ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

Jul 22, 2026 - 22:57
ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲ୍ଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ ବୁଡ଼ିଯିବାରୁ ଯାତାୟାତ ବନ୍ଦ ହୋଇଗଲାଣି ତ ଆଉ କେଉଁଠି ପୋଲ ଭୁଶୁଡ଼ି ପଡ଼ି ରାସ୍ତାଘାଟ ଅବସ୍ଥା ଅଚଳ ହୋଇପଡ଼ିଛି। ଏହି ବର୍ଷା ପ୍ରଭାବରେ ବୈଦାଖିଆ ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଦୟନୀୟ ପରିସ୍ଥିତି ଦେଖିବାକୁ ମିଳିଛି।

ବିଦ୍ୟାଳୟର ଶ୍ରେଣୀଗୃହ ଭିତରେ ଆଣ୍ଠୁଏ ପାଣି ଜମି ରହିଥିବାବେଳେ ସ୍କୁଲ ପରିସରଟି ଏକ କୃତ୍ରିମ ପୋଖରୀ ପାଲଟିଛି। ପାଣିରେ ନଳକୂପଟି ମଧ୍ୟ ସମ୍ପୂର୍ଣ୍ଣ ବୁଡ଼ି ଯାଇଥିବାରୁ ମାଧ୍ୟାହ୍ନ ଭୋଜନ ପ୍ରସ୍ତୁତି ବାଧାପ୍ରାପ୍ତ ହୋଇଛି। ଏହି ବିଦ୍ୟାଳୟରେ ୪୫ ଜଣ ଛାତ୍ରଛାତ୍ରୀ ପଢ଼ୁଥିବାବେଳେ ଜଳବନ୍ଦୀ ସମସ୍ୟା କାରଣରୁ ବୁଧବାର ଶିକ୍ଷାଦାନ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଗତ ସପ୍ତାହରେ ମଧ୍ୟ ଏପରି ପରିସ୍ଥିତି ଯୋଗୁ ଦୁଇ ଦିନ ଧରି ସ୍କୁଲରେ ପାଠପଢ଼ା ବନ୍ଦ ରହିଥିଲା।

ଶ୍ରେଣୀଗୃହ ଓ ପରିସରରେ ନିରନ୍ତର ପାଣି ଜମି ରହିବା କାରଣରୁ କାନ୍ଥଗୁଡ଼ିକ ଦୁର୍ବଳ ହୋଇ ଆଗାମି ଦିନରେ ବଡ଼ଧରଣର ଅଘଟଣ ଘଟିବା ଆଶଙ୍କା ସୃଷ୍ଟି ହୋଇଛି। ଏପରିକି ବିଷାକ୍ତ ଜୀବଜନ୍ତୁଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବା ଏକ ଗୁରୁତର ସମସ୍ୟା ଭାବେ ମୁଣ୍ଡ ଟେକିଛି। ତୁରନ୍ତ ଏହାର ପ୍ରତିକାର ବ୍ୟବସ୍ଥା କରିବାକୁ ରତ୍ନାକର ବେହେରା ଓ ମାନିନୀ ନାୟକଙ୍କ ସମେତ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ଅନ୍ୟପକ୍ଷରେ, ଏହି ସମସ୍ୟା ସମ୍ପର୍ଣ୍ଣରେ ପୂର୍ବରୁ ବହୁବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ ବୋଲି ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଜୟଶ୍ରୀ ରାଉତ କହିଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।