ବଢ଼ୁଛି ସହରୀକରଣ: ୨୧୦୦ ସୁଦ୍ଧା ୩୮% ଲୋକ ବଡ଼ ସହରରେ କରିବେ ବାସ
ନୂଆଦିଲ୍ଲୀ,୧।୭ (ପିଟି):ସମୟର ତାଳେ ତାଳେ ସାରା ବିଶ୍ୱରେ ସହରୀକରଣ ବୃଦ୍ଧି ପାଇବାରେ ଲାଗିଛି। ଆଉ ଏହି ଧାରା ଜାରି ରହିଲେ ୨୧୦୦ ମସିହା ସୁଦ୍ଧା ୩୮% ଲୋକ ବଡ଼ ବଡ଼ ସହରଗୁଡ଼ିକରେ ବାସ କରିବେ ବୋଲି ଜଣାପଡ଼ିଛି। ୧୯୭୫ରେ ବିଶ୍ୱର ପ୍ରାୟ ୧୧ ପ୍ରତିଶତ ଜନସଂଖ୍ୟା ୧୦ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରଗୁଡ଼ିକରେ ବାସ କରୁଥିଲେ। ଏବେ ତାହା ୨୪%ରେ ପହଞ୍ଚତ୍ଲାଣି ବୋଲି ସର୍ଭେରୁ ଜଣାପଡ଼ିଥିବା ଅଷ୍ଟ୍ରିଆର କମ୍ପ୍ଲେକ୍ସିଟି ସାଇନ୍ସ ହବ୍ର ଜୁନିୟର ଫେଲୋ ତଥା ସୁଇଜରଲ୍ୟାଣ୍ଡର ଇଟିଏଚ୍ ଜୁରିକ୍ର ପି.ଏଚ୍.ଡି ଛାତ୍ର ଆନ୍ଦ୍ରେଆ ମୁସୋ କହିଛନ୍ତି।
‘ପ୍ରୋସିଡିଂସ ଅଫ୍ ଦି ନ୍ୟାଶନାଲ ଏକାଡେମୀ ଅଫ୍ ସାଇନ୍ସେସ’ ପତ୍ରିକାରେ ପ୍ରକାଶିତ ତଥ୍ୟ ଅନୁସାରେ , ଆସନ୍ତା ୨୫ବର୍ଷ ମଧ୍ୟରେ ୧୦୦କୋଟି (୧ ବିଲିୟନ) ଲୋକ ସହରକୁ ସ୍ଥାନାନ୍ତରିତ ହେବେ, ଯାହାକି ପ୍ରତି ୨ ମାସରେ ପ୍ରାୟ ଗୋଟିଏ ନୂଆ ନ୍ୟୁୟର୍କ ସହର ଯୋଡ଼ିବା ସହିତ ସମାନ। ଉତ୍ତମ ଭିତ୍ତିଭୂମି, ଗୃହ ନିର୍ମାଣ, ପରିବହନ, ଶକ୍ତି ଏବଂ ଜଳବାୟୁ ଅନୁକୂଳନ ସମ୍ବନ୍ଧୀୟ ସମସ୍ତ ବିଷୟକୁ ଦେଖି ଲୋକମାନେ କେଉଁଠାରେ ରହିବେ ତାହା ନିଷ୍ପତ୍ତି କରିବେ। ଗବେଷକଙ୍କ ମତରେ ୨୧୦୦ ସୁଦ୍ଧା ବିଶ୍ୱ ଜନସଂଖ୍ୟାର ୩୮ ପ୍ରତିଶତ ଲୋକ ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରଗୁଡ଼ିକରେ ବାସ କରିବେ, ଅର୍ଥାତ୍ ସାମ୍ପ୍ରତିକ ଧାରା ଜାରି ରହିଲେ, ୨୧୦୦ ସୁଦ୍ଧା ବଡ଼ ସହରଗୁଡ଼ିକରେ ପ୍ରାୟ ୪୫ କୋଟି ଲୋକ ରହିବେ ବୋଲି ପୂର୍ବାନୁମାନ କରାଯାଇଛି।
ଯେଉଁ ଦେଶଗୁଡ଼ିକରେ ସହରୀକରଣ କେବଳ ଆରମ୍ଭ ହେଉଛି, ସେଠାରେ ବଡ଼ ସହରଗୁଡ଼ିକ ଛୋଟ ସହର ଅପେକ୍ଷା ଦ୍ରୁତଗତିରେ ବୃଦ୍ଧି ପାଉଛି। କାରଣ ଲୋକମାନେ ସେହି ସହରୀକେନ୍ଦ୍ରଗୁଡ଼ିକୁ ସ୍ଥାନାନ୍ତରିତ ହୁଅନ୍ତି, ଯେଉଁଠାରେ ସାଧାରଣତଃ ଚାକିରି, ଡାକ୍ତରଖାନା, ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟାନ୍ୟ ସୁଯୋଗ ତଥା ସୁବିଧାସୁଯୋଗ କେନ୍ଦ୍ରୀଭୂତ ହୋଇଥାଏ। ମୁସୋ କହିଛନ୍ତି, ୧୯୭୫ରୁ ୨୦୨୫ ମଧ୍ୟରେ ଏସିଆ ଏବଂ ଆଫ୍ରିକା ସମେତ କମ୍ ସହରୀକରଣ ହୋଇଥିବା ଦେଶଗୁଡ଼ିକରେ ୧୦ଲକ୍ଷରୁ ଅଧିକ ବାସିନ୍ଦା ଥିବା ସହରଗୁଡ଼ିକ ସମ୍ପୃକ୍ତ ଦେଶର ହାରାହାରି ସହର ତୁଳନାରେ ପ୍ରାୟ ୭.୩ ପ୍ରତିଶତ ଦ୍ରୁତଗତିରେ ବୃଦ୍ଧି ପାଇଛି। ୟୁରୋପ ଏବଂ ଆମେରିକାର ଅଧିକାଂଶ ଅଞ୍ଚଳ ସମେତ ଅତ୍ୟଧିକ ସହରୀକରଣ ହୋଇଥିବା ଦେଶଗୁଡ଼ିକରେ, ଗତ ୫୦ ବର୍ଷ ମଧ୍ୟରେ ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରଗୁଡ଼ିକ ଜାତୀୟ ହାରାହାରି ସହିତ ପ୍ରାୟ ସମାନ ଗତିରେ ବୃଦ୍ଧି ପାଇଛି। ବିଭିନ୍ନ ଦେଶରେ ଏବଂ ସମୟ ସହିତ ସହରୀ ଅଭିବୃଦ୍ଧିକୁ ସୁସଙ୍ଗତ ଭାବରେ ଅଧ୍ୟୟନ କରିବା ପାଇଁ ଗବେଷକମାନେ ସାଟେଲାଇଟ ଏବଂ ମାଇକ୍ରୋ-ଲେଭଲ ଜନଗଣନା ତଥ୍ୟ ବ୍ୟବହାର କରିଥିଲେ। ଏଥିରେ ୯୯ଟି ଦେଶ ସାମିଲ ଥିଲା, ଯାହା ୨୦୨୫ରେ ବିଶ୍ୱ ଜନସଂଖ୍ୟାର ପ୍ରାୟ ୯୪ ପ୍ରତିଶତକୁ ପ୍ରତିନିଧିତ୍ୱ କରନ୍ତି।
Dharitri – Odisha’s No.1 Odia Daily