ଧରିତ୍ରୀ ପ୍ରଭାବ: ରାସ୍ତାରୁ ହଟିଲା ବିପଜ୍ଜନକ ଚାମ୍ବର
ଥୁଆମୂଳ ରାମପୁର, ୧୦ା୭ (ଦୁର୍ଗା କୀର୍ତ୍ତି): ଧରିତ୍ରୀରେ ଖବର ପ୍ରକାଶ ପରେ ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ମୁଖ୍ୟ ରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଦୁଇଟି ସୁଇଚ ଭାଲ ଚାମ୍ବରକୁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ଗତ ସୋମବାର ଗୋଟିଏ କାର୍ ଅଳ୍ପ ସମୟ ବ୍ୟବଧାନରେ କଲମପୁର ଛକ ଓ ପଞ୍ଚାୟତ ଛକ ନିକଟରେ ଥିବା ଦୁଇଟି ମୁକୁଳା ଚାମ୍ବର ଗାତରେ ଗଳି ପଡ଼ିଥିଲା। ଏହି ଖବର ପ୍ରସାରିତ ହେବା ପରେ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଉକ୍ତ ଦୁଇଟି ସ୍ଥାନରେ ମାଟି ଖୋଳି ପାଇପ୍ଲାଇନ ସଂଯୋଗୀକରଣକୁ ବଦଳାଇ ଚାମ୍ବରଗୁଡ଼ିକୁ ମୁଖ୍ୟ ରାସ୍ତାରୁ ଦୂରକୁ ସ୍ଥାନାନ୍ତର କରିଛନ୍ତି। ହେଲେ ବିଇଓ କାର୍ଯ୍ୟାଳୟ ମୁଖ୍ୟ ରାସ୍ତା ପାଖରେ ଥିବା ଆଉ ଏକ ସୁଇଚ ଭାଲ ଚାମ୍ବର ଏବେ ବି ବିପଦସଙ୍କୁଳ ଅବସ୍ଥାରେ ରହିଯାଇଛି। ସେହି ରାସ୍ତା ଦେଇ ପ୍ରତିଦିନ ବହୁ ସଂଖ୍ୟାରେ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରୀଛାତ୍ର, ଅଭିଭାବକ ଓ ଜନସାଧାରଣ ଯାତାୟାତ କରୁଥିବାରୁ ସୁରକ୍ଷିତ ମଣୁନାହାନ୍ତି। କୌଣସି ଦୁର୍ଘଟଣା ଘଟିବା ପୂର୍ବରୁ ପ୍ରଶାସନ ଏହି ତୃତୀୟ ଚାମ୍ବରକୁ ମଧ୍ୟ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।