ଚାଲ ଫେରିବା ଗାଁକୁ
ଗ୍ରାମାଞ୍ଚଳ ଓ ଗ୍ରାମ୍ୟ ଜୀବନ କାହାକୁ ଆକୃଷ୍ଟ ନ କରେ! ମୋ ଜନ୍ମସ୍ଥାନଟି ହେଉଛି ରାଜ୍ୟର ଉପକୂଳବର୍ତ୍ତୀ ବ୍ରାହ୍ମଣୀ ନଦୀକୂଳ ଆଳି ମାଣିକପାଟଣା। ଗଁାଦିନର ସ୍ମୃତି ଅନେକ। ନଈରେ ଡିଅଁା, ସାଙ୍ଗସାଥୀଙ୍କ ସହ କୁସ୍ତିକସରତ ଓ ପିଲାଦିନର ସ୍ମୃତିକୁ କିଏବା ଭୁଲିପାରିବ? ଗଁା ଦିନର ଅନୁଭୂତି କେତେ ଯେ ମୂଲ୍ୟବାନ୍ ଗତ କରୋନା ସମୟରେ ଏହାକୁ କେବଳ ହୃଦୟଙ୍ଗମ କରି ନ ଥିଲୁ, ମର୍ମେ ମର୍ମେ ବୁଝିଥିଲୁ। ଗ୍ରାମାଞ୍ଚଳର ସୁନ୍ଦର ପରିବେଶ, ସରଳ ଜନଜୀବନ, ପରମ୍ପରା ଓ ଚଳଣି ପାଇଁ ତ କବି ଓ ଭାବୁକମାନେ ପାଗଳ। ପ୍ରସିଦ୍ଧ ଇଂରେଜ କବି ଉଇଲିୟମ ୱାର୍ଡସ୍ୱର୍ଥ ପ୍ରାଚୁର୍ଯ୍ୟଭରା କେମ୍ବ୍ରିଜ୍ ଛାଡ଼ି ସାରା ଜୀବନ କଟାଇ ଦେଇଥିଲେ ନିଜର ଜନ୍ମସ୍ଥାନ କିମ୍ବର୍ଲାଣ୍ଡରେ। ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସେ ଗ୍ରାମବାସୀଙ୍କ ସହ ରହିଥିଲେ। ଯଦି ଭାରତ କଥା ବିଚାର କରାଯାଏ, ତେବେ ମହାତ୍ମା ଗାନ୍ଧୀ ଯଥାର୍ଥରେ କହିଥିଲେ ଭାରତର ଆତ୍ମା ରହିଛି ଭାରତର ଗଁାଗୁଡ଼ିକରେ। ଗଁାର ବିକାଶ ବିନା ଦେଶର ଅଗ୍ରଗତି ଅସମ୍ଭବ। ତେଣୁ ଦେଶ ସ୍ବାଧୀନ ହେବା ପରଠାରୁ ଏପର୍ଯ୍ୟନ୍ତ ଭାରତୀୟ ଗ୍ରାମାଞ୍ଚଳ ଦେଶର ଅର୍ଥନୈତିକ ମାନଦଣ୍ଡକୁ ନିର୍ଦ୍ଧାରଣ କରୁଛି।
ଓଡ଼ିଶା ଗ୍ରାମାଞ୍ଚଳର ପରିସ୍ଥିତି ଅନୁଧ୍ୟାନ କଲେ ଏହାର ଦୁଇଟି ପାର୍ଶ୍ୱ ଦେଖିହୁଏ। ଗ୍ରାମାଞ୍ଚଳଗୁଡ଼ିକର ପରିବର୍ତ୍ତିତ ରୂପ ସାମ୍ନାକୁ ଆସେ। ଏହି ପରିବର୍ତ୍ତିତ ରୂପ ହେଉଛି ପୁରୁଣା ସହ ନୂଆର ମିଳନ। ଧୀରେ ଧୀରେ ପୁରୁଣା ହିଁ ବାଟଛାଡ଼ି ଦେଉଛି ନୂଆକୁ। ଏହି ନୂଆ ହେଉଛି ଆଧୁନିକତା। ଦ୍ରୁତ ସହରୀକରଣ ଚାଲିଛି ଗ୍ରାମାଞ୍ଚଳଗୁଡ଼ିକରେ। ଓଡ଼ିଶାର ଗ୍ରାମାଞ୍ଚଳରେ ଟେଲିଫୋନ୍ ସେବା, ମୋବାଇଲ୍ ଫୋନ୍ ସେବା, ଇଣ୍ଟରନେଟ୍ ସେବା ଉପଲବ୍ଧ। ସହରର ମୌଳିକ ଭିିତ୍ତିଭୂମି ସହ ସମକକ୍ଷ ହେବାକୁ ହେଲେ ଗ୍ରାମାଞ୍ଚଳଗୁଡ଼ିକୁ ବହୁବର୍ଷ ଲାଗିଯିବ ସତ, କିନ୍ତୁ ଯେଉଁ ହାରରେ ଦ୍ରୁତ ପରିବର୍ତ୍ତନ ହେଉଛି ଖୁବ୍ଶୀଘ୍ର ରୂପରେଖ ବଦଳିଯିବ ଗ୍ରାମାଞ୍ଚଳର।
