ବିପଦ ସାଜିଛି ସୁଇଚ୍‌ ଭାଲ ଚାମ୍ବର: ପଥଚାରୀଙ୍କ ପାଇଁ ବିପଦ

Jul 07, 2026 - 08:40

ଥୁଆମୂଳ ରାମପୁର, ୭ା୭ (ଦୁର୍ଗା କୀର୍ତ୍ତି):ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ବସୁଧା ଜଳଯୋଗାଣ ଯୋଜନାର ମୁକୁଳା ସୁଇଚ୍‌ ଭାଲ ଚାମ୍ବର ପଥଚାରୀଙ୍କ ପାଇଁ ବିପଦ ସାଜିଛି। ସୋମବାର ଏହି ଗାତ ଭିତରେ ଏକ ଗାଡ଼ି ଗଳିପଡିଥିବାବେଳେ ଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସୂଚନା ଅନୁସାରେ, ପାନୀୟ ଜଳ ଯୋଗାଣ ପାଇଁ ଭବାନୀପାଟଣା-ଥୁଆମୂଳ ରାମପୁର ମୁଖ୍ୟ ରାସ୍ତା କଡ଼ରେ ପାଇପ୍‌ଲାଇନ ସହ ଚାମ୍ବର ନିର୍ମାଣ କରାଯାଇଛି। ପୂର୍ବରୁ ଏହି ସୁଇଚ୍‌ ଭାଲ ଚାମ୍ବରଗୁଡ଼ିକ ରାସ୍ତା କଡ଼ରେ ଥିଲା। ସମ୍ପ୍ରତି ରାସ୍ତା ଓସାରିଆ ହେବା ପରେ ଚାମ୍ବରଗୁଡ଼ିକୁ ସ୍ଥାନାନ୍ତର କରାଯାଇ ନାହିଁ। ଫଳରେ ଏହା ମୁଖ୍ୟ ପିଚୁ ରାସ୍ତାର ଅତି ନିକଟକୁ ଚାଲିଆସିଛି, ଯାହା ନିତିଦିନିଆ ଦୁର୍ଘଟଣାର କାରଣ ସାଜିଛି। ସୋମବାର ଏକ କାର୍‌ କଲମପୁର ଛକ ଦେଇ ଯାଉଥିବା ସମୟରେ ଚାଳକ ରାସ୍ତା ସ୍ଥିତି ବିଷୟରେ ଅବଗତ ନ ଥିବାରୁ ମୁକୁଳା ଚାମ୍ବର ଭିତରକୁ ଗାଡ଼ିର ଚକ ଗଳି ପଡ଼ିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଗାଡ଼ିକୁ ଉଦ୍ଧାର କରାଯାଇଥିଲା। ଏହାର କିଛି ସମୟ ପରେ ସେହି କାର୍‌ ଚାଳକ ଫେରୁଥିବା ବେଳେ ପଞ୍ଚାୟତ ଛକସ୍ଥିତ ଆଇସିଡିଏସ୍‌ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଆଉ ଏକ ମୁକୁଳା ଚାମ୍ବର ଭିତରେ ପୁଣି ଥରେ ଗଳି ପଡ଼ିଥିଲେ। ସେଠାରେ ମଧ୍ୟ ସ୍ଥାନୀୟ ବାସିନ୍ଦା ଗାଡ଼ିକୁ ଠେଲି ଅତି କଷ୍ଟରେ ବାହାର କରିଥିଲେ। ଭାଗ୍ୟବଶତଃ ଏଥିରେ କାହାରି କ୍ଷତି ଘଟିନାହିଁ। ରାତ୍ରି ସମୟରେ ଏହି ଗାତଗୁଡ଼ିକ ଦୃଶ୍ୟମାନ ହେଉ ନ ଥିବାରୁ ପୂର୍ବରୁ ଅନେକ ପଥଚାରୀ ଓ ଗୋରୁ ଏଥିରେ ପଡ଼ି ଆହତ ହୋଇଛନ୍ତି। ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଏବଂ ରାସ୍ତା ନିର୍ମାଣକାରୀ ସଂସ୍ଥା ମଧ୍ୟରେ ସମନ୍ବୟ ଅଭାବ ଯୋଗୁ ଏହି ସମସ୍ୟା ଲାଗିରହିଛି। ପ୍ରଶାସନ ତୁରନ୍ତ ଏହାର ସ୍ଥାୟୀ ପ୍ରତିକାର କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

 

Dharitri – Odisha’s No.1 Odia Daily

 

The post ବିପଦ ସାଜିଛି ସୁଇଚ୍‌ ଭାଲ ଚାମ୍ବର: ପଥଚାରୀଙ୍କ ପାଇଁ ବିପଦ appeared first on Dharitri Odia News.

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।