ଫ୍ରାନ୍ସ ଦଳ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ: ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା
ମାଡ୍ରିଡ୍,୧୩ା୭: ନିକଟରେ ଫ୍ରାନ୍ସ ବିଶ୍ୱକପ୍ ଦଳରେ କୌଣସି ଫ୍ରେଞ୍ଚ ଖେଳାଳି ନାହାନ୍ତି ବୋଲି ମନ୍ତବ୍ୟ ଦେଇଥିବା ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କନ୍ଜରଭେଟିଭ ପପୁଲାର ପାର୍ଟିର ମାରିଆନୋ ରାଜୟଙ୍କୁ ପ୍ରବଳ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି। ମଙ୍ଗଳବାର ସ୍ପେନ ଓ ଫ୍ରାନ୍ସ ମଧ୍ୟରେ ସେମିଫାଇନାଲ ଖେଳାଯିବା ପୂର୍ବରୁ ସେ ଏକ ସ୍ପାନିଶ ଆଉଟ୍ଲେଟ୍ ଏଲ ଡିବେଟ୍ରେ ଏକ ସ୍ତମ୍ଭରେ ତାଙ୍କ ମତାମତ ଦେଇଥିଲେ।
ବିଶ୍ୱକପ୍ରେ ସେମାନେ ଖେଳିଥିବା ସମସ୍ତ ମ୍ୟାଚ୍ ଜିତିଛନ୍ତି ଏବଂ ସେମାନେ ଏବେ ଫିଫା ର଼୍ୟାଙ୍କିଙ୍ଗ୍ସ ଶୀର୍ଷରେ ରହିଛନ୍ତି। ସେମାନଙ୍କ ପାଖରେ ଅବିଶ୍ୱସନୀୟ ଶକ୍ତିଶାଳୀ ଦଳ ରହିଛି। କିନ୍ତୁ ଫ୍ରାନ୍ସ ଦଳରେ କୌଣସି ଫ୍ରେଞ୍ଚ ଖେଳାଳି ନାହାନ୍ତି ବୋଲି ରାଜୟ ଗତ ୧୦ ତାରିଖରେ ସ୍ତମ୍ଭରେ ଉଲ୍ଲେଖ କରିଥିଲେ। ଏ ସମ୍ପର୍କରେ ସୋମବାର ଫ୍ରେଞ୍ଚ ବିଦେଶ ମନ୍ତ୍ରୀ ଜିନ-ନୋଏଲ ବାରୋଟ କହିଛନ୍ତି, ଫ୍ରାନ୍ସର କୌଣସି ନିର୍ଦ୍ଦିଷ୍ଟ ଚର୍ମ ରଙ୍ଗ ନାହିଁ। ଏହା ବିରୋଧରେ କରାଯାଇଥିବା ଯେକୌଣସି ଦାବି ମୂର୍ଖାମି, ଜାତିଭେଦବାଦୀ କିମ୍ବା ଉଭୟର ମିଳିତ ଫଳ ହୋଇପାରେ।
ଏଥିପୂର୍ବରୁ ଫ୍ରେଞ୍ଚ ଫୁଟବଲ ଫେଡେରେଶନ ସଭାପତି ଫିଲିପେ ଡାଇଲୋ ଏକ୍ସ’ରେ ପୋଷ୍ଟ କରିଥିଲେ, ଫ୍ରାନ୍ସ ଦଳ ସମ୍ପର୍କରେ ମାରିଆନୋ ରାଜୟଙ୍କ ମନ୍ତବ୍ୟରୁ ଜାତି ଭେଦଭାବ ଗନ୍ଧ ବାରି ହୋଇପଡ଼ୁଛି। ଆମ ଖେଳାଳିଙ୍କୁ ସେମାନଙ୍କ ନାଗରିକତା ପ୍ରମାଣ କରିବା ପାଇଁ ଜଣେ ପୂର୍ବତନ ସ୍ପାନିଶ ପ୍ରଧାନମନ୍ତ୍ରୀଙ୍କଠାରୁ ପ୍ରମାଣପତ୍ର ଦରକାର ନାହିଁ। ୨୦୧୧ରୁ ୨୦୧୮ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିଥିବା ରାଜୟଙ୍କ ମନ୍ତବ୍ୟକୁ ସ୍ପେନର ସରକାରରେ ଥିବା ସୋସିଆଲିଷ୍ଟ ସରକାର ଦୃଢ଼ ନିନ୍ଦା କରିଛନ୍ତି। ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଜେଜ କହିଛନ୍ତି, ଏବେ ବି ଏମିତି ଲୋକ ଅଛନ୍ତି, ଯେଉଁମାନେ ସାଙ୍ଗିଆ, ଜନ୍ମ ସ୍ଥାନ, ଚର୍ମର ରଙ୍ଗ ଆଧାରରେ ଲୋକଙ୍କୁ ମାପନ୍ତି। କିନ୍ତୁ ଅନ୍ୟମାନେ ଦେଶରେ ଆମର ମୂଳ ଓ ଦେଶ ପ୍ରତି ଆମ ଯୋଗଦାନ କରିବାର ଇଚ୍ଛାଶକ୍ତି ଆଧାରରେ ମାପନ୍ତି। ଫ୍ରାନ୍ସ, ଆମେ ତୁମକୁ ସେମିଫାଇନାଲରେ ଦେଖିନେବୁ। ଆଶା କରୁଛି, ଶ୍ରେଷ୍ଠ ଦଳ ବିଜୟୀ ହେବ ଏବଂ ଭେଦଭାବର ଅନ୍ତ ଘଟିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।