ବର୍ତ୍ତମାନ ଓଡ଼ିଶାର ପ୍ରାୟ ଅଧିକାଂଶ ଗ୍ରାମରେ ବିଶେଷକରି ଉପକୂଳବର୍ତ୍ତୀ ଜିଲାର ଗ୍ରାମଗୁଡ଼ିକରେ ଆଧୁନିକ ପଦ୍ଧତିରେ କୃଷି କାର୍ଯ୍ୟ ହେଉଥିବାର ଦେଖାଯାଉଛି। ଫଳରେ ନିଜ ନିଜର ଆର୍ଥିକ ସ୍ଥିତିକୁ ସେମାନେ ବଦଳାଇ ପାରୁଛନ୍ତି। କେହି କେହି ଦୋକାନ ମଧ୍ୟ ଖୋଲି ପାରିଛନ୍ତି। ଚାଷବାସ ସାଙ୍ଗକୁ ଦୋକାନ। ସେମାନଙ୍କର ଆୟ ବଢ଼ିଛି। ପିଲାମାନଙ୍କୁ ପ୍ରାଇଭେଟ୍ ସ୍କୁଲରେ ପଢ଼ାଇବାକୁ ସକ୍ଷମ ହୋଇ ପାରିଛନ୍ତି। ଗ୍ରାମାଞ୍ଚଳରେ ସରକାରଙ୍କ ବିଭିନ୍ନ ବିକାଶୋନ୍ମୁଖୀ ଯୋଜନା କାର୍ଯ୍ୟକାରୀ ହେବା ଫଳରେ ଆନୁଷଙ୍ଗିକ କର୍ମପନ୍ଥା ଉପଲବ୍ଧ ହୋଇପାରୁଛି କେତେକ ଗ୍ରାମରେ। ଗ୍ରାମାଞ୍ଚଳର ସ୍କୁଲ କଲେଜଗୁଡ଼ିକରେ ମଧ୍ୟ ଆଧୁନିକତାର ଛାପ ଦେଖିବାକୁ ମିଳୁଛି। ସହରୀ ବିଦ୍ୟାର୍ଥୀଙ୍କ ତୁଳନାରେ ଗ୍ରାମାଞ୍ଚଳର ବିଦ୍ୟାର୍ଥୀମାନେ ପାଠପଢ଼ା, ଷ୍ଟାଇଲ୍, ଖେଳ କସରତ ଆଦି କୌଣସିଟିରେ କମ୍ ନୁହନ୍ତି। ସେମାନଙ୍କୁ ଦେଖିଲେ ମନେହେଉଛି ସେମାନେ ଯେପରି କହୁଛନ୍ତି ହମ୍ କିସିସେ କମ୍ ନହିଁ। ଦିନ ଥିଲା, ଗ୍ରାମର ଶିକ୍ଷିତ ଯୁବକ ସହର ଚାଲି ଆସୁଥିଲା କାର୍ଯ୍ୟ ଅନ୍ବେଷଣରେ। ଏବେ ଅଧିକାଂଶ ଶିକ୍ଷିତ ଯୁବକ ରହିଯାଉଛନ୍ତି ଗ୍ରାମରେ, ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ପାଇବା ଆଶାରେ। ଗ୍ରାମାଞ୍ଚଳର ବର୍ଦ୍ଧିତ ଲୋକସଂଖ୍ୟାକୁ ଆଉ ବୋଝ ରୂପେ ପରିଗଣନା କରାଯାଉ ନାହିଁ। ସେମାନଙ୍କୁ ଦେଶର ସମ୍ପଦ ରୂପେ ବିଚାର କରାଯାଉଛି।
