ବସ୍ତରେନ ମାଉଲିଙ୍କ ଆଷାଢ଼ କେନା ମଣ୍ଡେଇ ଯାତ୍ରା: କଣ୍ଟା ଦୋଳିରେ ଝୁଲିଲେ କାଲିସି, ହଜାର ହଜାର…

Jul 31, 2026 - 20:28
ବସ୍ତରେନ ମାଉଲିଙ୍କ ଆଷାଢ଼ କେନା ମଣ୍ଡେଇ ଯାତ୍ରା: କଣ୍ଟା ଦୋଳିରେ ଝୁଲିଲେ କାଲିସି, ହଜାର ହଜାର…

କୋକସରା, ୩୧।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମର ଆରାଧ୍ୟ ଦେବୀ ମା’ ବସ୍ତରେନ ମାଉଲିଙ୍କ ବାର୍ଷିକ ଆଷାଢ଼ କେନା ମଣ୍ଡେଇ ଯାତ୍ରା ଶୁକ୍ରବାର ଅତ୍ୟନ୍ତ ଉତ୍ସାହ ଓ ଭକ୍ତିଭାବ ସହକାରେ ଅନୁଷ୍ଠିତ ହୋଇଯାଇଛି। ପୁରୁଷାନୁକ୍ରମେ ପ୍ରତିବର୍ଷ ବାହୁଡ଼ା ଯାତ୍ରା ପରେ ପଡ଼ୁଥିବା ଶୁକ୍ରବାର ଦିନ ଏହି ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଆସୁଛି। ମା’ ବସ୍ତରେନଙ୍କ ମୂଳପୀଠ ଛତିଶଗଡ଼ ରାଜ୍ୟର ଦନ୍ତେୱାଡ଼ା ହୋଇଥିବାବେଳେ ସେଠାରୁ ମା’ଙ୍କୁ ଆଣି ଏଠାରେ ସ୍ଥାପନ କରାଯାଇଛି। ପ୍ରାଚୀନ ନାଗବଂଶୀ ରାଜାଙ୍କ ସମୟରୁ ଏହି ଯାତ୍ରାକୁ ଆଷାଢ଼ କେନା ମଣ୍ଡେଇ ଭାବେ ପାଳନ କରାଯାଉଛି।

ଆଷାଢ଼ ମାସ ପ୍ରାରମ୍ଭରେ ଚାଷୀମାନେ ଜମିରେ ବିହୁଡ଼ା ଓ ରୁଆ ପ୍ରସ୍ତୁତି ଆରମ୍ଭ କରନ୍ତି। ପରମ୍ପରା ରହିଛି ଯେ ଏହି ମଣ୍ଡେଇ ଯାତ୍ରା ସମ୍ପନ୍ନ ହେବା ପରେ ହିଁ ଏହି ଅଞ୍ଚଳର ଚାଷୀମାନେ ଜମିରେ ଘାସବଛା, ବିହୁଡ଼ା ଓ ରୁଆ କାର୍ଯ୍ୟ ଆରମ୍ଭ କରିଥାନ୍ତି। ଶୁକ୍ରବାର ସକାଳୁ ଗ୍ରାମର ଗୌନ୍ତିଆ ଚୁମନ ପାତ୍ର ଓ ପୂଜକ ଚିତ୍ରସେନ ମାଝୀଙ୍କ ଘରୁ ପୂଜା ସାମଗ୍ରୀ, ଦେବୀଙ୍କ ଲାଠି ଏବଂ କାଳିସୀ ବାଜା ବଜାଇ ଏକ ଭବ୍ୟ ଶୋଭାଯାତ୍ରାରେ ଦେବୀପୀଠକୁ ପହଞ୍ଚିଥିଲେ। ଏହାପରେ ଆମପାଣି ଗ୍ରାମରୁ ବୁଢ଼ାରଜା, ଡେଙ୍ଗାଗୁଡ଼ାରୁ ହିଙ୍ଗୁଲା, ମାଝିଗୁଡ଼ାରୁ ବରସାଲ ମାଝି ସହ ଠାକୁରାଣି, ଲଙ୍କେଶ୍ୱରୀ ଓ ଦ୍ଵାରସିନୀ ଦେବୀଙ୍କ ଲାଠି ଏବଂ କାଳିସୀମାନେ ମଧ୍ୟ ଦେବୀପୀଠରେ ପହଞ୍ଚିଥିଲେ।

