ବଦଳିଲା ଦେଶ ବିଭାଜନ ଇତିହାସ, ବାଦ୍‌ ପଡ଼ିଲେ ହିଟ୍‌ଲର

Jul 09, 2026 - 08:46
ବଦଳିଲା ଦେଶ ବିଭାଜନ ଇତିହାସ, ବାଦ୍‌ ପଡ଼ିଲେ ହିଟ୍‌ଲର

ନୂଆଦିଲ୍ଲୀ,୯ା୭ (ପି.ଟି.):ପୁରୁଣା ବହିରେ ଉଲ୍ଲେଖ ଥିଲା ଯେ ମହାତ୍ମା ଗାନ୍ଧୀ ଏବଂ କଂଗ୍ରେସ ନେତାମାନେ ବିଭାଜନକୁ ବିରୋଧ କରୁଥିଲେ ମଧ୍ୟ ଶେଷରେ ଏହାକୁ ଏକମାତ୍ର ବିକଳ୍ପ ଭାବେ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲେ। ନୂତନ ସଂଶୋଧିତ ‘ଇଣ୍ଡିଆଜ୍‌ ଲଙ୍ଗ୍‌ ରୋଡ୍‌ ଟୁ ଇଣ୍ଡିପେଣ୍ଡେନ୍ସ’ ଅଧ୍ୟାୟରେ ଏହି ଧାଡ଼ିକୁ ବଦଳାଇ ଲେଖାଯାଇଛି ଯେ, ‘କଂଗ୍ରେସ ନେତାମାନେ ସେତେବେଳେ ଅସହାୟ ଥିଲେ ବୋଲି କହିବା ଭୁଲ୍‌ ଏବଂ ବିଭାଜନକୁ ସ୍ବୀକାର କରିବା ହିଁ ଏକମାତ୍ର ରାସ୍ତା ଥିଲା କି ନାହିଁ, ତାହା ଏବେ ବି ଏକ ବିତର୍କର ବିଷୟ।’ ଅନ୍ୟପକ୍ଷରେ ସ୍ବାଧୀନତା ସଂଗ୍ରାମ ଇତିହାସରେ ୧୯୨୫ ମସିହାରେ ସବରକରଙ୍କ ଦ୍ୱାରା କରାଯାଇଥିବା ‘ସ୍ବରାଜ’ ଦାବିର ପ୍ରସଙ୍ଗକୁ ଏହି ଅଧ୍ୟାୟରେ ବିସ୍ତୃତ ଭାବେ ସାମିଲ କରାଯାଇଛି। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସମ୍ପର୍କିତ ପ୍ରସଙ୍ଗରୁ ହିଟ୍‌ଲର ଏବଂ ନାଜି ଶାସନର ନାମ ହଟାଇ ଦିଆଯାଇଛି। ପୁରୁଣା ବହିରେ ହିଟ୍‌ଲରଙ୍କୁ ଜଣେ କ୍ରୂର ଏକଚ୍ଛତ୍ରବାଦୀ ଶାସକ କୁହାଯାଇଥିବାବେଳେ ସଂଶୋଧିତ ବହିରେ କେବଳ ଲେଖାଯାଇଛି ଯେ ‘ନେତାଜୀ ବ୍ରିଟିଶ-ବିରୋଧୀ ଶକ୍ତିଗୁଡ଼ିକଠାରୁ ସହାୟତା ଲୋଡ଼ିଥିଲେ’।
ଗତ ଫେବୃଆରୀରେ ଅଷ୍ଟମ ଶ୍ରେଣୀ ବହିରେ ‘ନ୍ୟାୟପାଳିକାରେ ଦୁର୍ନୀତି’ ଏବଂ କୋର୍ଟର ବିଚାରାଧୀନ ମାମଲାକୁ ନେଇ ଆପତ୍ତିଜନକ ବିଷୟବସ୍ତୁ ପ୍ରକାଶ ପାଇବା ପରେ ସୁପ୍ରିମକୋର୍ଟ ଏହା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଥିଲେ। କୋର୍ଟଙ୍କ ୨୦୨୬ ସ୍ବତଃପ୍ରବୃତ୍ତ ଜନସ୍ବାର୍ଥ ମାମଲାର ନିର୍ଦ୍ଦେଶକ୍ରମେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଏକ ବିଶେଷଜ୍ଞ କମିଟି ଦ୍ୱାରା ‘ନ୍ୟାୟପାଳିକାର ଭୂମିକା’ ଅଧ୍ୟାୟକୁ ସମ୍ପୂର୍ଣ୍ଣ ରୂପେ ପୁନର୍ବାର ଲେଖାଯାଇଛି। ଏହି ବିବାଦ ପରେ ବହି ପ୍ରସ୍ତୁତ କରୁଥିବା ୫୧ ଜଣିଆ ବିଶେଷଜ୍ଞ ଟିମ୍‌ରୁ ୩ ଜଣ ପ୍ରମୁଖ ସଦସ୍ୟ ମାଇକେଲ ଡାନିନୋ, ସୁପର୍ଣ୍ଣା ଦିୱାକର ଏବଂ ଆଲୋକ ପ୍ରସନ୍ନ କୁମାରଙ୍କୁ ବାଦ୍‌ ଦିଆଯାଇଛି ଏବଂ ଏବେ କମିଟି ସଦସ୍ୟ ସଂଖ୍ୟା ୪୮କୁ ହ୍ରାସ ପାଇଛି।
‘ନାଗରିକତା: ଅଧିକାର ଏବଂ କର୍ତ୍ତବ୍ୟ’ ଅଧ୍ୟାୟରେ ଏକ ପ୍ରମୁଖ ସାମାଜିକ ପରିବର୍ତ୍ତନ କରାଯାଇଛି। ଜାତି, ଧର୍ମ, ଲିଙ୍ଗ ଓ ବର୍ଣ୍ଣ ଭଳି ପାରମ୍ପରିକ ଆଧାର ସହ ଏବେ ‘ଆର୍ଥିକ ପୃଷ୍ଠଭୂମି’ (ଇକୋନୋମିକ୍‌ ବ୍ୟାକ୍‌ଗ୍ରାଉଣ୍ଡ୍‌)କୁ ମଧ୍ୟ ପାତରଅନ୍ତରର ଏକ କାରଣ ଭାବେ ଦର୍ଶାଯାଇ ଏହାକୁ ଆଇନଗତ ଭାବେ ନିଷେଧ କରାଯାଇଛି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ୨୦୨୬ ସମାନତା ନିୟମାବଳୀକୁ ନେଇ ଚାଲିଥିବା ଦେଶବ୍ୟାପୀ ବିତର୍କ ମଧ୍ୟରେ ଏହି ଶିକ୍ଷାଗତ ସଂଶୋଧନ କରାଯାଇଛି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।