ପାଣି ଦେବାକୁ ଯାଇଥିଲେ, ଛାତରୁ ଖସି ପଡ଼ି ଚାଲିଗଲା ସୁଜାତାଙ୍କ ଜୀବନ; କାନ୍ଦବୋବାଳିରେ…

Jun 25, 2026 - 21:39
ପାଣି ଦେବାକୁ ଯାଇଥିଲେ, ଛାତରୁ ଖସି ପଡ଼ି ଚାଲିଗଲା ସୁଜାତାଙ୍କ ଜୀବନ; କାନ୍ଦବୋବାଳିରେ…

ଛତ୍ରପୁର,୨୫|୬(ଦିଲ୍ଲୀପ ସାମଲ): ଘର ଛାତ ଉପରେ କାମ କରୁଥିବା ସମୟରେ ଅସାବଧାନତା ଯୋଗୁଁ ତଳକୁ ଖସି ପଡ଼ି ଜଣେ ମହିଳାଙ୍କର ଅକାଳ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣାଟି ଗଞ୍ଜାମ ଥାନା ଅଧୀନ ଦୁର୍ଗାଦେବୀ ସାହିରେ ଘଟିଯାଇଛି। ମୃତ ମହିଳା ଜଣକ ହେଲେ ସ୍ଥାନୀୟ ଅଞ୍ଚଳର ପ୍ରଦୀପ ଜେନାଙ୍କ ସ୍ତ୍ରୀ ସୁଜାତା ଜେନା (୪୫)।

ସୂଚନା ଅନୁଯାୟୀ, ସୁଜାତା ସନ୍ଧ୍ୟା ସମୟରେ ନିଜ ଘର ଛାତ ଉପରକୁ ପାଣି ପକାଇବା ପାଇଁ ଯାଇଥିଲେ। ତେବେ ଛାତ ଉପରେ କାମ କରୁଥିବା ସମୟରେ ହଠାତ୍ କୌଣସି କାରଣରୁ ତାଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ସେ ସନ୍ତୁଳନ ହରାଇ ଛାତ ଉପରୁ ସିଧା ତଳକୁ ପଡ଼ିଯାଇଥିଲେ।

ବିଲ୍ଡିଂରୁ ତଳେ ପଡ଼ିଯିବା ଯୋଗୁଁ ସୁଜାତା ଗୁରୁତର ଭାବେ ଆହତ ହୋଇଥିଲେ। ପରିବାର ଲୋକ ଓ ସ୍ଥାନୀୟ ବାସିନ୍ଦା ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରି ତୁରନ୍ତ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଦୁର୍ଗାଦେବୀ ସାହି ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ପୋଲିସ ଏ ନେଇ ଅଧିକ ତଦନ୍ତ ଚଳାଇଛି।

Dharitri – Odisha’s No.1 Odia Daily