ପୋଡ଼ମପେଟା ପରେ ଏବେ ଆର୍ଯ୍ୟପଲ୍ଲୀ: କୂଳ ଲଙ୍ଘୁଛି ସମୁଦ୍ର, ଚିନ୍ତାରେ ମତ୍ସ୍ୟଜୀବୀ ସମ୍ପ୍ରଦାୟ

Jul 05, 2026 - 08:35
ପୋଡ଼ମପେଟା ପରେ ଏବେ ଆର୍ଯ୍ୟପଲ୍ଲୀ: କୂଳ ଲଙ୍ଘୁଛି ସମୁଦ୍ର, ଚିନ୍ତାରେ ମତ୍ସ୍ୟଜୀବୀ ସମ୍ପ୍ରଦାୟ

ଛତ୍ରପୁର, ୫।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ସମୁଦ୍ର କୂଳ କ୍ଷୟକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ପୋଡ଼ମପେଟା ସମେତ ବିଭିନ୍ନ ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ର କୂଳ ଲଙ୍ଘନ କରୁଥିବା ବେଳେ ଏବେ ଛତ୍ରପୁର ଉପକଣ୍ଠର ବଡ଼ ଆର୍ଯ୍ୟପଲ୍ଲୀ, ସାନ ଆର୍ଯ୍ୟପଲ୍ଲୀ ଓ ଏହାର ଆଖପାଖ ଗ୍ରାମରେ ମଧ୍ୟ ସମାନ ପରିସ୍ଥିତି ଦେଖାଦେଇଛି। ସମୁଦ୍ରର ଜୁଆର କ୍ରମଶଃ କୂଳ ଅତିକ୍ରମ କରି ଜନବସତି ଆଡ଼କୁ ଅଗ୍ରସର ହେଉଥିବା ବେଳେ ବର୍ତ୍ତମାନ ସମୁଦ୍ର ଓ ଜନବସତି ମଧ୍ୟରେ ଦୂରତା ୧୦୦ ମିଟରରୁ ମଧ୍ୟ କମ୍ ରହିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କ ସମୁଦ୍ରକୁ ଯିବା ଉପରେ ଜାରି ଥିବା କଟକଣାକୁ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ବଢ଼ାଯାଇଛି। ଫଳରେ ମାଛଧରା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବାରୁ ହଜାର ହଜାର ମତ୍ସ୍ୟଜୀବୀଙ୍କ ଜୀବିକା ପ୍ରଭାବିତ ହୋଇଛି।

ମତ୍ସ୍ୟଜୀବୀମାନଙ୍କ କହିବାନୁସାରେ, ସେମାନଙ୍କ ପରିବାରର ସମ୍ପୂର୍ଣ୍ଣ ଭରଣପୋଷଣ ମାଛଧରା ଉପରେ ନିର୍ଭରଶୀଳ। ଲଘୁଚାପ ଜନିତ କଟକଣା ଯୋଗୁଁ ସମୁଦ୍ରକୁ ଯାଇପାରୁ ନଥିବା ବେଳେ ଅନ୍ୟପଟେ ସମୁଦ୍ର କୂଳ ଲଙ୍ଘନ କରୁଥିବାରୁ ଡଙ୍ଗା ରଖିବା ଓ ସମୁଦ୍ରକୁ ଯିବା ପାଇଁ ମଧ୍ୟ ସମସ୍ୟା ସୃଷ୍ଟି ହୋଇଛି। ଏହି ଦୁଇମୁହାଁ ସମସ୍ୟା ସେମାନଙ୍କୁ ଚିନ୍ତାରେ ପକାଇଛି।

ସାନ ଆର୍ଯ୍ୟପଲ୍ଲୀର କିଛି ମତ୍ସ୍ୟଜୀବୀ କହିଛନ୍ତି ଯେ, ସମୁଦ୍ର ଭିତରେ ପାଗ ଅନୁକୂଳ ଥିବାରୁ ସେମାନେ ପୁଣି ଥରେ ମାଛଧରା ଆରମ୍ଭ କରିବା ଆଶାରେ ଜାଲ ବୁଣି ପ୍ରସ୍ତୁତ ରହିଛନ୍ତି। ତଥାପି ପ୍ରଶାସନର କଟକଣାକୁ ସମ୍ମାନ ଜଣାଇ ସେମାନେ ସମୁଦ୍ରକୁ ଯାଉନାହାନ୍ତି। କିନ୍ତୁ ଦୀର୍ଘ ଦିନ ଧରି ରୋଜଗାର ବନ୍ଦ ରହିବାରୁ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଥିବା ସେମାନେ କହିଛନ୍ତି।

ଏପଟେ ଆର୍ଯ୍ୟପଲ୍ଲୀ, କଣମଣା ଓ ଆଖପାଖ ପଞ୍ଚାୟତର ଗ୍ରାମବାସୀ ପ୍ରଶାସନର ତୁରନ୍ତ ହସ୍ତକ୍ଷେପ ଲୋଡ଼ିଛନ୍ତି। ସମୁଦ୍ର କୂଳ ସୁରକ୍ଷା ପାଇଁ ସ୍ଥାୟୀ ପ୍ରତିରୋଧ ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି। ସେମାନଙ୍କ ଆଶଙ୍କା ଯେ, ଉଚିତ ସମୟରେ ପଦକ୍ଷେପ ଗ୍ରହଣ ନ କରାଗଲେ ସମୁଦ୍ର ଜନବସତି ଆଡ଼କୁ ଅଗ୍ରସର ହୋଇ ବ୍ୟାପକ କ୍ଷୟକ୍ଷତି ଘଟାଇପାରେ। ଭବିଷ୍ୟତରେ ସମୁଦ୍ରଜଳ ତାମ୍ପରା ହ୍ରଦ ଅଞ୍ଚଳ ଅତିକ୍ରମ କରି ଛତ୍ରପୁର ସହର ଆଡ଼କୁ ମଧ୍ୟ ବିପଦ ସୃଷ୍ଟି କରିପାରେ ବୋଲି ସ୍ଥାନୀୟ ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି।