କମ୍ପାନୀରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ବିଧାୟକଙ୍କ ସମୀକ୍ଷା, ମନମୁଖୀ କାର୍ଯ୍ୟ ନେଇ…

Jul 03, 2026 - 17:46

ଛତ୍ରପୁର,୩ା୭(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠରେ ଭାରତୀୟ ବିରଳ ମୃତ୍ତିକା ସଂରକ୍ଷଣ (ଆଇଆର୍‌ଇଏଲ୍‌) କମ୍ପାନୀରେ ସ୍ଥାନୀୟ ଅଞ୍ଚଳର ଦକ୍ଷତା ଭିତ୍ତିକଏବଂ ବେକାର ଯୁବତୀ/ଯୁବକଙ୍କୁ ନିଯୁକ୍ତି ଦେବା ସହିତ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଆଜି ଛତ୍ରପୁର ଉପଜିଲାପାଳ ଶିବାଶିଷ ବରାଳଙ୍କ ଉପସ୍ଥିତରେ ଉପଜିଲାପାଳ କାର୍ଯ୍ୟାଳୟଙ୍କ ସମ୍ମିଳନୀ କକ୍ଷଠାରେ ସମୀକ୍ଷା କରିଛନ୍ତି l ଗୋଟେ ପଟେ ରାଜ୍ୟ ସରକାର ସ୍ଥାନୀୟ ଯୁବପିଢ଼ିକୁ ନିଯୁକ୍ତି ଦେବା ଉଦ୍ଦେଶ୍ୟରେ ପ୍ରତିଷ୍ଠିତ ଶିଳ୍ପାନୁଷ୍ଠାନମାନଙ୍କୁ ଜାଗା ଦେଇ ନିଯୁକ୍ତି ସୃଷ୍ଟି କରିବା ପାଇଁ ପ୍ରୟାସ କରୁଛନ୍ତି। ଅନ୍ୟପଟେ ଏହି ଶିଳ୍ପାନୁଷ୍ଠାନ ଗୁଡ଼ିକରେ ଅନ୍ୟ ଜିଲା ତଥା ରାଜ୍ୟରୁ ଯୁବକମାନଙ୍କୁ ଆଣି ଦକ୍ଷତା ନାଁରେ ଚାକିରି ଦେଉଥିବାରୁ ବିଧାୟକ ନାୟକ ଆଇଆରଇଏଲ୍‌ କମ୍ପାନୀ କର୍ତ୍ତୃପକ୍ଷଙ୍କ ମନମୁଖୀ ନିଯୁକ୍ତିକୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। କେବଳ ତାହା ନୂହେଁ, ଅନ୍ୟ ଜିଲାରୁ ଆସିଥିବା କର୍ମଚାରୀମାନେ ଆଇଆର୍‌ଇଏଲ ଶିଳ୍ପରୁ ଅବସର ଗ୍ରହଣ କରିବା ପରେ ଚମାଖଣ୍ଡି ଏବଂ ଆଖପାଖ ଅଞ୍ଚଳରେ ଜମି କିଣି ଗୃହ ନିର୍ମାଣ କରି ନିଜ ପିଲାଙ୍କୁ ଚାକିରିରେ ଥଇଥାନ କରାଇବା ଅଭିଯୋଗ ହୋଇଛି। ଏ ନେଇ ବିଧାୟକ ନାୟକ ଆଇଆର୍‌ଇଏଲ ଶିଳ୍ପରେ ସ୍ଥାୟୀ ଚାକିରି ଏବଂ ସମସ୍ତ ବର୍ଗ ନିଯୁକ୍ତିରେ ଥିବା ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କ ସମ୍ପୂର୍ଣ୍ଣ ତାଲିକା ଏବଂ ତଥ୍ୟ ମାଗିଛନ୍ତି। ଆଇଆର୍‌ଇଏଲ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ବିଧାୟକ କହିଛନ୍ତି ଯେ, ଯଦି ତଥ୍ୟ ଦେବାରେ କର୍ତ୍ତୃପକ୍ଷ ବିଫଳ ହୁଅନ୍ତି ତେବେ ସେ ଏହି ପ୍ରସଙ୍ଗକୁ ନେଇ ବିଧାନସଭାରେ ପ୍ରଶ୍ନ ଉଠାଇବେ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଏହି ବିଷୟରେ ଅବଗତ କରାଇବେ। ସ୍ଥାନୀୟ ଲୋକଙ୍କୁ ଚାକିରି ଦେବା ପାଇଁ ପ୍ରାଥମିକତା ଦିଆଯିବ ନିମନ୍ତେ ଆଇଆରଇଏଲ କର୍ତ୍ତୃପକ୍ଷଙ୍କୁ ବିଧାୟକ ନାୟକ ପରାମର୍ଶ ଦେଇଛନ୍ତି।

ଏହି ବୈଠକରେ ବିଧାୟକଙ୍କ ସହ ଆଇନଜୀବୀ ତଥା ଶ୍ରମିକ ନେତା କୈଳାସ ପଲାଇ, ଗଞ୍ଜାମ ଜିଲା ଭାଜପା ସାଧାରଣ ସମ୍ପାଦକ ପଦ୍ମଚରଣ ସାହୁ, ଜିଲା ସମ୍ପାଦକ ଏନ. ଦୁର୍ଯ୍ୟୋଧନ ରେଡ୍ଡୀ, ଯୁବନେତା ବାପି ଦାସ ଓ କେ. ରଘୁନାଥ ରେଡ୍ଡୀ ଏବଂ ଆଇଆର୍‌ଇଏଲ ପ୍ରକଳ୍ପ ଓ ସମ୍ବଳ ଉପ ମହାପ୍ରବନ୍ଧକ ଏସ୍‌ଏସ୍‌ ମଲ୍ଲିକ ଓ ଆଇଆର୍‌ଇଏଲ ମାନବ ସମ୍ବଳ ମୁଖ୍ୟ କମାଣ୍ଡର ଆଶିଷ କୁଳଶ୍ରେଷ୍ଠ ପ୍ରମୁଖ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

The post କମ୍ପାନୀରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ବିଧାୟକଙ୍କ ସମୀକ୍ଷା, ମନମୁଖୀ କାର୍ଯ୍ୟ ନେଇ… appeared first on Dharitri Odia News.