କେରଳରେ ବନ୍ୟା: ୮ଜଣଙ୍କ ମୃତ୍ୟୁ, ୮ ନିଖୋଜ
କୋଚି,୨।୮: କେରଳରେ ଭୀଷଣ ବର୍ଷା ଫଳରେ ଭୂସ୍ଖଳନ ଓ ବନ୍ୟା ଯୋଗୁ ୮ ଜଣଙ୍କ ପ୍ରାଣହାନି ଘଟିଛି। ଏପରକି ୮ଜଣ ନିଖୋଜ ଥିବା ବେଳେ ୧୩ ଆହତ ହୋଇଥିବା ଜଣାପଡିଛି। ଆଇଏମ୍ଡି ପକ୍ଷରୁ ରବିବାର କୋଲମ ଏବଂ ଥିରୁଭନନ୍ଥପୁରମ ବ୍ୟତୀତ ରାଜ୍ୟର ସମସ୍ତ ଜିଲାଗୁଡ଼ିକ ପାଇଁ ଅରେଞ୍ଜ ଓ୍ବାନିର୍ଂ ଜାରି କରାଯାଇଥିବା ବେଳେ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ସତର୍କ କରିଦିଆଯାଇଛି।
ଇଡୁକି, କୋଟୟମ ଏବଂ ପଥନମଥିଟା ଜିଲାରେ ଅଧିକ କ୍ଷୟକ୍ଷତି ଘଟିଛି। ଭାଗମୋନରେ ମାତ୍ର ୨୪ ଘଣ୍ଟା ମଧ୍ୟରେ ୩୧୪ ମି.ମି ବର୍ଷା ରେକର୍ଡ କରାଯାଇଛି। ଇଡୁକିର ଅନେକ ସ୍ଥାନରେ ଭୂସ୍ଖଳନ ଏବଂ ବନ୍ୟା ହୋଇଥିବାବେଳେ ଚକୋଚି ବେଣ୍ଡ ନିକଟରେ ଭୂସ୍ଖଳନ ଯୋଗୁ କୋଚି-ଧନୁଷ୍କୋଡ଼ି ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।
ଭାଣ୍ଡିପେରିୟାର ସ୍ଥିତ ଛୋଟୁପାରା କୈଥୋଡ଼ୁରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁ ଏନ.ଏଚ୍ ୧୮୩ରେ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହୋଇଛି। ପଡ଼ୋଶୀ କୋଟ୍ଟାୟମ ଜିଲାରେ ପ୍ରବଳ ବର୍ଷା ଯୋଗୁ ଏରାଟୁପେଟ୍ଟା, କୁଟ୍ଟିକଲ, ଏରୁମେଲୀ ଏବଂ ପାଲା ଅଞ୍ଚଳର ବାଣିଜି୍ୟକ ତଥା ଆବାସିକ ଅଞ୍ଚଳଗୁଡ଼ିକ ଜଳବନ୍ଦୀ ହୋଇପଡ଼ିଛି। ଯାହାଫଳରେ ଯାତାୟାତ ବାଧାପ୍ରାପ୍ତ ହେବା ସହ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରାଯାଇଛି। ପମ୍ପା ନଦୀ କୂଳବର୍ତ୍ତୀ ରାନ୍ନୀ, କୋଝେଞ୍ଚେରୀ ଏବଂ ଆରାନମୁଲାର ବିଭିନ୍ନ ଅଞ୍ଚଳ ବନ୍ୟାଜଳ ଦ୍ୱାରା ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଆଶ୍ରୟହୀନ ହୋଇପଡ଼ିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଡଙ୍ଗା ମୁତୟନ କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି।
ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ ରାଜ୍ୟ ସରକାରଙ୍କ ପକ୍ଷରୁ ମୋଟ ୬୫ଟି ରିଲିଫ କ୍ୟାମ୍ପ ଖୋଲାଯାଇ, ସେଠାରେ ୧୪୬୫ ଜଣଙ୍କୁ ଆଶ୍ରୟ ଦିଆଯାଇଛି। ଜଳସ୍ତର ଅତ୍ୟଧିକ ବୃଦ୍ଧି ପାଇବାରୁ ଭୁଥାଥାନକେଟୁ ଡ୍ୟାମ୍ର ୧୫ଟି ଗେଟରୁ ୧୪ଟି ଗେଟ ଖୋଲାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।