ଚାକିରି ଛାଡ଼ି ଏବେ ଏହି କାମ କରିବେ ଡିସିପି ଜଗମୋହନ ମୀନା! ଜାଣନ୍ତୁ କେମିତି ଗ୍ରହଣ ହୁଏ ଆଇପିଏସ୍‌ ଅଧିକାରୀଙ୍କ ଇସ୍ତଫା:

Jul 07, 2026 - 09:19
ଚାକିରି ଛାଡ଼ି ଏବେ ଏହି କାମ କରିବେ ଡିସିପି ଜଗମୋହନ ମୀନା! ଜାଣନ୍ତୁ କେମିତି ଗ୍ରହଣ ହୁଏ ଆଇପିଏସ୍‌ ଅଧିକାରୀଙ୍କ ଇସ୍ତଫା:

ଭୁବନେଶ୍ୱର,୭।୭(ତ୍ରିନାଥ ମହାନ୍ତି):୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ତଥା ଭୁବନେଶ୍ୱର ଡିସିପି ଜଗମୋହନ ମୀନା ସରକାରୀ ଚାକିରି ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ପୋଲିସ ଡିଜିଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ବ୍ୟକ୍ତିଗତ କାରଣ ପାଇଁ ସେ ଚାକିରି ଛାଡୁଥିବା କଥା ଉଲ୍ଲେଖ କରିଛନ୍ତି। ସରକାରଙ୍କ ପାଖରେ ଜଗମୋହନଙ୍କ ଇସ୍ତଫା ପତ୍ର ପହଞ୍ଚତ୍ଛି। ୩୭ ବର୍ଷୀୟ ଜଗମୋହନଙ୍କ ଇସ୍ତଫାପତ୍ରକୁ ସରକାର ଯାଞ୍ଚ କରୁଛନ୍ତି। ଇସ୍ତଫାପତ୍ର ଗ୍ରହଣ କରାଯିବା ପରେ ସେ ଆଇପିଏସ୍‌ ଚାକିରିରୁ ବିଦାୟ ନେବେ ବୋଲି ଜଣାପଡ଼ିଛି। ଜଗମୋହନଙ୍କ ଜଣେ ସମ୍ପର୍କୀୟଙ୍କ ରାଜସ୍ଥାନରେ ଏକ ଘରୋଇ ଅନୁଷ୍ଠାନ ରହିଛି। ସେ ଉକ୍ତ ଅନୁଷ୍ଠାନରେ ଯୋଗଦେବେ ବୋଲି କୁହାଯାଉଛି। ଇସ୍ତଫା ପରେ ଭୁବନେଶ୍ବର ଡିସିପି ଜଗମୋହନ ମୀନା ପ୍ରତିକ୍ରିୟା ଦେଇ କହିଛନ୍ତି, ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଛି, ଅନ୍ୟ କୌଣସି କାରଣ ନୁହେଁ। ପରିବାର ଓ ବନ୍ଧୁମାନଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନେଇଛି। ମୋ ଇସ୍ତଫା ବର୍ତ୍ତମାନ ସୁଦ୍ଧା ଗ୍ରହଣ କରାଯାଇନି। ଓଡ଼ିଶାରେ କାମ କରିବାକୁ ସୁଯୋଗ ପାଇଥିବାରୁ ଭାଗ୍ୟବାନ ମନେକରୁଛି। କୌଣସି ଚାପ ନ ଥିଲା, ଲୋକଙ୍କ ସେବା କରିବାର ସୁଯୋଗ ପାଇଛି। ଓଡ଼ିଶା ଲୋକେ ବହୁତ ଭଲ, ଜଗନ୍ନାଥଙ୍କ ଆଶୀର୍ବାଦ ମୋ ଉପରେ ରହୁ। ଆଇପିଏସ୍‌ କାର୍ଯ୍ୟ ସମୟରେ କାର୍ଯ୍ୟ କରିବାର ଅନୁଭୂତି ରହିଛି। ମୋ ଭବିଷ୍ୟତ ପାଇଁ ମୁଁ ଇସ୍ତଫା ଦେଇଛି। ମଣିଷର ମାନସିକତା ହେଉଛି ସବୁ ଜିନିଷକୁ ଲିଙ୍କ୍‌ କରିବାକୁ। ହେଲେ ମୋର ସେଭଳି କିଛି ନାହିଁ, ମୋର ବ୍ୟକ୍ତିଗତ କାରଣ ପାଇଁ ଆଇପିଏସ୍‌ ଚାକିରିରୁ ଇସ୍ତଫା ଦେଉଛି। ୨୦ ଦିନ ପୂର୍ବରୁ ଇସ୍ତଫା ଦେଇଥିବା ଜଗମୋହନ କହିଛନ୍ତି।
ଜଗମୋହନ ପୂର୍ବରୁ କଟକ ଡିସିପି, ଅନୁଗୋଳ ଓ ଗଞ୍ଜାମ ଏସ୍‌ପି ଭାବେ କାମ କରିଥିଲେ। ୨୦୨୫ ଫେବୃଆରୀରେ ଭୁବନେଶ୍ବର ଡିସିପି ଭାବେ ଯୋଗ ଦେଇଥିଲେ। ୨୦୧୩ରେ ଆଇପିଏସ୍‌ ପାଇବା ପରେ ସେ କଳାହାଣ୍ଡି ଜିଲାର କେସିଙ୍ଗା ଏସ୍‌ଡିପିଓ ଭାବେ କାମ ଆରମ୍ଭ କରିଥିଲେ। କାମ କରିବା ସମୟରେ ସେ ଏକାଧିକ ପୁରସ୍କାର ପାଇଛନ୍ତି। କଟକ ବାରବାଟୀ କିକ୍ରେଟ ମ୍ୟାଚ ହେଉ ଅବା ଭୁବନେଶ୍ୱର ଭିଆଇପି ଡ୍ୟୁଟି, ଲ’ ଆଣ୍ଡ ଅର୍ଡରକୁ ସୁଚାରୁରୂପେ ତୁଲାଇଥିଲେ। କିନ୍ତୁ ବାଲିଅନ୍ତା ଭିଡ଼ହିଂସାରେ ସୌମ୍ୟଙ୍କୁ ପିଟିପିଟି ହତ୍ୟା କରିବା ଘଟଣା ପରେ ସେ ବିବାଦୀୟ ହୋଇପଡ଼ିଥିଲେ। ସୌମ୍ୟଙ୍କୁ ଲୋକ ପିଟୁଥିବାବେଳେ ସେଠାରେ ବାଲିଅନ୍ତା ପୋଲିସ ଏବଂ ପିସିଆର ଭ୍ୟାନ୍‌ ଉପସ୍ଥିତ ଥାଇ ମଧ୍ୟ ନୀରବଦ୍ରଷ୍ଟା ପାଲଟିଥିଲେ। ଆଉ ଏହି ସମୟରେ ଡିସିପି ଜଗମୋହନ ଥାନା ଅଧିକାରୀ ଏବଂ ଏସିପିଙ୍କୁ ନେଇ କ୍ରାଇମ୍‌ ମିଟିଂ କରୁଥିଲେ। ଥାନା ଅଧିକାରୀ ଡିସିପି ଜଗମୋହନଙ୍କୁ ଏହି ଘଟଣା ବିଷୟରେ ଜଣାଇଥିଲେ ମଧ୍ୟ ସେ ଥାନାଧିକାରୀଙ୍କୁ ଲଞ୍ଚ୍‌ କରି ଯିବାକୁ କହିଥିଲେ। ଏହି ଘଟଣାରେ ସୌମ୍ୟଙ୍କ ମା’ ଡିସିପିଙ୍କୁ ଦାୟୀ କରିବା ସହ ଏନଏଚ୍‌ଆରସିଙ୍କୁ କହିଥିଲେ। ଯେଉଁଥି ପାଇଁ ଡିସିପିଙ୍କ ଉପରେ ସରକାର କ୍ଷୁବ୍ଧ ଥିଲେ, ଯେଉଁଥିପାଇଁ ଡିସିପି ଜଗମୋହନ ଚାପରେ ଆସି ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି।
କେମିତି ଗ୍ରହଣ ହୁଏ ଆଇପିଏସ୍‌ ଅଧିକାରୀଙ୍କ ଇସ୍ତଫା
