’ ପୂର୍ବରୁ ଏ ମଣିଷ ଜାତି ସତର୍କ ହୋଇଯିବା ଉଚିତ୍‌।
ମଣିଷ ଅତି ମଣିଷ ନ ହେଇପାରିଲେ ନାଇଁ, ମାତ୍ର ମଣିଷ ହୋଇ ରହୁ। ଏହା ହିଁ ମଣିଷ ଜାତି ପାଖରେ ଏ ଅଧମ ଲେଖକର ଏକାନ୍ତ ପ୍ରାର୍ଥନା।

ଡ. ପବିତ୍ର ସୁବୁଦ୍ଧି

ଅବସରପ୍ରାପ୍ତ ପ୍ରାଧ୍ୟାପକ, ନୟାଗଡ଼
ମୋ: ୬୩୭୦୬୪୫୭୮୯

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।