ଟ୍ରାକ୍ଟର ଧକ୍କାରେ ଶ୍ରମିକ ମୃତ, କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

Jun 29, 2026 - 14:42
ଟ୍ରାକ୍ଟର ଧକ୍କାରେ ଶ୍ରମିକ ମୃତ, କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ଦିଗପହଣ୍ଡି,୨୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ହସ୍ପିଟାଲ ଛକ ମୁଖ୍ୟରାସ୍ତାରେ ସୋମବାର ପୂର୍ବାହ୍ନ  ପ୍ରାୟ ୧୦ ଟାରେ ଏକ ବାଲି ବୋଝେଇ ଟ୍ରାକ୍ଟର (ନଂ. ଓଡ଼ି୦୭ ଏଏସ -୫୬୨୨) ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଦିଗପହଣ୍ଡି ସାହାଣୀ ସାହିର ଚନ୍ଦନ ଦାସ ଓରଫ ବୁଡୁ(୪୦) । କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକେ ରାସ୍ତାରେ ପଥର ପକାଇ  ଟାୟାର ଜାଳି  ଅବରୋଧ କରିଥିଲେ। ରାସ୍ତାର ଉଭୟ କଡରେ ଗାଡ଼ି ମଟର ଅଟକି ରହିଥିଲା। ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ, ଆଇଆଇସି କିଶୋର କୁମାର ସାମଲ ଓ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ରେଡକ୍ରସ ପାଣ୍ଠିରୁ ଅନୁକମ୍ପାମୂଳକ ସହାୟତା ଦିଆଯିବାର ପ୍ରତିଶ୍ରୁତି ଦେବା ସହ  ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ । ଏହାପରେ ପୂର୍ବାହ୍ନ ପ୍ରାୟ ୧୧ ଟାରେ ରାସ୍ତା ଅବରୋଧ ହଟିଥିଲା।

ଚନ୍ଦନ ଦାଦନ ଶ୍ରମିକ ଭାବେ କାମ କରନ୍ତି। ସେମବାର ମଧ୍ୟାହ୍ନରେ ସେ କାମ କରିବା ପାଇଁ ଆନ୍ଧ୍ରପ୍ରଦେଶ ଇଛାପୁର ସହରକୁ ଯିବାକୁ ପ୍ରସ୍ତୁତ ହେଉଥିଲେ। ଚନ୍ଦନ ତାଙ୍କ ପୁଅଙ୍କୁ ଧରି ହସ୍ପିଟାଲ ଛକ ରାସ୍ତାକଡରେ ଥିବା ତାଙ୍କ ଘରୁ ଯାଉଥିବା ବେଳେ ବିପରୀତ ଦିଗରୁ ଦୃତଗତିରେ ଆସୁଥିବା ଏକ ବାଇକ ମୁହଁରୁ ପୁଅକୁ ବଞ୍ଚାଇବା ପାଇଁ ଚେଷ୍ଟା କରିବା ବେଳେ ନିୟନ୍ତ୍ରଣ ହରାଇ ସେ ରାସ୍ତା ଉପରେ ପଡିଯିବାରୁ ଟ୍ରାକ୍ଟରଟି ତାଙ୍କ ଉପରେ ମାଡ଼ିଯାଇଥିଲା। ଆଖାପଖରେ ଥିବା ଲୋକେ ତାଙ୍କୁ ଉଦ୍ଧାର କରି  ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏନେଇ ଦିଗପହଣ୍ଡି ଥାନାରେ ଏତଲା ହେବାପରେ ଆଇଆଇସି କିଶୋର କୁମାର ସାମଲ ମକଦ୍ଦମା ରୁଜୁ କରିଛନ୍ତି । ପୋଲିସ ଟିମ୍ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ କୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ବ୍ୟବଚ୍ଛେଦ ପରେ ମୃତଦେହ କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ଶେଷକୃତ୍ୟ କରାଯାଇଛି। ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରକୁ ଜବତ କରି ଥାନାକୁ ନେଇଛନ୍ତି। ଟ୍ରାକ୍ଟର ଚାଳକ ଫେରାର ଥିବା ପୋଲିସ କହିଛି ।

 

Dharitri – Odisha’s No.1 Odia Daily