ପରିବର୍ତ୍ତନଶୀଳ ଗ୍ରାମାଞ୍ଚଳଗୁଡ଼ିକରେ ଦେଖିବାକୁ ମିଳୁଛି ଆଉ ଗୋଟିଏ କଥା। ଗଁାର ପୁରୁଣା ପରମ୍ପରା, ଚଳଣି ଧୀରେ ଧୀରେ ଲୋପ ପାଇଯାଉଛି। ଭାଗବତ ଟୁଙ୍ଗି, ଚଉପାଢ଼ି, ଗ୍ରାମସଭା ପ୍ରାୟ ଦେଖିବାକୁ ମିଳୁନାହିଁ। ସେହିପରି ପୁରୁଣା ସଂସ୍କୃତି ଯଥା ପାଲା, ଦାସକାଠିଆ, ଲୋକନୃତ୍ୟ ଆଦି ସଂଗ୍ରାମ କରିଚାଲିଛନ୍ତି ତିଷ୍ଠି ରହିବା ପାଇଁ। ଲୋକଙ୍କର ମାନସିକତା ତଥା ରୁଚିରେ ପରିବର୍ତ୍ତନ ଯୋଗୁ ଏସବୁର ଆଦର କମିଯାଉଛି ବୋଲି କୁହାଯାଉଛି। ତେବେ ହଜାର ହଜାର ବର୍ଷର ସମୃଦ୍ଧ ଗ୍ରାମ୍ୟ ପରମ୍ପରା ଏତେଶୀଘ୍ର ଲୋପପାଇବ ନାହିଁ ବୋଲି ସମାଜଶାସ୍ତ୍ରୀମାନେ କହୁଛନ୍ତି। ଏବେ ମଧ୍ୟ ଅଧିକାଂଶ ଗ୍ରାମର ଲୋକେ ନିଜର କୁଳବେଉସା ତ୍ୟାଗ କରିନାହାନ୍ତି। ଖଜୁରି ଗଛରେ ଚଢ଼ି ଖଜୁରି ରସ ବିକାଳି ଠେକି ବସାଉଥିବା ଦୃଶ୍ୟ ସମ୍ପୂର୍ଣ୍ଣ ଚାଲିଯାଇ ନାହିଁ ଗଁା ପରିବେଶରୁ। ଗଁାର ପୋଖରୀ ତୁଠ ଏବେ ମଧ୍ୟ ବଦଳି ନାହିଁ। ଘାଟରେ ପଥର ଅବଶ୍ୟ ନାହିଁ, ପଥର ପରିବର୍ତ୍ତେ ପାହାଚ ତିଆରି ହୋଇଛି। ପୋଖରୀ ତୁଠ ରହିଛି। କିନ୍ତୁ ଗୋଟିଏ କଥା ଚିନ୍ତାର କାରଣ ହୋଇଛି ଯେ ଗ୍ରାମାଞ୍ଚଳର ଯୁବକମାନେ ଚାଷକାର୍ଯ୍ୟ ପାଇଁ ପଛଘୁଞ୍ଚା ଦେଉଥିବା ଲକ୍ଷ୍ୟ କରାଯାଉଛି। ସବୁ ପରିବାରର ଟ୍ରାକ୍ଟର କିଣିପାରିବା ଭଳି କ୍ଷମତା ନାହିଁ କି ସବୁ ଯୁବକ ହଳଲଙ୍ଗଳ ଧରି ଜମିକୁ ଯିବାଲାଗି ଚାହୁଁନାହାନ୍ତି। ଗ୍ରାମାଞ୍ଚଳର ଯୁବକ ଆଜି ଶିକ୍ଷାଲାଭ ପରେ ଅଧିକ ଆଗ୍ରହ ପ୍ରକାଶ କରୁଛି ଚାକିରି କିମ୍ବା ବ୍ୟବସାୟ ପାଇଁ।
ତା’ହେଲେ ଚାଷ କରିବ କିଏ? ଆଗାମୀ ପିଢ଼ି ଚାଷ କରିବ ନା ନାହିଁ! ପଞ୍ଜାବ ଓ ହରିୟାଣା ପରି କୃଷି ସମୃଦ୍ଧ ରାଜ୍ୟରେ ଶିକ୍ଷିତ ଯୁବକ ଏପରି କି ଯୁବତୀ ମଧ୍ୟ ସବୁ ଛାଡ଼ି ଚାଷକୁ ମୁଖ୍ୟ ଜୀବିକା କଲେଣି। ଓଡ଼ିଶା ଗ୍ରାମାଞ୍ଚଳର ଯୁବତୀଯୁବକ ଏଥିରୁ ଶିକ୍ଷାଲାଭ କରିବାର ବେଳ ଆସିଛି। ପ୍ରଶ୍ନ ଉଠୁଛି, ଗ୍ରାମାଞ୍ଚଳର ବିକାଶ ପାଇଁ କେନ୍ଦ୍ର ସରକାର ତଥା ରାଜ୍ୟ ସରକାରଙ୍କ ତରଫରୁ ଅସଂଖ୍ୟ ଯୋଜନା ପ୍ରଣୟନ କରାଯାଉଥିବା