କଳା ଉତ୍ସବରେ କେଭି ଭଞ୍ଜନଗରର ସଫଳତା: ଆଞ୍ଚଳିକ ସ୍ତରକୁ ଚୟନ
ଭଞ୍ଜନଗର,୨୮।୭(ବାବୁଲା ପ୍ରଧାନ)- ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଆସିକାଠାରେ ମଙ୍ଗଳବାର ଅନୁଷ୍ଠିତ କ୍ଲଷ୍ଟର ସ୍ତରୀୟ ‘କଳା ଉତ୍ସବ’ ପ୍ରତିଯୋଗିତାରେ କେନ୍ଦ୍ରୀୟ ବିଦ୍ୟାଳୟ ଭଞ୍ଜନଗରର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ଏହି ପ୍ରତିଯୋଗିତାରେ କେଭି ଭଞ୍ଜନଗର ଏକାଧିକ ବର୍ଗରେ ପଦକ ହାସଲ କରିଛି। ବିଦ୍ୟାଳୟ ପକ୍ଷରୁ ସୋଲୋ ସିଙ୍ଗିଂରେ ପ୍ରଥମ, ସ୍କିଟ୍ରେ ଦ୍ୱିତୀୟ, ଥିଏଟରରେ ଦ୍ୱିତୀୟ ଏବଂ ଗ୍ରୁପ୍ ଡ୍ୟାନ୍ସରେ ତୃତୀୟ ସ୍ଥାନ ଅଧିକାର କରାଯାଇଛି।
ସୋଲୋ ସିଙ୍ଗିଂରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବିଦ୍ୟାଳୟର ପ୍ରତିଭାବାନ ଛାତ୍ରୀ ଅଭିଲିପ୍ସା ତ୍ରିପାଠୀ ଆସନ୍ତା ଜୁଲାଇ ୩୧ରୁ ଅଗଷ୍ଟ ୧, ୨୦୨୬ ପର୍ଯ୍ୟନ୍ତ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନଂ-୩, ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଥିବା ଆଞ୍ଚଳିକ ସ୍ତରୀୟ ‘କଳା ଉତ୍ସବ’ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।
ଛାତ୍ରଛାତ୍ରୀଙ୍କ ଏହି ସଫଳତା ପଛରେ ବିଦ୍ୟାଳୟର ସଙ୍ଗୀତ ଶିକ୍ଷକ ଅନୁପ କୁମାର ସିଂହ, ଜ୍ୟୋତିପ୍ରକାଶ ସାହୁ ଓ ସୁମନ କୁମାରୀଙ୍କ ମାର୍ଗଦର୍ଶନ ଏବଂ ପ୍ରୋତ୍ସାହନ ରହିଛି। ଅଧ୍ୟକ୍ଷ ପ୍ରଦୀପ କମାନୁଙ୍କ ପ୍ରଚେଷ୍ଟା ଏବଂ ସଫଳ ନେତୃତ୍ୱରେ ବିଦ୍ୟାଳୟ ପ୍ରତ୍ୟେକ କ୍ଷେତ୍ରରେ କ୍ରମାଗତ ଭାବେ ଆଗକୁ ବଢ଼ୁଛି। ଛାତ୍ରଛାତ୍ରୀଙ୍କ ଏହି ଗୌରବବର୍ଦ୍ଧକ ସଫଳତା ପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ମହଲରେ ଆନନ୍ଦର ଲହରୀ ଖେଳିଯାଇଥିବା ବେଳେ ଅଧ୍ୟକ୍ଷ କୃତୀ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।