ପର୍ବପର୍ବାଣୀ ପୂର୍ବରୁ ବଡ଼ ଝଟକା! ଦୈନନ୍ଦିନ ବ୍ୟବହାରର ସାମଗ୍ରୀ ଉପରେ ମହଙ୍ଗା ମାଡ଼, ବଢିଯିବ ଦାମ୍
ନୂଆଦିଲ୍ଲୀ,୧।୮: ବର୍ତ୍ତମାନ ମୌସୁମୀ ଋତୁ ଚାଲିଛି। ଯେପରି ମୌସୁମୀ ବିଦାୟ ନେବ, ଭାରତୀୟମାନେ ପର୍ବପର୍ବାଣୀକୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେବେ। ଘର ରଙ୍ଗ କରିବାଠାରୁ ଆରମ୍ଭ କରି ରୋଷେଇଘର ପାଇଁ ନୂତନ ସାଜସାଜ୍ଜା ସାମଗ୍ରୀ ଆଣିବାର ଯୋଜନା କରାଯିବ। କିନ୍ତୁ, ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ଆସନ୍ତା ପର୍ବପର୍ବାଣୀ ଋତୁରେ ସାଧାରଣ ଉପଭୋକ୍ତାଙ୍କ ପକେଟ୍ ଉପରେ ଭାରୀ ପଡ଼ିବାକୁ ଯାଉଛି। ଟୁଥ୍ପେଷ୍ଟ, ଲୁଗାଧୁଆ ସର୍ଫ ଏବଂ ଘର କାନ୍ଥରେ ଲାଗୁଥିବା ପେଣ୍ଟଠାରୁ ଆରମ୍ଭ କରି ଟାୟାର ପର୍ଯ୍ୟନ୍ତ ଦର ବୃଦ୍ଧି କରିବାକୁ କମ୍ପାନୀଗୁଡ଼ିକ ମନସ୍ଥ କରିଛନ୍ତି।
ଉତ୍ସବର ଋତୁ ପୂର୍ବରୁ ଏଫଏମ୍ସିଜି (FMCG) ଏବଂ କନ୍ଜ୍ୟୁମର୍ ଡ୍ୟୁରେବଲ୍ସ କମ୍ପାନୀଗୁଡ଼ିକ କ୍ରମାଗତ ଦ୍ୱିତୀୟ ତ୍ରୈମାସରେ ଦର ବୃଦ୍ଧି କରିବାକୁ ଚିନ୍ତା କରୁଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ହିନ୍ଦୁସ୍ତାନ ୟୁନିଲିଭର (HUL), ଏସିଆନ ପେଣ୍ଟ୍ସ, ହାଭେଲ୍ସ ଏବଂ ଡୋଡ୍ଲା ଡେରୀ ସମେତ ଅଳ୍ପାତିକେ ୮ଟି ବଡ଼ କମ୍ପାନୀ ସେମାନଙ୍କ ଉତ୍ପାଦର ମୂଲ୍ୟ ବୃଦ୍ଧି କରିବେ। ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ କଞ୍ଚାମାଲ ଏବଂ କମୋଡିଟିର ଖର୍ଚ୍ଚ ବୃଦ୍ଧି ପାଇଛି। ଏହାଦ୍ୱାରା କମ୍ପାନୀଗୁଡ଼ିକର ଖର୍ଚ୍ଚ ବଢ଼ିଯାଇଛି। ବୃଦ୍ଧି ପାଇଥିବା ଏହି ଖର୍ଚ୍ଚର ବୋଝ କମ୍ପାନୀଗୁଡ଼ିକ ସାଧାରଣ ଜନତାଙ୍କ ଉପରେ ହିଁ ପକାଇବେ।
ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ (HUL) ସୂଚିତ କରିଛି ଯେ ଆସନ୍ତା କିଛି ମାସ ମଧ୍ୟରେ ଡିଟରଜେଣ୍ଟ ଏବଂ ବାସନ ଧୁଆ ବାର୍ ପରି ଉତ୍ପାଦଗୁଡ଼ିକର ମୂଲ୍ୟରେ ସୀମିତ ବୃଦ୍ଧି କରାଯିବ। କମ୍ପାନୀ ଭିମ, ସର୍ଫ ଏକ୍ସେଲ, ରିନ ଏବଂ ହିଲ ପରି ବ୍ରାଣ୍ଡ ପ୍ରସ୍ତୁତ କରିଥାଏ। ଏଚ୍ୟୁଏଲର ମୁଖ୍ୟ ଆର୍ଥିକ ଅଧିକାରୀ (CFO) ନିରଞ୍ଜନ ଗୁପ୍ତା ବିଶ୍ଳେଷକମାନଙ୍କୁ କହିଛନ୍ତି ଯେ ବାହ୍ୟ ଅସ୍ଥିରତା ହେତୁ କ୍ରୁଡ ଅଏଲ ସହିତ ଜଡ଼ିତ ଡେରିଭେଟଭ ଗୁଡ଼ିକର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ହୋମ କେୟାର ଉତ୍ପାଦଗୁଡ଼ିକର ବିଭିନ୍ନ ବର୍ଗରେ ପର୍ଯ୍ୟାୟକ୍ରମେ ମୂଲ୍ୟ ବୃଦ୍ଧି କରାଯାଉଛି।
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।