ବଙ୍ଗୋପସାଗରରେ ଲଘୁଚାପ: ମତ୍ସ୍ୟଜୀବୀଙ୍କୁ ୩ ଦିନ ସମୁଦ୍ର ପ୍ରବେଶ ମନା, ଚିନ୍ତାରେ…
ଛତ୍ରପୁର,୨୫ା୭(ଦିଲ୍ଲୀପ ସାମଲ / ଦ୍ଵାରକା ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବ୍ୟାପକ ବର୍ଷା ଏବଂ ପବନ ବୃଦ୍ଧି ପାଇବାର ପୂର୍ବାନୁମାନ କରାଯାଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ଏବଂ କେତେକ ସ୍ଥାନରେ ଅତ୍ୟଧିକ ପ୍ରବଳ ବର୍ଷା ହେବା ସହ ସମୁଦ୍ର ଅଶାନ୍ତ ରହିବ। ଏହି ପରିପ୍ରେକ୍ଷୀରେ ଜୁଲାଇ ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ କଟକଣା ଜାରି କରାଯାଇଛି।
ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ସାମୁଦ୍ରିକ ମତ୍ସ୍ୟବିଭାଗ ପକ୍ଷରୁ ‘ସାଗର ମିତ୍ର’ ଏବଂ ମାଇକ୍ ଯୋଗେ ମତ୍ସ୍ୟଜୀବୀମାନଙ୍କୁ ବ୍ୟାପକ ସଚେତନ କରାଯାଉଛି। ସମୁଦ୍ର ଅଶାନ୍ତ ରହିବା ସହ ଉଚ୍ଚ ଜୁଆର ଆସିବାର ସମ୍ଭାବନା ଥିବାରୁ ଯେଉଁମାନେ ପୂର୍ବରୁ ସମୁଦ୍ର ଭିତରକୁ ଯାଇଛନ୍ତି, ସେମାନଙ୍କୁ ତୁରନ୍ତ ଫେରିଆସିବାକୁ ଖବର ଦିଆଯାଇଛି। ଏପରିକି ନିଜର ଡଙ୍ଗା ଓ ଜାଲକୁ ସୁରକ୍ଷିତ ସ୍ଥାନରେ ସ୍ଥାନାନ୍ତର କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।
ଗଞ୍ଜାମ ଜିଲାର ପାତି ସୋନପୁରଠାରୁ ପ୍ରୟାଗି ପର୍ଯ୍ୟନ୍ତ ୨୭ ଖଣ୍ଡ ମତ୍ସ୍ୟଜୀବୀ ଗ୍ରାମ ରହିଛି, ଯେଉଁମାନେ ମୁଖ୍ୟତଃ ସମୁଦ୍ରରୁ ମାଛ ଧରି ନିଜର ଦୈନିକ ଜୀବିକା ନିର୍ବାହ କରିଥାନ୍ତି। ତେବେ ବର୍ତ୍ତମାନ ଜାରି ହୋଇଥିବା ଏହି କଟକଣା ଯୋଗୁଁ ସେମାନଙ୍କ ରୋଜଗାର ପ୍ରଭାବିତ ହେବା ସହ ପରିବାର ପ୍ରତିପୋଷଣ ନେଇ ସମସ୍ୟା ଦେଖାଦେଇଥିବାରୁ ମତ୍ସ୍ୟଜୀବୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏହି ପ୍ରତିକୂଳ ପରିସ୍ଥିତିରେ ସରକାର ସେମାନଙ୍କ ପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।