ପୁଣି ଭିଡିଓ ଜାରି କଲେ ସୋନମ ଓ଼୍ବାଙ୍ଗଚୁକ୍, ଆନ୍ଦୋଳନକୁ ନେଇ କଲେ ବଡ଼ ଘୋଷଣା!
ନୂଆଦିଲ୍ଲୀ,୨୫।୭: ଦେଶ-ବିଦେଶରେ ପ୍ରସିଦ୍ଧ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ଏକ ନୂଆ ଭିଡିଓ ଜାରି କରିଛନ୍ତି। ୨୬ ଦିନର ଆମରଣ ଅନଶନ ଭାଙ୍ଗିବା ପରେ ଉଠିଥିବା ପ୍ରଶ୍ନଗୁଡ଼ିକୁ ନେଇ ସେ ଏଥିରେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ସୋନମ କେନ୍ଦ୍ର ସରକାରଙ୍କ ସହ କୌଣସି “ଡିଲ୍” (ବୁଝାମଣା) କରିଥିବା ନେଇ ଅଭିଯୋଗ ହୋଇଛି।
ଏହି ଅଭିଯୋଗକାରୀମାନଙ୍କୁ ପ୍ରଶ୍ନ କରି ୱାଙ୍ଗଚୁକ୍ କହିଛନ୍ତି,
“ମୋର ଅନଶନ ଭାଙ୍ଗିବା ପରେ ଏତେ ହଙ୍ଗାମା କାହିଁକି? ୨୬ ଦିନ ଧରି ଦାବି ପୂରଣ ପାଇଁ ଅନଶନ କରିବା ପରେ ଏବେ ମୋତେ ନିଜର ସାଧୁତା ପ୍ରମାଣିତ କରିବାକୁ ପଡ଼ିବ? ଆଞ୍ଚଳିକ ସ୍ୱାର୍ଥ ଛାଡ଼ି ମୁଁ କେନ୍ଦ୍ର ସରକାରଙ୍କ ସହ କାହିଁକି ଡିଲ୍ କରିବି?”
କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ହାତରୁ ଜୁସ୍ ପିଇ ଭୂଖଡ଼ତାଳ ଶେଷ କରିବାକୁ ନେଇ ସୋନମ ଡିଲ୍ କରିଥିବା ଅଭିଯୋଗ ଉଠିବା ପରେ ସେ ଏହି ଭିଡିଓ ସନ୍ଦେଶ ଜାରି କରିଛନ୍ତି। ଭିଡିଓରେ ସୋନମ ୱାଙ୍ଗଚୁକ୍ କହିଛନ୍ତି:
-
ଛାତ୍ରମାନଙ୍କ ପାଇଁ ୨୬ ଦିନ ଉପବାସ ରହିବା ଯୋଗୁଁ ମୋର ୧୧ କିଲୋ ଓଜନ କମିଯାଇଛି।
-
ମାଂସପେଶୀର ବଳ କମିଯାଇଛି ଏବଂ ଅଙ୍ଗପ୍ରତ୍ୟଙ୍ଗ ସହ ମସ୍ତିଷ୍କ କ୍ଷତିଗ୍ରସ୍ତ ହେବା ଅବସ୍ଥାକୁ ଚାଲିଆସିଥିଲା।
-
ଲଦାଖର ଅସହ୍ୟ ଶୀତ ଛାଡ଼ି ଦିଲ୍ଲୀର ପ୍ରଖର ଖରାରେ ଏସବୁ କରିବା ପରେ ବି ଏବେ ମୋତେ “ଚରିତ୍ର ପ୍ରମାଣପତ୍ର” ନେବାକୁ ପଡ଼ିବ?
ସୋନମ କହିଛନ୍ତି, “ମୋର ଉପବାସ କେତେ ପବିତ୍ର ଥିଲା, ତାହା କ’ଣ ମୋତେ ସାବ୍ୟସ୍ତ କରିବାକୁ ପଡ଼ିବ? ମୁଁ ସରକାରଙ୍କ ଜଣେ ମନ୍ତ୍ରୀଙ୍କ ହାତରୁ ଜୁସ୍ ପିଇ ଅନଶନ ଭାଙ୍ଗିଲି ବୋଲି ମୁଁ କୌଣସି ବୁଝାମଣା କରିଦେଲି? ଏଭଳି ହୀନ ମାନସିକତା ସୃଷ୍ଟି କରୁଥିବା ବିଚାରଧାରା ପାଇଁ ଦୁଃଖ ଲାଗୁଛି। ମୁଁ କାହାକୁ ଦୋଷ ଦେଉନାହିଁ, କାରଣ ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଜାଣିନାହାନ୍ତି ଯେ ମୁଁ କେଉଁ ପରିସ୍ଥିତି ଦେଇ ଗତି କରିଛି ଏବଂ ବିଗତ ଦିନଗୁଡ଼ିକରେ ମୋ ପରିବାର କେଉଁ ଅବସ୍ଥାରେ ଥିଲା। ସେହି ମାନସିକ ସ୍ଥିତି କେହି ବୁଝିପାରିବେ ନାହିଁ।”
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।