ଜଣାପଡିଲା ଭାଜପାର ଭିତିରି ଗେମ୍‌: ଇସ୍ତଫା ଦେବା ପରେ ଧର୍ମେନ୍ଦ୍ରଙ୍କୁ ମିଳିବ ଏହି ବଡ଼ ଦାୟିତ୍ୱ! ଓଡ଼ିଶାରେ…

Jul 27, 2026 - 15:07
ଜଣାପଡିଲା ଭାଜପାର ଭିତିରି ଗେମ୍‌: ଇସ୍ତଫା ଦେବା ପରେ ଧର୍ମେନ୍ଦ୍ରଙ୍କୁ ମିଳିବ ଏହି ବଡ଼ ଦାୟିତ୍ୱ! ଓଡ଼ିଶାରେ…

ନୂଆଦିଲ୍ଲୀ, ୨୭॥୭: ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ତାଙ୍କ ଇସ୍ତଫାକୁ ଗ୍ରହଣ କରିଥିବା ବେଳେ ପ୍ରହ୍ଲାଦ ଜୋଶୀଙ୍କୁ ଦେଶର ନୂତନ ଶିକ୍ଷାମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି। ଏବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି, ଧର୍ମେନ୍ଦ୍ର ପ୍ରଧାନଙ୍କ ପରବର୍ତ୍ତୀ ରାଜନୈତିକ ଭବିଷ୍ୟତ କ’ଣ ହେବ? ଭାଜପାରେ ତାଙ୍କ ଭୂମିକା କେଉଁ ଦିଗକୁ ଯିବ? ଏହି ପ୍ରଶ୍ନର ଉତ୍ତର ଖୋଜିବା ପୂର୍ବରୁ ବୁଝିବା ଜରୁରୀ ଯେ, ଛାତ୍ର ଆନ୍ଦୋଳନ ମଧ୍ୟରେ ଧର୍ମେନ୍ଦ୍ର ପ୍ରଧାନ ହଠାତ୍‌ ଇସ୍ତଫା କାହିଁକି ଦେଲେ? କାରଣ ଛାତ୍ର ଆନ୍ଦୋଳନ ତ ଦୀର୍ଘ ଦିନ ଧରି ଚାଲିଆସୁଥିଲା ଏବଂ ସରକାର ତାଙ୍କ ଇସ୍ତଫା ପ୍ରସଙ୍ଗରେ ପୂର୍ବରୁ ପ୍ରସ୍ତୁତ ନଥିଲେ।

ବାସ୍ତବରେ, ୨୦ ଜୁଲାଇରେ ସଂସଦ ମାର୍ଚ୍ଚ ସମୟରେ ହିଂସାକାଣ୍ଡ ଘଟିବା ପରେ ଛାତ୍ର ଆନ୍ଦୋଳନର ରୂପ ଦ୍ରୁତ ଗତିରେ ବଦଳିବାକୁ ଲାଗିଥିଲା। ଦେଶର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟକ ଛାତ୍ର ଦିଲ୍ଲୀର ଜନ୍ତର-ମନ୍ତରରେ ଏକତ୍ରିତ ହେଉଥିଲେ। ଏହା ସହିତ ଦେଶର ଅନେକ ସହରରେ ପ୍ରଶ୍ନପତ୍ର ଲିକକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ ମଧ୍ୟ ଚାଲିଥିଲା।

ଏହି ସମୟରେ ସରକାରଙ୍କ ପକ୍ଷରୁ ଜେ.ପି. ନଡ୍ଡା ଓ ଡା. ଜିତେନ୍ଦ୍ର ସିଂହ CJPର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ। CJP ପକ୍ଷରୁ ପ୍ରଥମ ସର୍ତ୍ତ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରାଯାଇଥିଲା। ଦ୍ୱିତୀୟ ସର୍ତ୍ତ ଥିଲା, NEET ପରୀକ୍ଷାକୁ କେନ୍ଦ୍ର କରି ଆତ୍ମହତ୍ୟା କରିଥିବା ଛାତ୍ରୀଛାତ୍ରଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯାଉ। ତୃତୀୟ ସର୍ତ୍ତ ଥିଲା, ଆନ୍ଦୋଳନରେ ସାମିଲ ଛାତ୍ରୀଛାତ୍ରଙ୍କ ବିରୋଧରେ କୌଣସି ପ୍ରକାରର ଆଇନଗତ କାର୍ଯ୍ୟାନୁଷ୍ଠାନ ନ କରାଯାଉ।

