ଛାତ୍ର ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ ସଲମାନ ଖାନ୍‌, ଏମିତି କହିଲେ ରାଜନୀତିରେ ଚହଳ

Jul 23, 2026 - 08:31
ଛାତ୍ର ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ ସଲମାନ ଖାନ୍‌, ଏମିତି କହିଲେ ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୩।୭: ବଲିଉଡ୍ ସୁପରଷ୍ଟାର୍ ସଲମାନ ଖାନ୍ ଛାତ୍ର ଆନ୍ଦୋଳନକୁ ନେଇ ପ୍ରଥମ ଥର ପାଇଁ ଖୋଲାଖୋଲି ଭାବେ ନିଜର ମତ ରଖିଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ଏହି ଆନ୍ଦୋଳନ ଆରମ୍ଭରୁ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ କିଛି ଲୋକ ଏହାକୁ ରାଜନୈତିକ ରୂପ ଦେବାକୁ ଚେଷ୍ଟା କଲେ, ଯାହା ଫଳରେ ପରିସ୍ଥିତି ବିଗିଡ଼ିଗଲା। ସଲମାନ ହିଂସା ଘଟଣାରେ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ଏହି ସମୟରେ ଯେଉଁ ଛାତ୍ର ଏବଂ ସେମାନଙ୍କ ପରିବାର ଆହତ ହୋଇଛନ୍ତି, ସେମାନଙ୍କ ପ୍ରତି ତାଙ୍କର ସମ୍ପୂର୍ଣ୍ଣ ସମବେଦନା ରହିଛି। ସେ ପ୍ରଶ୍ନପତ୍ର ଲିକ୍ (Paper Leak) କୁ ଏକ ଅତ୍ୟନ୍ତ ଗମ୍ଭୀର ମୁଦ୍ଦା ବୋଲି କହିବା ସହ ଏହା ବିରୋଧରେ ଛାତ୍ରମାନେ ସ୍ୱର ଉତ୍ତୋଳନ କରିବା ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ ବୋଲି ପ୍ରକାଶ କରିଛନ୍ତି।

ଅଭିନେତା କହିଛନ୍ତି ଯେ, ସାରା ଦେଶର ଛାତ୍ରଛାତ୍ରୀମାନେ ଶ୍ରେଷ୍ଠ ଶିକ୍ଷା ବ୍ୟବସ୍ଥାର ଦାବି ନେଇ ଯେପରି ଏକଜୁଟ୍ ହୋଇ ସ୍ୱର ଉଠାଇଛନ୍ତି, ତାହା ଅତ୍ୟନ୍ତ ପ୍ରଶଂସନୀୟ। ସଲମାନଙ୍କ କହିବା ଅନୁଯାୟୀ, ଛାତ୍ରମାନେ କଠିନ ପରିଶ୍ରମ କରି ପଢ଼ିବା, ନିଜର ଭବିଷ୍ୟତ ଗଢ଼ିବା ଏବଂ ଦେଶକୁ ଶିକ୍ଷିତ କରିବାର ଚିନ୍ତାଧାରା ନେଇ ଏହି ଆନ୍ଦୋଳନ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଛାତ୍ରମାନଙ୍କ ବାପା-ମା’ ମଧ୍ୟ ସେମାନଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିଛନ୍ତି, ଯାହାକି ଏକ ଅତ୍ୟନ୍ତ ସକାରାତ୍ମକ କଥା। ଅଭିନେତାଙ୍କ ମତରେ, ଛାତ୍ରମାନେ ପୂରା ଆନ୍ଦୋଳନକୁ ଶାନ୍ତିପୂର୍ଣ୍ଣ ଭାବେ ଆଗେଇ ନେଇଥିଲେ ଏବଂ ସେମାନେ ଯେଉଁ ସାହସ ଓ ଦାୟିତ୍ୱବୋଧର ପରିଚୟ ଦେଇଛନ୍ତି, ତାହା ପ୍ରଶଂସାର ଯୋଗ୍ୟ।

ସଲମାନ ଖାନ୍ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଏହି ମୁଦ୍ଦା କେବଳ ଛାତ୍ର ଏବଂ ଶିକ୍ଷା ବ୍ୟବସ୍ଥା ମଧ୍ୟର, ତେଣୁ ଏହାକୁ ରାଜନୈତିକ ରୂପ ଦିଆଯିବା ଉଚିତ ନୁହେଁ। ସେ କହିଛନ୍ତି ଯେ, ଏହି ଆନ୍ଦୋଳନର ସମ୍ପୂର୍ଣ୍ଣ ଶ୍ରେୟ କେବଳ ଛାତ୍ରମାନଙ୍କୁ ମିଳିବା ଉଚିତ; କାରଣ ସେମାନେ ନିଜର ପରିଶ୍ରମ ଏବଂ ଭବିଷ୍ୟତକୁ ଧ୍ୟାନରେ ରଖି ଏହି ପଦକ୍ଷେପ ନେଇଛନ୍ତି। ସଲମାନ ବିଶ୍ୱାସ ପ୍ରକଟ କରିଛନ୍ତି ଯେ, ସରକାର ମଧ୍ୟ ଛାତ୍ରମାନଙ୍କ ସାଥ୍ ଦେବେ ଏବଂ ଦେଶର ଶିକ୍ଷା ବ୍ୟବସ୍ଥାକୁ ପୂର୍ବ ଅପେକ୍ଷା ଅଧିକ ମଜବୁତ୍ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ। ତାଙ୍କ ମତରେ, ଯଦି ଏପରି ହୁଏ, ତେବେ ତାହା ଛାତ୍ର ଏବଂ ଦେଶ ଉଭୟଙ୍କ ପାଇଁ ଲାଭଦାୟକ ହେବ।

ଅଭିନେତା କହିଛନ୍ତି ଯେ, ଆଜିର ଯୁବପିଢ଼ି ପଢ଼ାପଢ଼ିକୁ ନେଇ ପୂର୍ବ ଅପେକ୍ଷା ଅଧିକ ଗମ୍ଭୀର ଏବଂ ଉତ୍ସାହିତ।  ସଲମାନ ଖାନ୍ କହିଛନ୍ତି ଯେ, ଶିକ୍ଷା ହିଁ ଆଗାମୀ ସମୟର ସବୁଠାରୁ ବଡ଼ ଟ୍ରେଣ୍ଡ୍ ଏବଂ ଫ୍ୟାଶନ୍ ହେବା ଉଚିତ। ତାଙ୍କର ସ୍ୱପ୍ନ ଯେ, ଭାରତ ଏପରି ଏକ ମଜବୁତ୍ ଶିକ୍ଷା କେନ୍ଦ୍ର ଭାବେ ଗଢ଼ିଉଠୁ, ଯେପରି ଅନ୍ୟ ଦେଶର ଛାତ୍ରଛାତ୍ରୀମାନେ ମଧ୍ୟ ଏଠାକୁ ପଢ଼ିବା ପାଇଁ ଆସିବେ ଏବଂ ଭାରତ ସାରା ବିଶ୍ୱର ଏଜୁକେସନ୍ ହବ୍ (Education Hub) ପାଲଟିବ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।