ବେଳେ, କୋଟି କୋଟି ଟଙ୍କା ବ୍ୟୟ ଧାର୍ଯ୍ୟ କରାଯାଉଥିବାବେଳେ, ସେ ସବୁର ସୁଫଳ ଲୋକମାନେ ପାଇପାରୁ ନାହାନ୍ତି କାହିଁକି? ଏହାର ଉତ୍ତରରେ ବିଶେଷଜ୍ଞମାନେ କହନ୍ତି, ଯୋଜନାର ସଫଳ ରୂପାୟନ ହେବାକୁ ହେଲେ ଯୋଜନା କାର୍ଯ୍ୟକାରୀ ବ୍ୟବସ୍ଥା ଡେଲିଭରି ସିଷ୍ଟମ ବା ମେକାନିଜମ୍ରେ ସଂସ୍କାର ଆଣିବାକୁ ପଡ଼ିବ। କ୍ଷମତାର ବିକେନ୍ଦ୍ରୀକରଣ କରାଯାଇ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ତଥା କ୍ଷମତାସମ୍ପନ୍ନ କରିବା ଉଚିତ। ଏହାଦ୍ୱାରା ଗ୍ରାମାଞ୍ଚଳର ଅଧିକାଂଶ ସମସ୍ୟା ଗଁାସ୍ତରରେ ସମାଧାନ ହୋଇପାରିବା ସହିତ ଯୋଜନା ଅର୍ଥର ପ୍ରକୃତ ବିପଣନ ମଧ୍ୟ ହୋଇପାରିବ। ସେମାନଙ୍କ କହିବା ଅନୁଯାୟୀ, ରାଜ୍ୟର ସାମଗ୍ରିକ ବିକାଶରେ ବ୍ୟାପକ ଶିଳ୍ପାୟନର ଯେତିକି ଆବଶ୍ୟକତା ରହିଛି, ଆର୍ଥିକ ମାନଦଣ୍ଡ ସୁଦୃଢ଼ କରିବାକୁ ହେଲେ ଗ୍ରାମାଞ୍ଚଳର ବିକାଶ ମଧ୍ୟ ସେତିକି ଜରୁରୀ ହୋଇପଡ଼ିଛି। ସରକାରଙ୍କ ପ୍ରତିଟି ବିକାଶଭିିତ୍ତିକ ଯୋଜନା ଗ୍ରାମାଭିମୁଖୀ ହେବା ଦରକାର। ଅମଲାତନ୍ତ୍ର, ବୁଦ୍ଧିଜୀବୀଙ୍କଠାରୁ ଆରମ୍ଭ କରି ରାଜନୈତିକ ନେତା ପର୍ଯ୍ୟନ୍ତ ଯଦି ‘ଗଁାକୁ ଚାଲ’ ଅଭିଯାନରେ ସାମିଲ ହୋଇ ଗ୍ରାମାଞ୍ଚଳର ସାମଗ୍ରିକ ବିକାଶ ପାଇଁ ଯତ୍ନବାନ ହୋଇପାରିବେ, ତେବେ ଗ୍ରାମାଞ୍ଚଳର ରୂପରେଖ ବଦଳିଯିବାକୁ ଆଉ ବେଶି ସମୟ ଲାଗିବ ନାହିଁ। ଆଜିର ଅତ୍ୟାଧୁନିକ ଯୁଗରେ ଏକଥା ଅବଶ୍ୟ ସରକାର ଧୀରେ ଧୀରେ ହୃଦୟଙ୍ଗମ କରୁଥିବା ଲକ୍ଷ୍ୟ କରାଯାଉଛି। ଆହୁରି ମଧ୍ୟ ଲକ୍ଷ୍ୟ କରିହେଉଛି ଯେ, ଏ ଦିଗରେ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଉଛି। ତଥାପି ବାକିଅଛି ବହୁତ କିଛି କରିବା ପାଇଁ।
ଗଙ୍ଗାଧର ସାମଲ
ଆଇନଜୀବୀ, ଓଡ଼ିଶା ହାଇକୋର୍ଟ, କଟକ
ମୋ: ୮୩୨୮୯୪୮୬୪୩
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।