ଜାତୀୟ ରାଜପଥର ଫୁଟ୍ପାଥରୁ ଲୁହା ରେଲିଂ କାଟି ନେଇଗଲେ ଦୁର୍ବୃତ୍ତ, ଠିକାସଂସ୍ଥାର ପ୍ରକଳ୍ପ ଅଧିକାରୀ କହିଲେ…
ଦାରିଙ୍ଗବାଡ଼ି,୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦେଇ ଯାଇଥିବା ଗୋପାଳପୁରଠାରୁ ରାଇପୁର ରାସ୍ତାର ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ରାଜପଥର ଫୁଟ୍ପାଥରେ ଲାଗିଥିବା ଲୁହା ରେଲିଂଗୁଡିକୁ ଦୁର୍ବୃତ୍ତ କାଟି ଚୋରି କରି ନେଉଥିବା ଅଭିଯୋଗ ହୋଇଛି। ଗୋଟିଏ ସ୍ଥାନରେ ରେଲିଂ କାଟି ଚୋରି ଉଦ୍ୟମ ବେଳେ କୌଣସି କାରଣରୁ ଦୁର୍ବୃତ୍ତ ରେଲିଂକୁ କାଟିବା ପରେ ଛାଡ଼ି ଚାଲିଯାଇଥିବା ଜଣାପଡ଼ିଛି।
ପ୍ରକାଶ ଯେ, ପଞ୍ଚୁପଲିଠାରୁ ବାଲିଗୁଡ଼ା ପର୍ଯ୍ୟନ୍ତ ଉକ୍ତ ରାଜପଥରେ ଫୁଟ୍ପାଥ ରେଲିଂ ଯାତ୍ରୀଙ୍କ ପାଦରେ ଚାଲିକି ସୁରକ୍ଷିତ ଭାବେ ଯାତାୟାତ ପାଇଁ କରାଯାଇଥିଲା କିନ୍ତୁ ଏକାଧିକ ସ୍ଥାନରେ ଉକ୍ତ ରାଜପଥରେ ରେଲିଂଗୁଡିକୁ ଦୁର୍ବୃତ୍ତମାନେ ସିଧା ଚୋରି କରି ନେଇଯାଉଥିବା ଅଭିଯୋଗ ହୋଇଛି। ପୁର୍ବରୁ ଜାତୀୟ ରାଜପଥ ପକ୍ଷରୁ ସୋଲାର ଷ୍ଟ୍ରିଟ୍ ଲାଇଟ୍ରୁ ବ୍ୟାଟେରୀ ଓ ସୋଲାର ପ୍ୟାନେଲ ଚୋରି ହୋଇଥିବା ବେଳେ ଏବେ ରେଲିଂ ଚୋର ମାତିଥିବା ଅଭିଯୋଗ ହୋଇଛି। ସିମନବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ଶିକ୍ଷକଙ୍କ ବାସଭବନ ସମ୍ମୁଖରୁ କେହି ଦୁର୍ବୃତ୍ତ ଏହି ରେଲିଂ କାଟି ଦେଇଥିବା ସେ ରାଜପଥ ବିଭାଗର ଠିକାସଂସ୍ଥାକୁ ଜଣାଇଥିବା କହିଛନ୍ତି। ସେ ତୁରନ୍ତ ଏହାର ତଦନ୍ତ କରିବାକୁ ଦାବି କରି ଦୁର୍ବୃତ୍ତଙ୍କୁ ଆଇନ ଅନୁସାରେ ଦଣ୍ଡିତ ପାଇଁ ନିବେଦନ କରିଛନ୍ତି। ଏନେଇ ଠିକାସଂସ୍ଥାର ପ୍ରକଳ୍ପ ଅଧିକାରୀ ଶିଶିର ସ୍ବାଇଁ ଚୋରି ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରିବୁ ବୋଲି ପ୍ରତିକ୍ରିୟାରେ କହିଛନ୍ତି।