ବୈଭବଙ୍କୁ ଟିମ୍ ଇଣ୍ଡିଆର ଡ୍ରେସିଂ ରୁମ୍ ମନା, ଦଳଠାରୁ ରହିବେ ଅଲଗା; ICCର ନିୟମକୁ ନେଇ…
ନୂଆଦିଲ୍ଲୀ,୨୪।୬: ବୈଭବ ସୂର୍ଯ୍ୟବଂଶୀ ଟିମ୍ ଇଣ୍ଡିଆ ସହିତ ଆୟରଲ୍ୟାଣ୍ଡରେ ପହଞ୍ଚି ସାରିଛନ୍ତି। ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ ପରେ ଭାରତୀୟ ଦଳକୁ ଇଂଲଣ୍ଡ ଗସ୍ତରେ ଯିବାର ଅଛି, ଯେଉଁଠାରେ ଦଳ ଦିନିକିଆ ଏବଂ ଟି-୨୦ ସିରିଜ ଖେଳିବ। ଏହି ଗସ୍ତରେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ନିଜର ଆନ୍ତର୍ଜାତୀୟ ଡେବ୍ୟୁ କରିପାରନ୍ତି। ଯଦି ଏପରି ହୁଏ, ତେବେ ସେ ସବୁଠାରୁ କମ ବୟସରେ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ଭାରତୀୟ ଖେଳାଳି ବନିଯିବେ। ହେଲେ ତାଙ୍କ ଡେବ୍ୟୁ ପୂର୍ବରୁ ଏକ ବଡ଼ ଏବଂ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବୈଭବ ସୂର୍ଯ୍ୟବଂଶୀ ଟିମ ଇଣ୍ଡିଆର ମୁଖ୍ୟ ଡ୍ରେସିଂ ରୁମ୍ରେ କପଡ଼ା ବଦଳାଇ ପାରିବେ ନାହିଁ। ବୈଭବଙ୍କୁ ଏକ ସ୍ବତନ୍ତ୍ର ଅଲଗା ଡ୍ରେସିଂ ରୁମ ଦିଆଯିବ ଏବଂ ଏହା ପଛର କାରଣ ହେଉଛି ଆଇସିସି (ICC) ଏବଂ ଇଂଲଣ୍ଡ କ୍ରିକେଟ ବୋର୍ଡ (ECB)ର ଏକ ସ୍ବତନ୍ତ୍ର ନିୟମ।
ଆଇସିସି ଏବଂ ଇଂଲଣ୍ଡ କ୍ରିକେଟ ବୋର୍ଡର ନିୟମ ରହିଛି ଯେ, ୧୬ ବର୍ଷରୁ କମ ବୟସର କୌଣସି ଖେଳାଳି ବୟସ୍କ ଖେଳାଳିମାନଙ୍କ ଚେଞ୍ଜିଂ ରୁମ ବା ଡ୍ରେସିଂ ରୁମ୍ ବ୍ୟବହାର କରିପାରିବେ ନାହିଁ। ତେଣୁ ସୂର୍ଯ୍ୟବଂଶୀଙ୍କୁ ଇଂଲଣ୍ଡର ପ୍ରତ୍ୟେକ ଷ୍ଟାଡିୟମରେ ଏକ ଅଲଗା ଚେଞ୍ଜିଂ ରୁମ ମିଳିବ, ଯେଉଁଠାରେ ତାଙ୍କ ସହିତ ତାଙ୍କର ପିତାମାତା ମଧ୍ୟ ଉପସ୍ଥିତ ରହିବେ। ବୈଭବ ସୂର୍ଯ୍ୟବଂଶୀଙ୍କୁ ଟିମ ଇଣ୍ଡିଆର ମୁଖ୍ୟ ଡ୍ରେସିଂ ରୁମ୍କୁ ଯିବା ପାଇଁ ଅନୁମତି କେବଳ ମ୍ୟାଚ୍ ଚାଲିଥିବା ସମୟରେ ଏବଂ ଟିମ୍ ମିଟିଂ ସମୟରେ ହିଁ ମିଳିବ।