ଜଣେ ଆଇପିଏସ୍‌ଙ୍କ ଇସ୍ତଫାପତ୍ର ଗ୍ରହଣରେ ବହୁତ ଜଟିଳ ପ୍ରକ୍ରିୟା ଥାଏ। ଏଥିଲାଗି କେନ୍ଦ୍ରରୁ ଅନୁମତି ଆବଶ୍ୟକ ହୋଇଥାଏ। ଇସ୍ତଫାପତ୍ର ସ୍ପଷ୍ଟ, ସର୍ତ୍ତବିହୀନ ଏବଂ ଲିଖିତ ଆକାରରେ ହେବା ଜରୁରୀ। ଆଇପିଏସ୍‌ ନିଜର ଇସ୍ତଫାପତ୍ର ଡିଜିପିଙ୍କ ଜରିଆରେ ମୁଖ୍ୟ ସଚିବଙ୍କ ପାଖକୁ ପଠାଇଥାନ୍ତି। ଯଦି ସେ କେନ୍ଦ୍ର ଅଧୀନରେ କାର୍ଯ୍ୟ କରୁଥିବେ, ତେବେ ସମ୍ପୃକ୍ତ ମନ୍ତ୍ରଣାଳୟ ସଚିବଙ୍କୁ ଇସ୍ତଫାପତ୍ର ଦେବେ। ନିଜ ମତାମତ ସହ ସମ୍ପୃକ୍ତ ରାଜ୍ୟ କ୍ୟାଡରକୁ ପଠାଇବେ। ରାଜ୍ୟ ସରକାର ଇସ୍ତଫା ଗ୍ରହଣ କରିବା ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ଦିଗ ଯାଞ୍ଚ କରନ୍ତି। ରାଜ୍ୟ ସରକାରଙ୍କ କୌଣସି ବକେୟା ଅର୍ଥ ଅଧିକାରୀଙ୍କ ଉପରେ ବାକି ଅଛି କି ନାହିଁ ଯାଞ୍ଚ କରାଯାଏ। ଆହୁରି ମଧ୍ୟ କୌଣସି ବିଭାଗୀୟ ତଦନ୍ତ, ଭିଜିଲାନ୍ସ, ସିବିଆଇ ମାମଲା ରହିଛି କି ନାହିଁ ତାହା ମଧ୍ୟ ଯାଞ୍ଚ କରାଯାଏ। ଦୁର୍ନୀତି ଅଭିଯୋଗ କିମ୍ବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବାକି ଅଛି କି ନାହିଁ ଦେଖାଯାଏ। ଗମ୍ଭୀର ମାମଲା ଥିଲେ ଆଇପିଏସ୍‌ ଅଧିକାରୀଙ୍କ ଇସ୍ତଫାପତ୍ର ଗ୍ରହଣ କରାଯାଏ ନାହିଁ। କୌଣସି ସର୍ଭିସ ବଣ୍ଡ ରହିଛି କି ନାହିଁ ତାହା ଯାଞ୍ଚ କରାଯାଏ। ସବୁ କିଛି ଯାଞ୍ଚ କରିବା ପରେ ଇସ୍ତଫା ଗ୍ରହଣ କରିବାର ସର୍ବୋଚ୍ଚ କର୍ତ୍ତୃପକ୍ଷ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିକଟକୁ ପଠାଇଥାନ୍ତି। ଇସ୍ତଫା ଗ୍ରହଣ କରିବା ବା ନ କରିବା ସରକାରଙ୍କ ଇଚ୍ଛାଧୀନ। ଇସ୍ତଫାପତ୍ର ଗ୍ରହଣ ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ନ ଥାଏ। ସବୁ କିଛି ପ୍ରକ୍ରିୟା ସରିବା ପରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏହାକୁ ଗ୍ରହଣ କରିଥାଏ।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।