ଏହା ମଧ୍ୟରେ ସୋସିଆଲ ମିଡିଆରେ ଛାତ୍ରୀଛାତ୍ରମାନେ ବ୍ୟାପକ ଅଭିଯାନ ଆରମ୍ଭ କରିଥିଲେ। ଏହି ଆନ୍ଦୋଳନ କେବଳ ଦିଲ୍ଲୀରେ ସୀମିତ ନ ରହି ସମଗ୍ର ଦେଶକୁ ବ୍ୟାପିବାକୁ ଲାଗିଥିଲା। ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର ଗୋଟିଏ ରାତି ପୂର୍ବରୁ ଜନ୍ତର-ମନ୍ତରରେ ବିପୁଳ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ। ସରକାରଙ୍କ ପାଖକୁ ଲଗାତାର ସୂଚନା ଆସୁଥିଲା ଯେ, କିଛି ଅସାମାଜିକ ତତ୍ତ୍ୱ ଏହି ଆନ୍ଦୋଳନକୁ ଭ୍ରମିତ କରି ଏହାର ସୁଯୋଗ ନେବାକୁ ଚେଷ୍ଟା କରିପାରନ୍ତି।

ପ୍ରଥମ- ଭାଜପା ସଂଗଠନକୁ ପୁଣି ଫେରିବା। ତେବେ ବରିଷ୍ଠ ନେତା ଭାବେ ଦଳୀୟ ସଂଗଠନରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ କେଉଁ ଦାୟିତ୍ୱ ମିଳିବ, ତାହା ଏବେ କହିବା କଷ୍ଟକର। ହେଲେ ୨୦୨୨ର ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ସେ ନିର୍ବାଚନ ପ୍ରଭାରୀ ଭାବେ ଭାଜପାକୁ ପୁଣି କ୍ଷମତାକୁ ଫେରାଇବାରେ ଭୂମିକା ନେଇଥିଲେ। ଏପରି ସ୍ଥିତିରେ ୨୦୨୭ ଉତ୍ତର ପ୍ରଦେଶ ନିର୍ବାଚନର ଦାୟିତ୍ୱ ପୁଣି ତାଙ୍କୁ ଦିଆଯାଇପାରେ କି, ସେନେଇ ଚର୍ଚ୍ଚା ଚାଲିଛି।

ଦ୍ୱିତୀୟ- କିଛି ମାସ ପରେ ପୁଣି କେନ୍ଦ୍ର ମନ୍ତ୍ରିମଣ୍ଡଳକୁ ଫେରିବା। ରାଜନୈତିକ ବିଶ୍ଳେଷକମାନେ ଏହି ସମ୍ଭାବନାକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରୁନାହାନ୍ତି।

ତୃତୀୟ- ଅନେକ ବିଶ୍ଳେଷକଙ୍କ ମତରେ, ଧର୍ମେନ୍ଦ୍ର ପ୍ରଧାନଙ୍କର ଓଡ଼ିଶା ରାଜନୀତିକୁ ପୁଣି ଫେରିବାର ସମ୍ଭାବନା ମଧ୍ୟ ରହିଛି। ଅର୍ଥାତ୍‌ ରାଜ୍ୟର ସର୍ବୋଚ୍ଚ ପଦ ପାଇଁ ତାଙ୍କ ନାମ ବିଚାରକୁ ଆସିପାରେ। ଏହା ମଧ୍ୟ ତାଙ୍କ ପାଇଁ ଏକ ସମ୍ଭାବ୍ୟ ବିକଳ୍ପ ହୋଇପାରେ।

ଏବେ ଦେଖିବାକୁ ବାକି ରହିଲା, ଭାଜପା ଧର୍ମେନ୍ଦ୍ର ପ୍ରଧାନଙ୍କୁ କେଉଁ ଭୂମିକାରେ ଏବଂ କେଉଁଠି ରାଜନୈତିକ ଭାବେ ବ୍ୟବହାର କରୁଛି।

Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।