ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆଶାକର୍ମୀଙ୍କ ଆନ୍ଦୋଳନ

Jul 09, 2026 - 17:50
ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆଶାକର୍ମୀଙ୍କ ଆନ୍ଦୋଳନ

ଛତ୍ରପୁର,୯।୭(ଦିଲ୍ଲୀପି ସାମଲ): ଭାରତୀୟ ମଜଦୁର ସଂଘ ଅନୁମୋଦିତ ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ ଗଞ୍ଜାମ ଜିଲା ପକ୍ଷରୁ ୯ ଦଫା ଦାବି ନେଇ ଗୁରୁବାର ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଏହି ଅବସରରେ ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧିନସ୍ଥ କାର୍ଯ୍ୟରତ ସମସ୍ତ ଆଶାକର୍ମୀଙ୍କୁ କର୍ମଚାରୀ ମାନ୍ୟତା ପ୍ରଦାନ ସହିତ ସର୍ବନିମ୍ନ ଦରମା ୧୮୦୦୦ ଟଙ୍କା, ଇଏସ୍‌ଆଇ ଏବଂ ଇପିଏଫଓ ଅନ୍ତର୍ଗତ ପଞ୍ଜୀକୃତ କରି ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରିବା, ପ୍ରତିମାସ ୧୦ ତାରିଖରେ ଦରମା ପ୍ରଦାନ ସୁନିଶ୍ଚିତ କରିବାକୁ ଦାବି କରାଯାଇଛି।

ଏପରିକି ଆଶାକର୍ମୀଙ୍କ ଉପରେ ହେଉଥିବା ଦୁର୍ବ୍ୟବହାର ଏବଂ ଅସଦାଚରଣ ଉପରେ କାର୍ଯ୍ୟାନୁଷ୍ଠାନ, ପ୍ରତି ଗାଁରେ ଅଙ୍ଗନୱାଡି ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିକଟରେ ଆଶା କେନ୍ଦ୍ର ନିର୍ମାଣ, ଶିକ୍ଷାଗତ ଯୋଗ୍ୟତା ଆଧାରରେ ତାଲିମ ପ୍ରଦାନ କରି ଏଏନ୍‌ଏମ୍‌ ପଦବୀକୁ ପଦୋନ୍ନତି, କାର୍ଯ୍ୟ ସମୟରେ ଦୁର୍ଘଟଣା ବାବାଦରେ ପରିବାରକୁ ୧୦ ଲକ୍ଷ ଟଙ୍କା ତଥା ଶାରୀରିକ ଅକ୍ଷମତା ହେଲେ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ, ଗ୍ରୁପ ସ୍ବାସ୍ଥ୍ୟ ବୀମା, ସେବା ନିବୃତ ସମୟରେ ଏକକାଳୀନ ୧୦ ଲକ୍ଷ ଟଙ୍କା ସହାୟତା ଓ ପ୍ରତିମାସ ୫ ହଜାର ଟଙ୍କା ଭତ୍ତା ପ୍ରଦାନ, ସୂଚାରୁ ରୂପେ କାର୍ଯ୍ୟ ପରିଚାଳନା ନିମନ୍ତେ ୫ଜି ମୋବାଇଲ ଫୋନ ବ୍ୟବସ୍ଥା ଆଦି ୯ ଦଫା ଦାବି ପୂରଣ କରିବା ପାଇଁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି।

ଆଶାକର୍ମୀଙ୍କ କହିବା ମୁତାବକ, ଯଦି ସରକାର ଉକ୍ତ ଦାବି ଗୁଡିକ ପୂରଣ ନ କରନ୍ତି ତେବେ ସେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରି ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ଜିଲାର ବିଭିନ୍ନ ସ୍ଥାନରୁ ଆସିଥିବା ସଂଘର ସଦସ୍ୟମାନେ ସ୍ଥାନୀୟ ନୂତନ ବସଷ୍ଟାଣ୍ଡଠାରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଞ୍ଚ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଜିଲାପାଳଙ୍କ ଅନୁପସ୍ଥିତିରେ ସଂଘ ପକ୍ଷରୁ ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ନାୟକଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।