ଫ୍ୟୁଜ ପକାଇବାକୁ ୪ ଘଣ୍ଟା: ଅନ୍ଧାରରେ ରହିଲେ ଲୋକେ; ଅନଲାଇନ- ଅଫଲାଇନ ଅଭିଯୋଗକୁ ନେଇ…

Jul 11, 2026 - 10:39
ଫ୍ୟୁଜ ପକାଇବାକୁ ୪ ଘଣ୍ଟା: ଅନ୍ଧାରରେ ରହିଲେ ଲୋକେ; ଅନଲାଇନ- ଅଫଲାଇନ ଅଭିଯୋଗକୁ ନେଇ…

ଭଞ୍ଜନଗର,୧୧।୭(ବାବୁଲା ପ୍ରଧାନ): ଟାଟା ପାୱାର ରାଜ୍ୟରେ ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେବା ପରଠାରୁ କିଛି କ୍ଷେତ୍ରରେ ଉନ୍ନତି ଆସିଛି। କିନ୍ତୁ ଏବେବି ଗ୍ରାହକମାନେ ସେବାରେ ଅସନ୍ତୁଷ୍ଟ ଅଛନ୍ତି। ଉପଭୋକ୍ତାଙ୍କୁ ୨୪ ଘଣ୍ଟିଆ ବିଦ୍ୟୁତ୍‌ ସେବା ମିଳିପାରୁନାହିଁ। ବିଦ୍ୟୁତ୍‌ ବିଲ ଦର ବଢୁଛି। ଏଥିସହ ଅନ୍ୟାନ୍ୟ ବାବଦକୁ ଗ୍ରାହକଙ୍କ ଠାରୁ ବହୁ ଟଙ୍କା ସେବା ନାମରେ ନିଆଯାଉଛି। ଯାହାକି ପୂର୍ବରୁ ନଥିଲା। ଏହିଭଳି ପରିସ୍ଥିତିରେ ଶୁକ୍ରବାର ଭଞ୍ଜନଗର ଟାଟା ପାୱାର ସେକ୍ସନ ଅଧୀନରେ ଥିବା ଡିହପଢାଲ ଗ୍ରାମରେ ଥିବା ଟ୍ରାନ୍ସଫର୍ମରୁ ଫ୍ୟୁଜ ପଳାଇଥିଲା। ଏନେଇ ଲୋକେ ଅନଲାଇନ ଅଭିଯୋଗ କରିଥିଲେ। କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ କିଏ ମରାମତି କରିବାକୁ ନଆସିବାରୁ ଲୋକେ ହୋହଲ୍ଲା କରିଥିଲେ। ଏହାପରେ ଟାଟାପାୱାର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବିଦ୍ୟୁତ୍‌ ସେବାକୁ ସଜାଡିଥିଲେ । ସାମାନ୍ୟ ଫ୍ୟୁଜ୍‌ ପକାଇବା ପାଇଁ ବିଳମ୍ବ ହେବାରୁ ଲୋକେ ଘଣ୍ଟା ଘଣ୍ଟା ଅନ୍ଧାରରେ ରହିଥିଲେ। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏବେବି ଅନେକ
କ୍ଷେତ୍ରରେ କର୍ମଚାରୀ ଅଭାବ ରହିଛି। ତେଣୁ ଯେତିକି କର୍ମଚାରୀ ଅଛନ୍ତି ସେମାନେ ସମସ୍ତଙ୍କୁ ସେବା ଯୋଗାଇବା ସମୟରେ କିଛିଟା ବ୍ୟତିକ୍ରମ ହେଉଛି। ତେଣୁ ଟାଟାପାୱାର କର୍ମଚାରୀ ବୃଦ୍ଧି କରିବାକୁ ଦାବି ହୋଇଛି। ଅନ୍ୟପଟେ ଅନେକ ସମୟରେ ଅନଲାଇନ ଅଭିଯୋଗ ଗୁଡିକ ତୁରନ୍ତ କାର୍ଯ୍ୟକାରୀ ହୋଇପାରୁନାହିଁ। ଏଥିସହ ହଜାର ହଜାର ଉପଭୋକ୍ତା ଅନଲାଇନ ଅଭିଯୋଗ କିଭଳି କରାଯାଏ ଜାଣନ୍ତି ନାହିଁ। ତେଣୁ ଅନଲାଇନ ଏବଂ ଅଫଲାଇନ ଉଭୟ ଅଭିଯୋଗକୁ ଗ୍ରହଣ କରିବା ପାଇଁ ଦାବି ହୋଇଛି।

Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।