ନକଲି ଅଦାଲତ ଆଦେଶ ଦେଖାଇ ୫୦ ହଜାର ଟଙ୍କା ଠକେଇ, ଏପରି ଧରିଲା ପୋଲିସ

Jul 22, 2026 - 18:04
ନକଲି ଅଦାଲତ ଆଦେଶ ଦେଖାଇ ୫୦ ହଜାର ଟଙ୍କା ଠକେଇ, ଏପରି ଧରିଲା ପୋଲିସ

ଅତାବିରା,୨୨।୭(ଯୁଧିଷ୍ଠିର ମହାପାତ୍ର): ନିଜକୁ ଆଇନଜୀବୀ ପରିଚୟ ଦେଇ ଠକେଇ ଅଭିଯୋଗରେ ଜଣେ ଗିରଫ । ନକଲି ଅଦାଲତ ଆଦେଶ ପ୍ରସ୍ତୁତ କରି ଜଣେ ମହିଳାଙ୍କ ପରିବାରଠାରୁ ୫୦ ହଜାର ଟଙ୍କା ଠକେଇ କରିଥିବା ଅଭିଯୋଗରେ ଅତାବିରା ପୋଲିସ ଜଣେ ଯୁବକଙ୍କୁ ବୁଧବାର ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ ଅତାବିରା ମିନାରବନ୍ଦ ପଡ଼ାର ମହମ୍ମଦ୍ ଜାଭେଦ୍ (୨୫) । ଏ ସମ୍ପର୍କରେ ଅତାବିରା ଥାନାରେ ମାମଲା ନଂ–୨୮୫/୨୨.୦୭.୨୦୨୬ ରୁଜୁ ହୋଇ ବିଏନଏସ୍‌ର ବିଭିନ୍ନ ଧାରାରେ ତଦନ୍ତ ଚାଲିଛି।

ପୋଲିସ ସୂଚନା ଅନୁଯାୟୀ, ଗତ ୨୦ ଜୁଲାଇରେ ମହମ୍ମଦ ଜାଭେଦ (୨୫) ନିଜକୁ ଆଇନଜୀବୀ ବୋଲି ପରିଚୟ ଦେଇ ପାଇକମାଳ ଥାନା ଅନ୍ତର୍ଗତ ମଣ୍ଡୋସିଲ ଗ୍ରାମର କାହକାସା ଅଞ୍ଜୁମ ଓ ତାଙ୍କ ପରିବାର ସହ ଅତାବିରା ଥାନାକୁ ଆସିଥିଲେ । ସେ ବରଗଡ଼ ପାରିବାରିକ ଅଦାଲତର ନାମରେ ପ୍ରସ୍ତୁତ ଏକ ଆଦେଶର ପ୍ରିଣ୍ଟ କପି ଦେଖାଇ ଶିଶୁଙ୍କ ଅଭିଭାବକତ୍ୱ ମା’ଙ୍କୁ ହସ୍ତାନ୍ତର କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିବା ଦାବି କରିଥିଲେ।

ତେବେ ପୋଲିସର ସନ୍ଦେହ ହେବା ପରେ ବରଗଡ଼ ପାରିବାରିକ ଅଦାଲତ ସହ ଯୋଗାଯୋଗ କରି ଯାଞ୍ଚ କରାଯାଇଥିଲା। ଯାଞ୍ଚରେ ସମ୍ପୃକ୍ତ ଆଦେଶଟି ସମ୍ପୂର୍ଣ୍ଣ ନକଲି ବୋଲି ସ୍ପଷ୍ଟ ହୋଇଥିଲା। ସେହିପରି ମହମ୍ମଦ ଜାଭେଦ କୌଣସି ଆଇନଜୀବୀ ନୁହେଁ, ବରଂ ସେ ଜଣେ ସ୍ନାତକ ବୋଲି ଜଣାପଡ଼ିଥିଲା। ତଦନ୍ତରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଅଭିଯୁକ୍ତ କାହକାସା ଅଞ୍ଜୁମଙ୍କ ପରିବାରକୁ ସେମାନଙ୍କ ସପକ୍ଷରେ ଅଦାଲତୀ ଆଦେଶ କରାଇଦେବାର ପ୍ରତିଶ୍ରୁତି ଦେଇ ୫୦ ହଜାର ଟଙ୍କା ନେଇଥିଲେ।

ଘଟଣାକୁ ଗୁରୁତ୍ୱର ସହ ନେଇ ଅତାବିରା ପୋଲିସ ସ୍ୱତଃପ୍ରେରିତ ଭାବେ ମାମଲା ରୁଜୁ କରି ଅଭିଯୁକ୍ତ ମହମ୍ମଦ ଜାଭେଦଙ୍କୁ ଗିରଫ କରିଛି। ତାଙ୍କ ନିକଟରୁ ଗୋଟିଏ ଲେନୋଭୋ ଲ୍ୟାପଟପ୍ ଓ ଗୋଟିଏ ପୋକୋ ମୋବାଇଲ୍ ଫୋନ୍ ଜବତ କରାଯାଇଛି। ପରେ ତାଙ୍କୁ ଅଦାଲତରେ ହାଜର କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।