ତୀରନ୍ଦାଜ ପ୍ରତିଯୋଗିତା: କଳାହାଣ୍ଡର ୩ ପ୍ରତିଯୋଗୀ ଜାତୀୟସ୍ତରକୁ ମନୋନୀତ
ଲାଞ୍ଜିଗଡ଼,୨୭।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ତୀରନ୍ଦାଜ ପ୍ରତିଯୋଗୀମାନେ ସିବିଏସଇ ପୂର୍ବାଞ୍ଚଳ ତୀରନ୍ଦାଜ ପ୍ରତିଯୋଗିତାରେ ୩ଟି ସ୍ବର୍ଣ୍ଣ ଏବଂ ଗୋଟିଏ କାଂସ୍ୟ ପଦକ ହାସଲ କରିଛନ୍ତି । କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ବିକାଶ ଆବାସିକ ବିଦ୍ୟାଳୟ ପରିସରରେ ଗତ ୨୪ ତାରିଖରୁ ୨୬ ପର୍ଯ୍ୟନ୍ତ ଚାଲିଥିବା ଏହି ପ୍ରତିଯୋଗିତାରେ ଲାଞ୍ଜିଗଡ ଡ଼ିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ଏହି ପ୍ରତିଯୋଗୀମାନେ ବିଦ୍ୟାଳୟର ଶିକ୍ଷକ ଗଜାଧର ପଟେଲଙ୍କ ନେତୃତ୍ୱରେ ୧୯ବର୍ଷରୁ ନିମ୍ନବର୍ଗରେ କ୍ଷୀରୋଦ କୁମାର, ୧୭ ବର୍ଷରୁ ନିମ୍ନବର୍ଗର ଓଁକାର ମାଝୀ ଏବଂ ୧୪ ବର୍ଷରୁ ନିମ୍ନବର୍ଗର ରାଜ ରାଜଶ୍ରୀ ମାଝୀ ଭାଗ ନେଇଥିଲେ।
ଏପରିକି ପ୍ରତିଯୋଗିତାରେ ଦେଶର ୧୧ଟି ରାଜ୍ୟର ସିବିଏସଇ ଅନୁବନ୍ଧିତ ବିଦ୍ୟାଳୟରୁ ୩୫୦ରୁ ଅଧିକ ପ୍ରତିଭାବାନ ବାଳିକା ଓ ବାଳକ ତୀରନ୍ଦାଜ, ଟିମ୍ ମ୍ୟାନେଜର ଓ କୋଚ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ୧୪ ବର୍ଷରୁ ନିମ୍ନବର୍ଗ, ୧୭ ବର୍ଷରୁ ନିମ୍ନବର୍ଗ ଓ ୧୯ବର୍ଷରୁ ନିମ୍ନବର୍ଗରେ ଇଣ୍ଡିଆନ, ରିକର୍ବ ଓ କମ୍ପାଉଣ୍ଡସ୍ତରରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ଏଥିରେ ଲାଞ୍ଜିଗଡର ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ୧୯ବର୍ଷରୁ ନିମ୍ନବର୍ଗରେ କ୍ଷୀରୋଦ କୁମାର ୪୦ ମିଟର ଓ ୩୦ ମିଟର ତୀରନ୍ଦାଜ ପ୍ରତିଯୋଗିତାରେ ଦୁଇଟି ସ୍ବର୍ଣ୍ଣ ପଦକ ଏବଂ ସାମଗ୍ରିକ ଭାବେ ଆଉ ଏକ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ୧୪ ବର୍ଷରୁ ନିମ୍ନବର୍ଗରେ ରାଜ ରାଜଶ୍ରୀ ମlଝି କାଂସ୍ୟ ପଦକ ହାସଲ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଥିବା ସହିତ ବିଦ୍ୟାଳୟର ୩ ଜଣ ପ୍ରତିଯୋଗୀ କ୍ଷୀରୋଦ କୁମାର, ଓଁକାର ମାଝି ଓ ରାଜ ରାଜଶ୍ରୀ ମାଝି ଆନ୍ତର୍ଜାତୀୟସ୍ତରକୁ ମନୋନୀତ ହୋଇଛନ୍ତି। ଏନେଇ ବିଦ୍ୟାଳୟ ଅଧ୍ୟକ୍ଷ ସର୍ବେଶ୍ୱର ଭୁଜବଳ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକମାନେ କୃତୀ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।