ଗାଁରେ ପଶିଲା ବନ୍ୟାଜଳ, ତହସିଲଦାର-ବିଡିଓ ପହଞ୍ଚି ଲୋକଙ୍କୁ…
ତିହିଡ଼ି,୨୯ା୭(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ୭ ପଞ୍ଚାୟତରେ ବନ୍ୟା ପରିସ୍ଥିତି ଉଦ୍ବେଗଜଣକ ହୋଇଛି। ସାଳନ୍ଦୀ ନଦୀରେ ଆସିଥିବା ବନ୍ୟାପାଣି ବିଭିନ୍ନ ଗାଁରେ ପ୍ରବେଶ କରିଛି। ବାରୋରେ ଗୋପାଳିଆ କେନାଲ ବନ୍ଧ ଟପି ବନ୍ୟା ପାଣି ସୁଅ ଚୁଟିବାରେ ଲାଗିଛି। ସାଳନ୍ଦୀ ଜଳସେଚନ ବିଭାଗ କନିଷ୍ଠ ଯନ୍ତ୍ରୀ ପଦ୍ମପ୍ରିୟ ସାମଲ ବୁଧବାର ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିବା ପାରେ ବାଲି ବସ୍ତା ପକାଇ ପାଣି ରୋକାଯିବ ବୋଲି କହିଛନ୍ତି। ବାରୋ ସମେତ ବିଲଣା, ତଳଗୋପବିନ୍ଧା, ବୋଡ଼କ ପଞ୍ଚାୟତର ଅଧିକାଂଶ ଗ୍ରାମ ପାଣି ଘେରରେ ରହିଥିବା ଜଣାଯାଇଛି। ଏହାଛଡ଼ା ଅନ୍ୟ ୩ ପଞ୍ଚାୟତରେ ମଧ୍ୟ ଲୋକମାନେ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ବାରୋ ପଞ୍ଚାୟତର ତଳିଆ ଅଞ୍ଚଳରୁ ବିପନ୍ନମାନଙ୍କୁ ବାରୋ ହାଇସ୍କୁଲ ସମେତ ନିକଟସ୍ଥ ବିଭିନ୍ନ ପ୍ରାଥମିକ ସ୍କୁଲକୁ ସ୍ଥାନାନ୍ତରିତ କରାଯାଇଛି। ପଞ୍ଚାୟତର ବଳିଆରପୁର, ଖାଲସା ସାହି, ଶାସନଖାସ, କଲ୍ୟାଣ ନଗର ଇତ୍ୟାଦି ଗ୍ରାମରେ ଏବଂ ବିଲଣା, ବୋଡ଼କ ଓ ତଳଗୋପବିନ୍ଧା ପଞ୍ଚାୟତର ବହୁ ଗ୍ରାମରେ ବନ୍ୟା ପାଣି ପ୍ରବେଶ କରିଛି। ଗ୍ରାମ ରାସ୍ତା ସବୁ ବୁଡ଼ି ଯାଇଥିବାରୁ ଯୋଗାଯୋଗ ବିଛିନ୍ନ ହୋଇଛ। ଚାଷ ଜମି ଜଳମଗ୍ନ ହୋଇ ରହିଥିବାରୁ ସେହିସବୁ ପଞ୍ଚାୟତରେ ଧାନ ଫସଲ ଉଜୁଡ଼ି ଯିବାର ଆଶଙ୍କା ଉପୁଜିଛି।
ତହସିଲଦାର ସୁବାଶିଷ ସାହୁ, ବିଡିଓ ନିରଞ୍ଜନ ବାରିକ ବୁଧବାର ବନ୍ୟାଞ୍ଚଳ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ମଙ୍ଗଳବାରଠାରୁ ବିପନ୍ନମାନଙ୍କ ପାଇଁ ରନ୍ଧାଖାଦ୍ୟ ବ୍ୟବସ୍ଥା କରାଯାଇଛି। ତେବେ ବନ୍ୟାପାଣି ବଢ଼ିବାରେ ଲାଗିଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଥିବା ଜଣାଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।