ପୀଠରେ ବିଧିବଦ୍ଧ ପୂଜାର୍ଚ୍ଚନା କରାଯିବା ପରେ ଦେବୀମାନଙ୍କର ମଣ୍ଡେଇ ହାଟ ପରିକ୍ରମା ଆରମ୍ଭ ହୋଇଥିଲା। ଏହି ଯାତ୍ରାରେ ସାମିଲ ହୋଇଥିବା ସମସ୍ତ ଦେବାଦେବୀ ଏକତ୍ର ହୋଇ ମଣ୍ଡେଇ ହାଟକୁ ୩ ଥର ପରିକ୍ରମା କରି ପୁନର୍ବାର ଦେବୀପୀଠକୁ ଫେରିଆସିଥିଲେ। ଦେବୀମାନଙ୍କ ପରିକ୍ରମା ସମୟରେ ଶହ ଶହ ମହିଳା ଓ ପୁରୁଷ ଭକ୍ତ ବାଟ ଓଗାଳି ନିଜ ନିଜର ମାନସିକ ଜଣାଇଥିଲେ। ସେହି ସମୟରେ କାଳିସୀମାନେ ହାତରେ ଧରିଥିବା ବିନ୍ତି (ଦେବୀଙ୍କ ଚାଉଳ) ଭକ୍ଷଣ କରିବାକୁ କହି ଭକ୍ତମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।

ଏହି ଯାତ୍ରାର ଆକର୍ଷଣୀୟ ପର୍ବ ଭାବେ କାଳିସୀଙ୍କ ସହ ଗ୍ରାମର ଗୌନ୍ତିଆ, ପୂଜକ, ଗ୍ରାମରକ୍ଷୀ, ଲାଠି ବୋହିଥିବା ବ୍ୟକ୍ତିଙ୍କ ସମେତ ୧୦ରୁ ୧୫ ଜଣରୁ ଊର୍ଦ୍ଧ୍ୱ ବ୍ୟକ୍ତି କଣ୍ଟା ଦୋଳିରେ ଝୁଲି ଭକ୍ତ ଓ ଦର୍ଶକମାନଙ୍କୁ ବିଭୋର କରିଥିଲେ। ମାନସିକ କରିଥିବା ଭକ୍ତମାନେ ନିଜର ମାନସିକ ପୂରଣ ହେତୁ କୁକୁଡ଼ା, ପାରା, ବୋଦା ଆଦି ବଳି ଦେଇଥିବାବେଳେ ଅଧିକାଂଶ ଭକ୍ତ ନଡ଼ିଆ ଚଢ଼ାଇ ପୂଜାର୍ଚ୍ଚନା କରି ଆଶୀର୍ବାଦ ଗ୍ରହଣ କରିଥିଲେ।

ମଣ୍ଡେଇ ଯାତ୍ରାର ସମସ୍ତ ପୂଜାକାର୍ଯ୍ୟ ପୂଜକ ଚିତ୍ରସେନ ମାଝୀଙ୍କ ନେତୃତ୍ୱରେ ସମ୍ପନ୍ନ ହୋଇଥିଲା। ଏଥିରେ ଟେମରା ଗ୍ରାମର ସରପଞ୍ଚ କ୍ଷିତିରାମ ପାତ୍ର, କମିଟି ସଭାପତି ପଦ୍ମଲୋଚନ ଦଳପତି, ସମ୍ପାଦକ ମହାଦେବ ବେଶ୍ରା, ସୁଧିର କୁମାର ପାତ୍ର, ସୁଦାମ ପୁଝାରୀ, ଚକାଡୋଳା ପାତ୍ର, ଅଭିରାମ ଲଦୁଆ, ହେମନ୍ତ ବାଣୁଆ, ଅଶୋକ କୁମାର ଦାସ, ରାଜେନ୍ଦ୍ର ନାଏକ, ମିନକେତନ ସାହୁ, ଦୁଷ୍ମନ୍ତ କୁମାର ପାତ୍ର, ଟୋପେଶ୍ୱର ମାଝୀ, ଗୋପିନାଥ ସୁନାନୀ, ବୃନ୍ଦାବନ ସତନାମୀ, କମଣ୍ଡଳ ପଟେଲ, ବିପିନ ଦଳପତି, ଲଳିତ ସତନାମୀ ପ୍ରମୁଖଙ୍କ ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ। ଏହି ମଣ୍ଡେଇ ଯାତ୍ରାରେ ବିଭିନ୍ନ ଗ୍ରାମ ଓ ଅଞ୍ଚଳରୁ ୧୦ ହଜାରରୁ ଊର୍ଦ୍ଧ୍ୱ ଭକ୍ତ ଓ ଦର୍ଶକଙ୍କ ସମାଗମ ହୋଇଥିଲା। ଯାତ୍ରା ସମୟରେ କୋକସରା ଥାନା ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ କର୍ମଚାରୀ ନିୟୋଜିତ ହୋଇଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।