ପୋଖରୀକୁ ଗାଧୋଇବାକୁ ଯାଇଥିଲେ ସୁନାମ: ହଠାତ୍ ଘଟିଗଲା…
ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡି ଗ୍ରାମର ଶ୍ରୀ ରଘୁନାଥ ମନ୍ଦିର ନିକଟସ୍ଥ ଏକ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ ଜଣକ ହେଲେ ସୁନାମ ସାହୁ(୭୪)। ବୃଦ୍ଧ ଜଣକ ଅପରାହ୍ନ ପ୍ରାୟ ସାଢେ ୪ଟାରେ ଗ୍ରାମର ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଅସାବଧାନତା କାରଣରୁ ସେ ପୋଖରୀରେ ବୁଡି ଯାଇଥିଲେ। ସ୍ଥାନୀୟ ଲୋକେ ପୋଖରୀ ତୁଠରେ ତାଙ୍କର ଚପଲ ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପ୍ରଚାରିତ ପରେ ଦିଗପହଣ୍ଡି ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଅଗ୍ନିଶମ କର୍ମଚାରୀ ବୃନ୍ଦ ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି ପରେ ସନ୍ଧ୍ୟା ପ୍ରାୟ ୭ଟାରେ ବୃଦ୍ଧଙ୍କୁ ଅଚେତ ଅବସ୍ଥାରେ ଠାବ କରାଯିବା ପରେ ସ୍ଥାନୀୟ ସରପଞ୍ଚ ମନୋରଞ୍ଜନ ଗୌଡଙ୍କ ସହଯୋଗ କ୍ରମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦିଗପହଣ୍ଡି ପୋଲିସ ଟିମ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଥିବା ଜଣାପଡିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।