ବିଶ୍ୱକପ ଜିତିଲେ ମିଳିବ ଦୁଇଗୁଣା ପୁରସ୍କାର: ପ୍ରଥମ ଥର ପାଇଁ ବିଜେତାଙ୍କୁ ମେଡାଲ ସହ ମିଳିବ…

Jul 18, 2026 - 10:57
ବିଶ୍ୱକପ ଜିତିଲେ ମିଳିବ ଦୁଇଗୁଣା ପୁରସ୍କାର:  ପ୍ରଥମ ଥର ପାଇଁ ବିଜେତାଙ୍କୁ ମେଡାଲ ସହ ମିଳିବ…

ନ୍ୟୁୟର୍କ,୧୮ା୭ ଫିଫା ବିଶ୍ୱକପ୍‌ ଇତିହାସରେ ପ୍ରଥମ ଥର ପାଇଁ ଚଳିତ ସଂସ୍କରଣର ବିଶ୍ୱ ଚାମ୍ପିୟନ ଦଳର ସମସ୍ତ ସଦସ୍ୟଙ୍କୁ ବ୍ୟକ୍ତିଗତ ଭାବେ ସ୍ବତନ୍ତ୍ର ସ୍ମାରକୀ ମୁଦି ପ୍ରଦାନ କରାଯିବ। ଫିଫାର ୱେବ୍‌ସାଇଟ୍‌ ଅନୁଯାୟୀ, ଆମେରିକାର ପ୍ରସିଦ୍ଧ ବ୍ୟବସାୟିକ କ୍ରୀଡ଼ା ଲିଗ୍‌ (ଯେପରିକି ଏନ୍‌ବିଏ, ଏନ୍‌ଏଫ୍‌ଏଲ୍‌ ଏବଂ ଏମ୍‌ଏଲ୍‌ବି)ର ପରମ୍ପରା ଆଧାରରେ ଫିଫା ଏହି ଅଭିନବ ପଦକ୍ଷେପ ଗ୍ରହଣ କରିଛି। ହାତରେ ତିଆରି ହୋଇଥିବା ଏହି ଆକର୍ଷଣୀୟ ମୁଦିର ଗୋଟିଏ ପଟେ ବିଶ୍ୱକପ ଟ୍ରଫି ଏବଂ ଅନ୍ୟ ପଟେ ବିଜେତା ଦଳର ସରକାରୀ ପ୍ରତୀକ ଖୋଦିତ ହୋଇରହିବ।
ବିଶ୍ୱକପ୍‌ ବିଜେତା ଦଳକୁ ୩୦ଟି ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ମୁଦି ଦିଆଯିବ। ସେହିପରି ବିଶ୍ୱବ୍ୟାପୀ ଫୁଟ୍‌ବଲ୍‌ ପ୍ରେମୀଙ୍କ ପାଇଁ ୨୦୨୬ ଫିଫା ବିଶ୍ୱକପ୍‌ର ଅଫିସିଆଲ୍‌ ମର୍ଚ୍ଚାଣ୍ଡାଇଜ୍‌ ଭାବେ ଅନ୍ୟ ୧,୯୯୬ଟି ମୁଦି ବିକ୍ରି ପାଇଁ ବଜାରକୁ ଛଡ଼ାଯିବ। ପ୍ରତ୍ୟେକ ମୁଦିରେ ଏକ ସ୍ବତନ୍ତ୍ର ସିରିଏଲ ନମ୍ବର ରହିବ, ତେବେ ଏହାର ମୂଲ୍ୟ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ। ଆସନ୍ତା ଜୁଲାଇ ୧୯ରେ ହେବାକୁ ଥିବା ଫାଇନାଲ ମ୍ୟାଚ ଶେଷ ହେବା ମାତ୍ରେ ବିଜେତା ଦଳର ଅଧିନାୟକ ଏବଂ ମୁଖ୍ୟ ପ୍ରଶିକ୍ଷକଙ୍କୁ ଏକ ଅସ୍ଥାୟୀ ମୁଦି ପ୍ରଦାନ କରାଯିବ। ପରବର୍ତ୍ତୀ ସମୟରେ ଦଳର ସମସ୍ତ ଖେଳାଳିଙ୍କ ଆଙ୍ଗୁଠିର ମାପ ଅନୁଯାୟୀ ସେମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ତିଆରି ହୋଇଥିବା ମୁଦି ହସ୍ତାନ୍ତର କରାଯିବ।ଚଳିତ ବର୍ଷ ବିଶ୍ୱ ଚାମ୍ପିୟନ ହେବାକୁ ଥିବା ଦଳ କେବଳ ସ୍ମାରକୀ ମୁଦି ନୁହେଁ, ବରଂ ବିପୁଳ ପରିମାଣର ପୁରସ୍କାର ରାଶି ମଧ୍ୟ ପାଇବେ। ଫିଫା ଚଳିତ ବିଶ୍ୱକପ୍‌ ପାଇଁ ସାମଗ୍ରିକ ପୁରସ୍କାର ଅର୍ଥକୁ ସର୍ବକାଳୀନ ରେକର୍ଡ ୧.୨୫ ବିଲିୟନ ଆମେରିକୀୟ ଡଲାରକୁ ବୃଦ୍ଧି କରିଛି। ଏଥିମଧ୍ୟରୁ କେବଳ ଟୁର୍ନାମେଣ୍ଟର ମୁଖ୍ୟ ବିଜେତା ଦଳକୁ ୫୦ ମିଲିୟନ ଡଲାର (ପ୍ରାୟ ୪୧୫ କୋଟିରୁ ଅଧିକ ଭାରତୀୟ ଟଙ୍କା)ର ନଗଦ ପୁରସ୍କାର ମିଳିବ, ଯେଉଁଥିରେ ପ୍ରତି ମ୍ୟାଚ୍‌ ବିଜୟର ବୋନସ ରାଶି ସାମିଲ ହୋଇନାହିଁ। ଗତ ଜୁନ୍‌ ୧୧ରୁ ଆରମ୍ଭ ହୋଇଥିବା ଏହି ୨୩ତମ ଫିଫା ବିଶ୍ୱକପ୍‌ ଅନେକ ଦୃଷ୍ଟିରୁ ସ୍ମରଣୀୟ ହୋଇଛି। ପ୍ରଥମ ଥର ପାଇଁ ଏହି ଟୁର୍ନାମେଣ୍ଟ ୩ଟି ଦେଶ ଆମେରିକା, କାନାଡା ଏବଂ ମେକ୍ସିକୋ ଦ୍ୱାରା ଯୌଥ ଭାବେ ଆୟୋଜିତ ହେଉଛି ଏବଂ ଏଥିରେ ପ୍ରଥମ ଥର ପାଇଁ ୪୮ଟି ଜାତୀୟ ଦଳ ଭାଗ ନେଇଛନ୍ତି। ଗ୍ରୁପ୍‌ ପର୍ଯ୍ୟାୟ ଏବଂ ନକ୍‌ଆଉଟ୍‌ ମ୍ୟାଚ୍‌ରେ ରୋମାଞ୍ଚକର ଲଢ଼େଇ ପରେ ଚଳିତ ସଂସ୍କରଣର ଦୁଇ ଶ୍ରେଷ୍ଠ ଦଳ ଭାବେ ସ୍ପେନ୍‌ ଏବଂ ଆର୍ଜେଣ୍ଟିନା ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଆସନ୍ତା ଜୁଲାଇ ୧୯ରେ ନ୍ୟୁୟର୍କରେ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ତୃତୀୟ ସ୍ଥାନ ପାଇଁ ଜୁଲାଇ ୧୮ରେ ଫ୍ରାନ୍ସ ଏବଂ ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବ।

Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।