ଭୟଙ୍କର ଦୁର୍ଘଟଣା: ବାଇକ୍କୁ ଧକ୍କାଦେଲା ବୋଲେରୋ, ପୁଣି ପଛପଟୁ ଧକ୍କାଦେଲା ଆଉ ଏକ ଟ୍ରକ୍, ତା’ପରେ…
ବଞ୍ଚୋ,୨୪ା୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ରିଙ୍ଗ ରୋଡ୍ରେ ବୁଧବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଗୋଟିଏ ବାଇକ୍କୁ ଧକ୍କାଦେବା ପରେ ବାଇକ୍ ସହ ଚାଳକ ଓ ଆରୋହୀ ରାସ୍ତା ଉପରେ ପଡ଼ିଯାଇଥିଲେ। ଏହି ସମୟରେ ପଛପଟୁ ଆସୁଥିବା ଚଳନ୍ତା ଚିପ୍ସ ବୋଝେଇ ହାଇଓ୍ବା ତଳେ ବାଇକ୍ଟି ପଶିଯାଇଥିବା ଜଣାପଡ଼ିଛି।
ଦୁର୍ଘଟଣାରେ ବାଇକ୍ରେ ଥିବା ଦୁଇଜଣ ଯୁବକ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହଯୋଗରେ ସେମାନଙ୍କୁ ଉଦ୍ଧାର କରାଯାଇ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ଚିକିତ୍ସା ଚାଲିଥିବାବେଳେ ସେମାନଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।
ଘଟଣା ଘଟାଇଥିବା ବୋଲେରୋ ଚାଳକ ଦୁର୍ଘଟଣା ପରେ ଫେରାର ହୋଇଯାଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଫେରାର ଗାଡ଼ି ଓ ଚାଳକଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଥିବା ଜଣାପଡ଼ିଛି।
ଏହି ଦୁର୍ଘଟଣା ପରେ ରିଙ୍ଗ ରୋଡ୍ରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରି ସ୍ବାଭାବିକ ଯାତାୟାତ ବ୍ୟବସ୍ଥା ଫେରାଇ ଆଣିଥିଲା।