ଘୁର୍ଣ୍ଣିବଳୟ ସକ୍ରିୟ: ଅତି ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ଓ୍ବାର୍ନିଂ ଜାରି
ଭୁବନେଶ୍ୱର, ୧୪।୭:ଉତ୍ତର ବଙ୍ଗୋପସାଗର ଓ ତା’ ପାଖପାଖି ଦକ୍ଷିଣ ବାଂଲାଦେଶ ପାଖରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ ଆଗାମୀ ୪ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ମଙ୍ଗଳବାର କନ୍ଧମାଳ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ଓ୍ବାର୍ନିଂ ଦିଆଯାଇଛି। ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୩୦ ରୁ ୪୦ କି.ମି. ରହିବ ବୋଲି ସୂଚନା ଦିଆଯାଇଛି।
ଅପରପକ୍ଷେ ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଥିଲେ ହେଁ ଉପକୂଳ ଓଡ଼ିଶାକୁ ପୁଣି ଥରେ ଗୁଳୁଗୁଳି ଫେରିଛି। ମଙ୍ଗଳବାର ମଧ୍ୟ ସମାନ ସ୍ଥିତି ଲାଗି ରହିବ ବୋଲି ଜଣାପଡିଛି। ଏଥିପାଇଁ ୧୧ଟି ଜିଲା ଯଥା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ଗରମ ଓ ଗୁଳୁଗୁଳି ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ମିଳିଥିବା ତଥ୍ୟ ଅନୁଯାୟୀ, ଗତ ୨୪ଘଣ୍ଟାରେ ୧୧ଟି ସହରର ତାପମାତ୍ରା ୩୬ ଡିଗ୍ରୀ ଉପରେ ରହିଥିଲା। ପାରଳାଖେମୁଣ୍ଡି ଓ ଭବାନୀପାଟାଣାରେ ସର୍ବାଧିକ ୩୬.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ଟିଟିଲାଗଡ଼, ନୟାଗଡ଼ ଏବଂ ଭଦ୍ରକରେ ୩୬.୫ ଡିଗ୍ରୀ, ଭୁବନେଶ୍ୱର, କଟକ, ଢେଙ୍କାନାଳ ଏବଂ ତାଳଚେରରେ ୩୬.୨ ଡିଗ୍ରୀ, ବାରିପଦା ଓ ଝାରସୁଗୁଡାରେ ୩୬ ଡିଗ୍ରୀ ଏବଂ ଦାରିଙ୍ଗିବାଡିରେ ସର୍ବନିମ୍ନ ୨୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।