ଗଞ୍ଜେଇ ଚାଲାଣ କରୁଥିଲେ, ପୋଲିସକୁ ଦେଖି ଡିଭାଇଡରରେ ପିଟିହେଲା କାର୍; ଜବତ ହେଲା ୨୫ ଲକ୍ଷର…

Jun 27, 2026 - 13:24
ଗଞ୍ଜେଇ ଚାଲାଣ କରୁଥିଲେ, ପୋଲିସକୁ ଦେଖି ଡିଭାଇଡରରେ ପିଟିହେଲା କାର୍; ଜବତ ହେଲା ୨୫ ଲକ୍ଷର…

ଝାରସୁଗୁଡ଼ା, ୨୭।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲା ବଡ଼ମାଲ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବିଜୁ ଏକ୍ସପ୍ରେସ୍‌ ୱେର ଖେରୁଆଲ୍ ଛକ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ପୋଲିସ ଜଣେ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆକୁ ଗିରଫ କରିଛି। ଜବତ ହୋଇଥିବା ପ୍ରାୟ ୨୫୦ କିଲୋଗ୍ରାମ (ଅଢେଇ କ୍ୱିଣ୍ଟାଲ୍) ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି।

ସୂଚନା ଅନୁଯାୟୀ, ବୌଦ୍ଧ ଜିଲାରୁ ଏକ କାର୍ ଯୋଗେ ପ୍ରଚୁର ପରିମାଣର ଗଞ୍ଜେଇ ଛତିଶଗଡ଼ର ରାୟଗଡ଼ ଅଭିମୁଖେ ଚାଲାଣ କରାଯାଉଥିଲା। ଶନିବାର ଭୋର ପ୍ରାୟ ୪ଟା ସମୟରେ ବିଜୁ ଏକ୍ସପ୍ରେସ୍‌ ୱେର ଖେରୁଆଲ ଛକ ନିକଟରେ ପେଟ୍ରୋଲିଂ କରୁଥିବା ବଡ଼ମାଲ ପୋଲିସ ଏହି କାର୍‌କୁ ସନ୍ଦେହ କରି ପିଛା କରିଥିଲା। ପୋଲିସ ଗାଡ଼ିକୁ ଦେଖି ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଗଞ୍ଜେଇ ଭର୍ତ୍ତି କାର୍‌ଟି ନିୟନ୍ତ୍ରଣ ହରାଇ ରାସ୍ତା ଡିଭାଇଡରରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଦୁର୍ଘଟଣା ପରେ କାର୍‌ରେ ଥିବା ଦୁଇ ଜଣ ଅଭିଯୁକ୍ତ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପାଟ୍ରୋଲିଂ ପୋଲିସ ସେମାନଙ୍କ ମଧ୍ୟରୁ ଜଣକୁ କାବୁ କରିବାରେ ସଫଳ ହୋଇଥିଲା ଏବଂ ଅନ୍ୟ ଜଣେ ଅନ୍ଧାରର ସୁଯୋଗ ନେଇ ଫେରାର୍ ହୋଇଯାଇଛି। ଗିରଫ ଅଭିଯୁକ୍ତ ଜଣକ ମଧ୍ୟପ୍ରଦେଶର ବାସିନ୍ଦା ଅଙ୍କିତ ଶର୍ମା ବୋଲି ପୋଲିସ ଚିହ୍ନଟ କରିଛି। ଦୁର୍ଘଟଣାଗ୍ରସ୍ତ କାର୍ ଯାଞ୍ଚ ବେଳେ ସେଥିରୁ ଅଢେଇ କ୍ୱିଣ୍ଟାଲ୍  ଗଞ୍ଜେଇ ମିଳିଥିଲା। ଏହି ବେଆଇନ ଗଞ୍ଜେଇ କାରବାର ର଼୍ୟାକେଟ୍ ପଛରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି, ସେ ନେଇ ବଡ଼ମାଲ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

Dharitri – Odisha’s No.1 Odia Daily