ନକଲି ସୁନା ବନ୍ଧକ ଦେଇ ନେଉଥିଲେ ଋଣ, ସତ ଜଣାପଡିବା ପରେ ହେଲା…
ଦେବଗଡ,୧୭।୭(ଶଶାଙ୍କ ଶେଖର ଝାଙ୍କର): ନକଲି ସୁନା ଅଳଙ୍କାର ବନ୍ଧକ ଦେଇ ଋଣ ଟଙ୍କା ହାତେଇବା ଅଭିଯୋଗରେ ଦେବଗଡ ଥାନା ପୋଲିସ ଏକ ମାମଲା ରୁଜୁ କରିବା ସହ ଏଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସେହିପରି ଏହି ମାମଲାରେ ଅଧିକ ଅଭିଯୁକ୍ତ ସାମିଲ ଥିବା ସନ୍ଦେହ ଥିବାରୁ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି ।
ଏହି ମାମଲାରେ ଦେବଗଡ ଥାନା ପୋଲିସ ରିଆମାଳ ଥାନାଂଚଳ ବନାକାଲୋ ଗ୍ରାମର ଡମ୍ବରୁଧର ବେହେରା (୨୮), ଦେବଗଡ ପୌରାଞ୍ଚଳ ହାତିଶାଳ ସାହିର ଅଭିଷେକ ମୁଖି (୨୨) ଓ ମଠସାହିର ପ୍ରଶାନ୍ତ କୁମାର ସାହୁ (୨୧)ଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ମାତ୍ର ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ସୂଚନା ଅନୁଯାୟୀ ଡମ୍ବରୁଧର ବେହେରା ପୂର୍ବରୁ ବଜାଜ ଆଲିଆଞ୍ଜ ଫାଇନାନ୍ସ, ଦେବଗଡ ଶାଖାରେ ଏକ ସୁନା ଚେନ୍ ବନ୍ଧକ ଦେଇ ୧ ଲକ୍ଷ ୮୩ ହଜାର ଟଙ୍କା ଋଣ ନେଇଥିଲେ । ତେବେ ସେ (ଡମ୍ବରୁଧର) ପୁଣି ଏକ ସୁନା ଚେନ୍ ବନ୍ଧକ ଦେଇ ଋଣ ନେବାକୁ ଆସିଥିବା ବେଳେ ଏହାକୁ ଯାଂଚ କରିବାରୁ ତାହା ନକଲି ବୋଲି ଜଣାପଡିଥିଲା । ଫଳରେ ପ୍ରଥମ ଥର ବନ୍ଧକ ରଖିଥିବା ସୁନା ଚେନ ମଧ୍ୟ ନକଲି ହୋଇଥିବା ନେଇ ଫାଇନାନ୍ସ କମ୍ପାନୀ କର୍ତ୍ତୃପକ୍ଷଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ସେମାନେ ଉକ୍ତ ସୁନା ଚେନ(ପୂର୍ବରୁ ବନ୍ଧକ ଦେଇଥିବା)କୁ ଯାଂଚ କରିବାରୁ ତାହା ମଧ୍ୟ ନକଲି ହୋଇଥିବା ଜନା ପଡିଥିଲା ।
ଏନେଇ ଉକ୍ତ ଫାଇନାନ୍ସ କମ୍ପାନୀର ଶାଖା ପରିଚାଳକ ୧୧୨ ଯୋଗେ ଦେବଗଡ ଥାନା ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଉକ୍ତ ୨ଟି ଯାକ ସୁନା ଚେନ୍ ଜବତ କରିବା ସହ ଡମ୍ବରୁଧରଙ୍କୁ ନିଜ କବଜାକୁ ଆଣି ପଚରା ଉଚୁରା କରିବା ପରେ ଗିରଫ କରିଥିଲେ । ସେହିପରି ଅନ୍ୟ ୨ ଅଭିଯୁକ୍ତ ଅଭିଷେକ ଏବଂ ପ୍ରଶାନ୍ତ ଉକ୍ତ ସୁନା ଚେନ ଦେଇ ଋଣ ଟଙ୍କା ଆଣିବାକୁ ଡମ୍ବରୁଧରଙ୍କୁ କହିଥିବା ଜଣାପଡିଥିଲା । ଅନ୍ୟପକ୍ଷରେ ଢେଙ୍କାନାଳ ଅଂଚଳର ୨ ଜଣ ଯୁବକ ଉକ୍ତ ନକଲି ସୁନା ଚେନ ଯୋଗାଇଥିବା ଅଭିଯୁକ୍ତ ମାନେ ସ୍ୱୀକାର କରିଥିଲେ ।
ଏନେଇ ଦେବଗଡ ଥାନାରେ ପୋଲିସ ନିଜଆଡୁ ଏକ ମାମଲା ରୁଜୁ କରିଛି । ଏକ ମାମଲା ରୁଜୁ କରାଯାଇଥିବା ବେଳେ ଉକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯିବା ସହ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା କୁହାଯାଇଛି । ଏ ଘଟଣା ଦେବଗଡ ସହରରେ ଚର୍ଚ୍ଚାର ବିଷୟ ସାଜିଛି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।