ଗାଁ ନିକଟରୁ ମଦ ଦୋକାନ ସ୍ଥାନାନ୍ତର ଦାବି:ଏକଜୁଟ ହେଲେ ମହିଳା
ପାଟଣା,୩ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତ ସାଧୁପଡ଼ା ଗାଁ ନିକଟରେ ଶୁକ୍ରବାର ନୂତନ କରି ଖୋଲିଥିବା ସରକାରୀ ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର ଦାବି ଜୋର ଧରିଛି। ଗ୍ରାମର ମହିଳାମାନେ ଏକଜୁଟ୍ ହୋଇ ସାଧୁପଡ଼ା ବସ୍ଷ୍ଟାଣ୍ଡରୁ ଶୋଭା ଯାତ୍ରାରେ ବାହାରି ପାଟଣା ଥାନା, ତହସିଲଦାର ଅଶ୍ୱିନୀ ନାଏକ, ବିଡିଓ ମାନସ ରଞ୍ଜନ ଦଣ୍ଡପାଟ ଓ ଅବକାରୀ ଇନ୍ସପେକ୍ଟର ପଦ୍ମାବତୀ ମୁର୍ମୁ ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।
ଅଭିଯୋଗ ମୁତାବକ, ଦୀର୍ଘ ୧୪ ବର୍ଷ ହେବ ପାଟଣା ବଜାର ମୁଖ୍ୟାଳୟ ହାଟ ତୋଟାରେ ସରକାରୀ ମଦ ଦୋକାନ ଚାଲିଆସୁଥିଲା। ଜୁନ ୧୭ରେ ଏହାକୁ ବାଜାର କେନ୍ଦ୍ରସ୍ଥଳରୁ ଉଚ୍ଛେଦ ପାଇଁ ସ୍ଥାନୀୟ ଲୋକେ ଜିଲାପାଳ ଓ ଅବକାରୀ ଅଧୀକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ମାତ୍ର ପରେ ନୂତନ ନିଲାମ ଧାରୀ ସାଧୁପଡ଼ାରେ ଶୁକ୍ରବାର ମଦ କାଉଣ୍ଟର ଖୋଲିଥିଲେ। ମାତ୍ର ଏହାକୁ ସାଧୁପଡ଼ା, ସଅଁରାପଶି, ବଡ଼ପାଟଣା ଓ ଟାଇଁଶିରା ଗ୍ରାମର ୬୦ରୁ ଊଦ୍ଧର୍ବ ମହିଳା ବିରୋଧ କରି ସାଧୁପଡ଼ାସ୍ଥିତ ବସ୍ଷ୍ଟାଣ୍ଡରୁ ଶୋଭାଯାତ୍ରାରେ ବାହାରିଥିଲେ। ଗାଁଠାରୁ ଶହେ ମିଟର ଭିତରେ ଓ ଗାଁ ଠାକୁରାଣୀ ଶାଳ ପାଖରେ ମଦ କାଉଣ୍ଟର ଖୋଳିବାକୁ ବିରୋଧ କରିଥିଲେ। ଏଥିସହ ସାଧୁପଡ଼ା ଗାଁରେ ସରକାରୀ ବସ୍ଷ୍ଟାଣ୍ଡ, ୨ଟି ଛାତ୍ରୀ ନିବାସ, ନର୍ସିଂ ସ୍କୁଲ ରହିଛି। ଛାତ୍ରୀମାନେ ଉକ୍ତ ରାସ୍ତା ଦେଇ ଯାତାୟାତ କରୁଛନ୍ତି। ତେଣୁ ଜନଗହିଳ ସ୍ଥାନରୁ ମଦ ଭାଟି ଉଠାଇବାକୁ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। ମହିଳା ନେତ୍ରୀ ଡାଳିମ୍ବ ମହାନ୍ତ, ପୂଜାରାଣୀ ମହାନ୍ତ, ମାଳତୀ ମହାନ୍ତ, ହିରାମଣି ମହାନ୍ତ, ସୁକାନ୍ତି ନାଏକ, ରୀମା ନାଏକ ନେତୃତ୍ୱ ନେଇ ଦାବିପତ୍ର ପ୍ରଦାନ କରିଥିଲେ। ଜିଲା ଅବକାରୀ ସୁପରିଣ୍ଟେଣ୍ଡେଣ୍ଟେ ତେଜରାଜ ଜାନୀ କହିଛନ୍ତି, ପିଟିସନ ତାଙ୍କ ନିକଟର ପହଞ୍ଚତ୍ଲେ, ଘଟଣା ଉପରେ ତଦନ୍ତ କରି ପଦକ୍ଷେପ ଗ୍ରହଣ କରିବେ।
Dharitri – Odisha’s No.1 Odia Daily
The post ଗାଁ ନିକଟରୁ ମଦ ଦୋକାନ ସ୍ଥାନାନ୍ତର ଦାବି:ଏକଜୁଟ ହେଲେ ମହିଳା appeared first on Dharitri Odia News.