ଘାଟିରେ ବାରମ୍ବାର ଅଟକୁଛି ଭାରୀଯାନ, ଯାତାୟାତ ବାଧାପ୍ରାପ୍ତ
ଦାରିଙ୍ଗବାଡ଼ି,୪ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ କଣ୍ଟେନର ଉକ୍ତ ଘାଟି ରାସ୍ତାର ବୁଲାଣି ରାସ୍ତାରେ ବୁଲିପାରି ନ ଥିଲା ଫଳରେ ବିପଦସଂକୁଳ ଅବସ୍ଥାରେ ଅଟକି ରହି ଆଉ ଆଗକୁ କିମ୍ବା ପଛକୁ ହୋଇପାରି ନ ଥିଲା। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ରାଜପଥରେ ଯାତ୍ରୀବାହୀ ବସ୍ ସମେତ ବହୁ ଗାଡ଼ିମୋଟର ଅଟକି ରହିଥିଲା। ବାଲିଗୁଡ଼ାରୁ ଦାରିଙ୍ଗବାଡ଼ି ଦେଇ ବ୍ରହ୍ମପୁର, ଭଞ୍ଜନଗର, ଆସିକାକୁ ଗାଡ଼ିମୋଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଦାରିଙ୍ଗବାଡ଼ିରୁ ଯାତ୍ରୀମାନେ କିଛି ଗଜପତି ମୋହନା ବ୍ଲକ ଦେଇ ବ୍ରାହ୍ମଣୀଗାଁ ହୋଇ ଦାରିଙ୍ଗବାଡି, ବାଲିଗୁଡ଼ା ଆଦିକୁ ଯାତାୟାତ ହୋଇଥିଲେ। ଫଳରେ ଯାତ୍ରୀ ହଟହଟା ହେବା ସହ ଖର୍ଚ୍ଚାନ୍ତ ହୋଇଥିଲେ। ଖବର ଲେଖିହେବା ସୁଦ୍ଧା ଉକ୍ତ ରାଜପଥରେ ଗାଡ଼ିମୋଟର ଯାତାୟାତ ସ୍ବାଭାବିକ ହୋଇନାହିଁ।
ପ୍ରକାଶ ଯେ, ବାରମ୍ବାର ଭାରୀଯାନ ବୁଲାଣି ରାସ୍ତାରେ ବୁଲାଇ ନ ପାରି ଘଣ୍ଟା ଘଣ୍ଟା ଅଟକି ଯାଉଛି। ଏଥିପାଇଁ ଉକ୍ତ ଘାଟି ରାସ୍ତାରେ ବାରମ୍ବାର ଅନ୍ୟ ଗାଡ଼ିମୋଟର ଯାତାୟାତ ବନ୍ଦ ହୋଇପଡୁଛି। ଜାତୀୟ ରାଜପଥ ପକ୍ଷରୁ ଉକ୍ତ ଅଣଓସାରିଆ ଘାଟିରାସ୍ତାରେ ଭାରୀଯାନ ଚଳାଚଳ ପାଇଁ ବାରଣ କରିବା ସହ ବଡ଼ବଡ଼ ହୋଡିଂ ମାଧ୍ୟମରେ ସୂଚନା ପ୍ରଦାନ କରିଛି। ଏହାକୁ ଅମାନିଆ ଭାରୀଯାନଗୁଡ଼ିକ ଯାତାୟାତ କରି ପ୍ରତିଦିନ ସମସ୍ୟା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି। ସେହିପରି ଉକ୍ତ ରାଜପଥର ଘାଟିରାସ୍ତାକୁ ପ୍ରଶସ୍ତିକରଣ କରିବା ପାଇଁ କେନ୍ଦ୍ର ସରକାର ୭ ଶହ ୨୦ କୋଟି ଅନୁମୋଦନ କରିଥିଲେ ମଧ୍ୟ ତାହା କେଉଁଠି ନା କେଉଁଠି ବିଳମ୍ବ ଯୋଗୁଁ ବାରମ୍ବାର ଅଣଓସାରିଆ ପ୍ରାୟ ୧୭ କିମି ରାସ୍ତା ଯାତାୟାତ ପାଇଁ ବିପଦ ସୃଷ୍ଟି କରିବା ସହ ବାରମ୍ବାର ଘାଟିରେ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି।
Dharitri – Odisha’s No.1 Odia Daily
The post ଘାଟିରେ ବାରମ୍ବାର ଅଟକୁଛି ଭାରୀଯାନ, ଯାତାୟାତ ବାଧାପ୍ରାପ୍ତ appeared first on Dharitri Odia News.