ଗଭୀର ଅବପାତ: କାଲିଠୁ ୩ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା, ଜାରି ହେଲା ଓ୍ବାର୍ନିଂ

Jul 28, 2026 - 23:41
ଗଭୀର ଅବପାତ: କାଲିଠୁ ୩ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା, ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୨୮ା୭ (ବନ୍ଦନା ସେଠୀ) – ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ କେନ୍ଦ୍ରୀଭୂତ ଗଭୀର ଅବପାତ ମଙ୍ଗଳବାର ବାରିପଦାଠାରୁ ୧୦ କି.ମି. ଦକ୍ଷିଣ-ପୂର୍ବ ଏବଂ ବାଲେଶ୍ୱରରୁ ୪୦ କି.ମି. ଉତ୍ତର-ପଶ୍ଚିମରେ ରହିଥିଲା। ତେବେ ବୁଧବାର ଅପରାହ୍ନ ବେଳକୁ ଏହା ଉତ୍ତର ଓଡ଼ିଶା, ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ଦେଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି ସୂଚନା ଦେଇଛନ୍ତି।

ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ୬୦ଟି ସ୍ଥାନରେ ପ୍ରବଳ ବର୍ଷା, ୨୪ଟି ସ୍ଥାନରେ ଅତି ପ୍ରବଳ ବର୍ଷା ଏବଂ ୫ଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ବାଲେଶ୍ୱରରେ ସର୍ବାଧିକ ୨୪୬.୬ ମି.ମି. ବର୍ଷା ହୋଇଛି। ଆଗାମୀ ୨୪ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲାରେ ହାଲୁକାରୁ ମଧ୍ୟମ ଧରଣ ଓ କିଛି ଜିଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି।

ତେବେ ବୁଧବାର ବରଗଡ଼ ଜିଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ଏଥିପାଇଁ ସମ୍ପକ୍ତ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି ଏବଂ ଝଡ଼ବର୍ଷା ନେଇ ମଧ୍ୟ ସତର୍କତା ଜାରି ହୋଇଛି। ସେହିପରି ଝାରସୁଗୁଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲାକୁ ପ୍ରବଳ ବର୍ଷା ସହ ଘଡ଼ଘଡି ବିଜୁଳି ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ଅଗଷ୍ଟ ୩ ଯାଏ ରାଜ୍ୟର ଅଧିକାଂଶ ଜିଲାରେ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।