ଦାରୁବିଗ୍ରହଙ୍କ ଅଧରପଣା ନୀତି ଆରମ୍ଭ

Jul 26, 2026 - 18:47
ଦାରୁବିଗ୍ରହଙ୍କ ଅଧରପଣା ନୀତି ଆରମ୍ଭ

ପୁରୀ,୨6ା୭(ଅଜିତ୍‌ କୁମାର ମହାନ୍ତି): ସରି ଆସୁଛି ଘୋଷଯାତ୍ରା। ଶନିବାର ରଥ ଉପରେ ଶ୍ରୀବିଗ୍ରହମାନଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିବା ବେଳେ ରବିବାର ଅଧରପଣା ନୀତି ଆରମ୍ଭ ହୋଇଯାଇଛି।

ପାଣିଆ ଆପଟ ସେବକମାନେ ସିଂହଦ୍ୱାର ନିକଟରେ ଥିବା ଛାଉଣି ମଠ ସମ୍ମୁଖସ୍ଥ କୂପରୁ ପାଣି ଆଣିବା ଆରମ୍ଭ କରିଦେଇଛନ୍ତି। ପାଣି ଆସିବା ପରେ ଛେନା, ସର, କଦଳୀ, ଛାଚି, ଗୋଲମରିଚ ଗୁଣ୍ଡ, କର୍ପୂର, ଜାଇଫଳ ପ୍ରଭୃତି ପଡ଼ି ଅଧରପଣା ପ୍ରସ୍ତୁତ କରାଯିବ।

ପଣାକୁ ଅଧର ଚୁମ୍ବିତ ମାଟି ହାଣ୍ଡିଗୁଡିକରେ ରଖାଯିବ ପାଳିଆ ପୂଜାପଣ୍ଡା ସାମନ୍ତ ପଞ୍ଚ ଉପଚାରରେ ଦାରୁବିଗ୍ରହମାନଙ୍କୁ ଭୋଗ ଲାଗି କରିବେ। ପରେ ଠାକୁରମାନଙ୍କ ସମ୍ମୁଖରେ ପଣାହାଣ୍ଡିଗୁଡିକୁ ଭାଙ୍ଗି ଦିଆଯିବ।

ଜନଶ୍ରୁତି ଅନୁଯାୟୀ, ତିନିରଥରେ ଠାକୁରଙ୍କ ସାଥିରେ ୩୩ କୋଟି ଦେବଦେବୀ, ଅସୁର, ଅଶରୀରୀ, କିନ୍ନର, ନାଗ, ଚଣ୍ଡୀ, ଚାମୁଣ୍ଡା, ଭୂତ, ପ୍ରେତ ଯାଇଥାନ୍ତି। ସେଥିପାଇଁ ଠାକୁରମାନଙ୍କୁ ଅର୍ପିତ ହୋଇଥିବା ଅଧରପଣା ରଥର ପାଶର୍‌ବ ଦେବଦେବୀ, ଅନ୍ୟାନ୍ୟ ଚଣ୍ଡୀ ଚାମଣ୍ଡା ଓ ଅଶରୀରୀମାନଙ୍କ ପାଇଁ ଉଦ୍ଦିଷ୍ଟ।

ତେଣୁ ଅଧରପଣା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଇଥାଏ, ଯାହାଫଳରେ ଦେବ ଦାନବ ଚଣ୍ଡୀ ଚାମୁଣ୍ଡା ସମସ୍ତ ମହାପ୍ରଭୁଙ୍କ ପଣାପାଇ ତୁପ୍ତ ହୋଇ ସ୍ବସ୍ଥାନକୁ ଫେରିଯାଇଥାନ୍ତି ବୋଲି ବିଶ୍ୱାସ ରହିଛି। ଏହି କାରଣରୁ ସାଧାରଣତଃ ଏହି ପଣା କାହାକୁ ଦିଆଯାଇ ନ ଥାଏ। ଏପରି କି ସେବକମାନେ ମଧ୍ୟ ପଣା ପିଇ ନ ଥାନ୍ତି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।