ସୂଚନାଯୋଗ୍ୟ, ଇଂଲଣ୍ଡର କ୍ରୀଡ଼ା ଜଗତରେ ଏହି ନିୟମକୁ ଅତି କଡ଼ାକଡ଼ି ଭାବେ ପାଳନ କରାଯାଏ। ଫୁଟବଲ କ୍ଲବ ଆର୍ସେନାଲ୍ର ଖେଳାଳି ମ୍ୟାକ୍ସ ଡୋମ୍ୟାନ୍ଙ୍କ ମଧ୍ୟ ଗତ ସିଜିନ ପର୍ଯ୍ୟନ୍ତ ଅଲଗା ଚେଞ୍ଜିଂ ରୁମ ଦିଆଯାଉଥିଲା। ଯେତେବେଳେ ସେ ୨୦୨୫ ଡିସେମ୍ବରରେ ୧୬ ବର୍ଷର ହେଲେ, ସେତେବେଳେ ତାଙ୍କୁ ବାକି ସାଥୀ ଖେଳାଳିଙ୍କ ସହ ଡ୍ରେସିଂ ରୁମ ବ୍ୟବହାର କରିବାକୁ ଅନୁମତି ମିଳିଥିଲା। ବୈଭବ ସୂର୍ଯ୍ୟବଂଶୀଙ୍କ କ୍ଷେତ୍ରରେ ମଧ୍ୟ ସମାନ ନିୟମ ଲାଗୁ ହେବ ବୋଲି ଇସିବି (ECB)ର ଜଣେ ଅଧିକାରୀ ସ୍ପଷ୍ଟ କରିଛନ୍ତି।
’ଦି ଗାର୍ଡିଆନ’ ସହ କଥାବାର୍ତ୍ତା ବେଳେ ଇସିବି ପକ୍ଷରୁ କୁହାଯାଇଛି ଯେ, ଇଂଲଣ୍ଡରେ ଏହି ନିୟମ ବାଧ୍ୟତାମୂଳକ। ସମ୍ପୂର୍ଣ୍ଣ ଗସ୍ତ ସମୟରେ ବୈଭବଙ୍କୁ ତାଙ୍କ ପରିବାର ସହ ହିଁ ରହିବାକୁ ପଡ଼ିବ ଏବଂ ସେମାନେ ଏକାଠି ଗୋଟିଏ ହୋଟେଲ ବା ଗୋଟିଏ ରୁମ୍ରେ ରହିପାରନ୍ତି।
ବୈଭବ ସୂର୍ଯ୍ୟବଂଶୀଙ୍କୁ ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରଜ୍ରେ ସୁଯୋଗ ମିଳୁ କି ନ ମିଳୁ, କିନ୍ତୁ ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ୫ଟି ମ୍ୟାଚ୍ର ଟି-୨୦ ସିରିଜ୍ରେ ସେ ନିଶ୍ଚିତ ଭାବେ ଡେବ୍ୟୁ କରିପାରନ୍ତି। ସେ ଭାରତୀୟ ଦଳରେ ସାମିଲ ହେବା ପରଠାରୁ ଇଂଲଣ୍ଡ କ୍ରିକେଟ ମହଲରେ ତାଙ୍କୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ଇଂଲଣ୍ଡର ଅନେକ କ୍ରିକେଟର ମଧ୍ୟ ବୈଭବ ସୂର୍ଯ୍ୟବଂଶୀଙ୍କର ଏହି ଅସାଧାରଣ ପ୍ରତିଭାକୁ ନିଜ ଆଖିରେ ମଇଦାନରେ ଦେଖିବା ପାଇଁ ବେଶ ଉତ୍ସାହିତ ଅଛନ୍ତି।