ବେଲଘର ବନବିଭାଗର ଚଢ଼ାଉ; ୨ ଶିକାରୀଙ୍କୁ ମାଡ଼ି ବସିଲା ପେଟ୍ରୋଲିଂ ଟିମ୍

Jul 13, 2026 - 17:05
ବେଲଘର ବନବିଭାଗର ଚଢ଼ାଉ; ୨ ଶିକାରୀଙ୍କୁ ମାଡ଼ି ବସିଲା ପେଟ୍ରୋଲିଂ ଟିମ୍

ତୁମୁଡ଼ିବନ୍ଧ, ୧୪।୭ (ଦୀପକ କୁମାର ପାରସେଠ): କନ୍ଧମାଳ ଜିଲାର ବେଲଘର ବନାଞ୍ଚଳରେ ବନବିଭାଗ ପକ୍ଷରୁ କରାଯାଇଥିବା ରାତିର  ପାଟ୍ରୋଲିଂ ବେଳେ ୨ ଜଣ ଶିକାରୀଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ୨ଟି ଦେଶୀ ବନ୍ଧୁକ ସମେତ ବିଭିନ୍ନ ଶିକାର ସାମଗ୍ରୀ ଜବତ କରାଯାଇଛି। ଗିରଫ ଶିକାରୀମାନେ ହେଲେ ଝିରିପାଣି ପଞ୍ଚାୟତ ଅନ୍ତର୍ଗତ ଦେଶୁଘାଟି ଗ୍ରାମର ସୁରେନ୍ଦ୍ର ଯାନୀ (୨୭) ଓ ଉପେନ୍ଦ୍ର ଯାନୀ (୪୦)।

ସୂଚନା ଅନୁଯାୟୀ, କିଛିଦିନ ପୂର୍ବରୁ ବେଲଘର ବନାଞ୍ଚଳରେ  ଦୁଇଟି ହାତୀର ମୃତ୍ୟୁ ଘଟଣା ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିଲା।  ପରେ ବାଲିଗୁଡ଼ା ବନଖଣ୍ଡ ଅଧୀନ ସମସ୍ତ ବନାଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ବର୍ତ୍ତମାନ ହାତୀଙ୍କ ଚଳପ୍ରଚଳକୁ ଦୃଷ୍ଟିରେ ରଖି ବେଲଘର ବନବିଭାଗ ପକ୍ଷରୁ ଦିବାରାତ୍ର ପାଟ୍ରୋଲିଂ ଜୋରଦାର କରାଯାଇଛି।

ଏହି କ୍ରମରେ ଗତ ରବିବାର ବିଳମ୍ବିତ ରାତିରେ ପେଟ୍ରୋଲିଂ ବେଳେ ଝିରିପାଣି ପଞ୍ଚାୟତର ଦେଶୁଘାଟି ଛକ ନିକଟରେ ଜଙ୍ଗଲରୁ ଶିକାର କରି ଫେରୁଥିବା ସମୟରେ ଦୁଇ ଶିକାରୀ ବନବିଭାଗର ପେଟ୍ରୋଲିଂ ଟିମ୍ ହାବୁଡ଼ରେ ପଡ଼ିଥିଲେ। ବନ କର୍ମଚାରୀମାନେ ସେମାନଙ୍କୁ କାବୁ କରି ଗିରଫ କରିଥିଲେ।

ସେମାନଙ୍କ ନିକଟରୁ ୨ଟି ଦେଶୀ ବନ୍ଧୁକ, ୨ଟି ଗୁଳି (ସେଥିମଧ୍ୟରୁ ଗୋଟିଏ ଜୀବନ୍ତ), ୩୦ ଗ୍ରାମ ଶିସାରେ ତିଆରି ୪ଟି ଗୁଳି, ୪୬ ଗ୍ରାମ ବାରୁଦ, ୨ଟି ହେଡ୍‌ଲାଇଟ୍‌ ସହ ଅନ୍ୟାନ୍ୟ ଶିକାର ସାମଗ୍ରୀ ଜବତ କରାଯାଇଛି।

ବେଲଘର ବନାଞ୍ଚଳ ଅଧିକାରୀ ରଜନୀକାନ୍ତ ମେହେର ସୂଚନା ଦେଇଛନ୍ତି ଯେ, OR No. 14/2026-27 ମାମଲା ରୁଜୁ କରାଯାଇ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସୋମବାର ସେମାନଙ୍କୁ ତୁମୁଡ଼ିବନ୍ଧ ଅଦାଲତରେ ହାଜର କରାଯାଇ କୋର୍ଟଚାଲାଣ କରାଯାଇଥିବା ସେ ପ୍ରକାଶ କରିଛନ୍ତି।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।